ଏବେ ବି ବଞ୍ଚିଛି ଅନ୍ଧବିଶ୍ବାସ ଓ ଅଜବ ପରମ୍ପରା: ରିଷ୍ଟ ଖଣ୍ଡନ ପାଇଁ କୁକୁର ସହ ଦୁଇ ପିଲାଙ୍କ ହେଲା ବାହାଘର

ସୋର: ଏବେ ବି ସମାଜରେ ଅନ୍ଧବିଶ୍ବାସ ଓ ଅଜବ ପରମ୍ପରା ସବୁ ବଞ୍ଚିଛି। ଛୋଟ ପିଲାଙ୍କର ପ୍ରଥମେ ଉପର ମାଢ଼ିରେ ଦାନ୍ତ ଉଠିଲେ ହୋ’ ସମ୍ପ୍ରଦାୟର ଲୋକମାନେ ଅଶୁଭ ଭାବନ୍ତି। ଫଳରେ ତାହାର ପ୍ରତିକାର କରାଯାଏ। ତେବେ ଏଥିପାଇଁ ସେମାନେ ନିଜ ପିଲାଙ୍କୁ ସାହାଡ଼ା ଗଛ କିମ୍ବା କୁକୁର ସହ ବାହାଘର କରିଦିଅନ୍ତି। ଏହିପରି ଏକ ଘଟଣା ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ଦେଖିବାକୁ ମିଳିଛି। ଯେଉଁଠି ୨ ଜଣ ପିଲାଙ୍କ ବାହାଘର କୁକୁର ସହ କରାଯାଇଛି।

ସୋର ବ୍ଲକ୍‌ ସିଙ୍ଗାଖୁଣ୍ଟା ପଞ୍ଚାୟତ ବନ୍ଧସାହି ଗ୍ରାମର ମାଛୁଆ ସିଂ’ଙ୍କ ପୁଅ ଏବଂ ମାନସ ସିଂ’ଙ୍କ ଝିଅର ପ୍ରଥମେ ଉପର ମାଢ଼ି ଦାନ୍ତ ଉଠିଥିଲା। ଫଳରେ ସେମାନଙ୍କ ରିଷ୍ଟ ପଡ଼ିଥିବା କୁହାଗଲା। ତେବେ ରିଷ୍ଟ ଖଣ୍ଡନ ପାଇଁ ଉଭୟଙ୍କ ବାହାଘର କୁକୁର ସହ କରାଯାଇଛି। ମାଛୁଆଙ୍କ ପୁଅ ସହ ଏକ ମାଈ କୁକୁର ଏବଂ ମାନସଙ୍କ ଝିଅ ସହ ଏକ ଅଣ୍ଡିରା କୁକୁରର ବାହାଘର ହୋଇଛି। ଆଜି ସକାଳେ ମଛୁଆ ଓ ମାନସଙ୍କ ଘରକୁ ସାହିର ୭ଟି ଘରୁ ହଳଦୀ, ସୋରିଷ ତେଲ ଓ ବାଡ଼ୁଅ ପାଣି ଆସିଥିଲା। ପରେ ଉଭୟ ପିଲାଙ୍କୁ ଗ୍ରାମର ଏକ ଚାରିଛକ ସ୍ଥାନକୁ ନିଆଯାଇଥିଲା। ସେଠାରେ ସୂର୍ଯ୍ୟ ଓ ଗ୍ରାମ ଦେବାଦେବୀଙ୍କ ପୂଜା କରାଯିବା ସହ ସେମାନଙ୍କୁ ବାଡ଼ୁଅ ପାଣିରେ ଗାଧୋଇ ଦିଆଯାଇଥିଲା। ପରେ ସିନ୍ଦୂର ଓ ଗହଣା ଦେଇ କୁକୁର ସହ ସେମାନଙ୍କ ବାହାଘର ହୋଇଥିଲା। ବାହାଘର ପରେ ସମସ୍ତେ ଘରୁ ଫେରିଥିଲେ। ଭୋଜିଭାତର ମଜା ନେବା ସହ ନାଚଗୀତରେ ମସଗୁଲ ହୋଇଥିଲେ।

ତେବେ ଏପରି ପରମ୍ପରକୁ ବିଭିନ୍ନ ମହଲରେ ନାପସନ୍ଦ କରାଯାଇଛି। ଦାନ୍ତ କେଉଁଠି ଆଗ ବାହାରିବ, ତାହା ଶରୀର ବିଜ୍ଞାନ ଉପରେ ନିର୍ଭର କରେ। ଉପର ମାଢ଼ିରେ ପ୍ରଥମ ଦାନ୍ତ ବାହାରିଲେ ତାକୁ ରିଷ୍ଟ ବୋଲି କହିବ‌ା ଏବଂ ଅନ୍ଧବିଶ୍ବାସର ବଶବର୍ତ୍ତୀ ହୋଇ କୁକୁର ସହ ବାହାଘର କରିବା ଉଚିତ ନୁହେଁ ବୋଲି ବୁଦ୍ଧିଜୀବୀମାନେ ମତ ରଖିଛନ୍ତି।

ସମ୍ବନ୍ଧିତ ଖବର