ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନ; ଫିଟୁନି ସିଂହଦ୍ବାର, ଶୁଭୁନି ଗୀତଗୋବିନ୍ଦ

ବ୍ରହ୍ମଗିରି : ଶ୍ରୀଅଲାରନାଥଙ୍କ ଅଣସର ଦର୍ଶନର ଆଜି ଷଷ୍ଠ ଦିନରେ ସମସ୍ତ ନୀତିକାନ୍ତି ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ସଠିକ ଭାବରେ ଚାଲିଛି। ଶ୍ରୀଜିଉଙ୍କ ସିଂହଦ୍ବାର ଲକ୍‌ଡାଉନ୍‌ଠାରୁ ବନ୍ଦ ରହିଛି। କେବଳ ସିଂହଦ୍ବାରରେ ଥିବା ଛୋଟ ଦ୍ବାର ଖୋଲା ଯାଉଥିଲା। ଅଣସର ଦର୍ଶନ ସମୟରେ ସିଂହଦ୍ବାରକୁ ପ୍ରଶାସନ ସିଲ୍‌ କରି ଦେଇଛି। ନା ଖୋଲୁଛି ଗୁମୁଟି ଦ୍ବାର ନା ସିଂହଦ୍ବାର। କ୍ରମାଗତ ଦ୍ବିତୀୟ ବର୍ଷ ପାଇଁ ଏହି ଘଟଣା ଘଟିଛି।

ଗତ ବର୍ଷ ଅଣସର ଦର୍ଶନ ସମୟରେ ଶ୍ରୀଜିଉଙ୍କ ସିଂହଦ୍ବାରକୁ ପ୍ରଶାସନ ସିଲ‌୍ କରି ଦେଇଥିଲା। ଅଣସର ଦର୍ଶନ ସମୟରେ ସିଂହଦ୍ବାର ସବୁବେଳେ ଚଳଚ‌ଞ୍ଚଳ ରହିଥାଏ। ଜୟବିଜୟ ଦ୍ବାର ପୂର୍ବରୁ ବ୍ୟାରିକେଡ୍‌ ଲାଗିଥାଏ। ଜୟବିଜୟ ଦ୍ବାର ଠାରୁ ସିଂହଦ୍ବାର ଦେଇ ଚନ୍ଦନ ଚକଡ଼ା ପର୍ଯ୍ୟନ୍ତ ବ୍ୟାରିକେଡ୍‌ ଲମ୍ବି ଯାଇଥାଏ। ଏହି ବ୍ୟାରିକେଡ୍‌ ଭିତରେ ହଜାର ହଜାର ଶ୍ରଦ୍ଧାଳୁ ଛିଡ଼ା ହୋଇ ରହିଥାନ୍ତି। ପୁଣି ସିଂହଦ୍ବାର ପାଖରେ ଶ୍ରଦ୍ଧାଳୁଙ୍କ କଡା ଯାଞ୍ଚ‌ ହୋଇଥାଏ। ଏବେ କିନ୍ତୁ ସିଂହଦ୍ବାର ପୂରା ଶୂନ୍‌ଶାନ। ସେବାୟତ ଉତ୍ତର ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରୁଛନ୍ତି। ଜୟବିଜୟ ଦ୍ବାର ଖୋଲି ନୀତିକାନ୍ତି ପାଇଁ ମନ୍ଦିର ଭିତରକୁ ଯାଉଛନ୍ତି। ପୁଣି ସେହି ଉତ୍ତର ଦ୍ବାର ଦେଇ ସେବାୟତ ଫେରୁଛନ୍ତି। ସିଂହଦ୍ବାର ଶ୍ରଦ୍ଧାଳୁଙ୍କୁ ଚାହିଁ ରହିଛି।

ପ୍ରଶାସନ ସିଂହଦ୍ବାର ଆଗରେ ବ୍ୟାରିକେଡ୍‌ କରି ଜଗି ରହିଛି। ଏହାରି ଭିତରେ ଶ୍ରୀଜିଉଙ୍କ ମଙ୍ଗଳ ଆଳତି ସମୟରେ ପ୍ରତି ଦିନ କିଛି ଶ୍ରଦ୍ଧାଳୁ ଏକାଠି ହୋଇଥାନ୍ତି। ଆଉ ଗୀତ ଗୋବିନ୍ଦ ଧ୍ବନିରେ ମନ୍ଦିର ଭିତର ଆଉ ବାହାର ଭକ୍ତିମୟ ହୋଇ ଉଠେ। ଗୀତ ଗୋବିନ୍ଦ ଧ୍ବନିର ତାଳେ ତାଳେ ଶ୍ରଦ୍ଧାଳୁ ନାଚି ଉଠିନ୍ତି। ମହାପ୍ରଭୁଙ୍କୁ ପ୍ରଣାମ କରନ୍ତି। ଜଗତ କଲ୍ୟାଣ ପାଇଁ ହରିବୋଲ ଓ ହୁଳହୁଳିରେ ପୂରା ପରିବେଶ ଭକ୍ତିର ପରିବେଶ ସୃଷ୍ଟି କରିଥାଏ। କରୋନା କଟକଣା ସବୁକିଛିକୁ ଓଲଟ ପାଲଟ କରି ଦେଇଛି। ନା ଖୋଲୁଛି ସିଂହଦ୍ବାର ନା ମନ୍ଦିର ଭିତରେ ଶୁଭୁଛି ଗୀତଗୋବିନ୍ଦର ଶଦ୍ଦ। ସବୁକିଛି ନୀରବି ଯାଇଛି। ପ୍ରତି ଦିନ ଗୀତ ଗୋବିନ୍ଦ ଗାଇ ଆତ୍ମତୃପ୍ତି ଲାଭ କରୁଥିବା ଶ୍ରଦ୍ଧାଳୁ ଆଜି ବ୍ୟଥିତ ହୋଇ ପଡୁଛନ୍ତି।

ସମ୍ବନ୍ଧିତ ଖବର