କର୍ପୋରେଟର୍‌ଙ୍କ ରିପୋର୍ଟ କାର୍ଡ: ହଟୁନି ଜବରଦଖଲ, ସଫେଇ ସମସ୍ୟା

ୱାର୍ଡ ନମ୍ବର-୫୫

ପୁରୁଣା ଭୁବନେଶ୍ବର: ବିଏମ୍‌ସି ୫୫ ନମ୍ବର ୱାର୍ଡ ରାଜଧାନୀର ଅନ୍ୟତମ ବିକଶିତ ଅଞ୍ଚଳ। ଏଠାରେ ବହୁ ବିକାଶମୂଳକ କାମ ହୋଇଛି। କିନ୍ତୁ ଏବେ ବି ଏଠାରେ ଜବରଦଖଲ ବିକାଶର ବାଧକ ସାଜୁଛି। ଶିଶୁ ଉଦ୍ୟାନ ପାଇଁ ଜବରଦଖଲ ହଟାଯାଇଥିଲେ ହେଁ ଏକ କମ୍ୟୁନିଟି ହଲ୍‌ ନିର୍ମାଣ ପାଇଁ ଜବରଦଖଲ କଣ୍ଟା ହୋଇରହିଛି। ସେହିଭଳି ଏଠାରେ ସଫେଇ ଏକ ବଡ଼ ସମସ୍ୟା ହୋଇରହିଛି। ନାଗେଶ୍ବରଟାଙ୍ଗୀ, ଗୌତମନଗର ବସ୍ତିରେ ନିୟମିତ ସଫେଇ ହେଉନାହିଁ ବୋଲି ଅଭିଯୋଗ ହେଉଛି। ପୂର୍ବରୁ ସଫେଇ କାମ ଗୋଟିଏ ସଂସ୍ଥା କରୁଥିଲା। ଏବେ ୩ଟି ସଂସ୍ଥା କରୁଛି। କିନ୍ତୁ ପୂର୍ବ ଭଳି ଅବ୍ୟବସ୍ଥା ଲାଗିରହିଛି। ତିନି ସଂସ୍ଥା ମଧ୍ୟରେ ସମନ୍ବୟ ନଥିବାରୁ ସଫେଇ କାମ ଠିକରେ ହୋଇପାରୁନାହିଁ। ଅନ୍ୟ ଏକ ପ୍ରମୁଖ ସମସ୍ୟା ହେଉଛି ନାଗେଶ୍ବର ଟାଙ୍ଗୀ ହାଟ। ରାଜଧାନୀର ଏକ ବିକଶିତ ଅଞ୍ଚଳରେ ଥିବା ଏହି ହାଟରେ ଗାଁ ହାଟର ଚିତ୍ର ଦେଖିବାକୁ ମିଳେ। ଚାଳ ଛପର ଘରେ ଚାଲିଛି ହାଟପିଣ୍ଡି। ଏଏସ୍ଆଇଠାରୁ ଅନୁମତି ମିଳୁ ନଥିବାରୁ ନାଗେଶ୍ବର ଟାଙ୍ଗୀ ହାଟର ବିକାଶ କାମ କରିହେଉନାହିଁ। ଫଳରେ ଉଭୟ ବେପାରୀ ଓ ସ୍ଥାନୀୟ ଗ୍ରାହକମାନେ ବଡ଼ ଦୟନୀୟ ଅବସ୍ଥାରେ ଏଠାରେ କିଣାବିକା କରୁଛନ୍ତି।

ଏହି ୱାର୍ଡ ସବୁବେଳେ ବିଜେଡି କବ୍‌ଜାରେ ରହିଆସିଛି। ‌ଏବେ କର୍ପୋରେଟର ନୃପେଶ କୁମାର ନାୟକ ବିଭିନ୍ନ ଉନ୍ନୟନ କାମ କରାଇଛନ୍ତି। ଗୌତମନଗର, ନାଗେଶ୍ବରଟାଙ୍ଗୀ ଦଳିତ ସାହିରେ ୩ଟି କମ୍ୟୁନିଟି ହଲ୍‌ ନିର୍ମାଣ ହୋଇଛି। ସେହିଭଳି ହାଉସିଂବୋର୍ଡ କଲୋନିରେ ମଧ୍ୟ କମ୍ୟୁନିଟି ହଲ୍‌ ନିର୍ମାଣ ସରିଛି। ଗୌତମନଗରରେ ଆଉ ଏକ କମ୍ୟୁନିଟି ହଲ୍‌ ଓ ଶିଶୁ ଉଦ୍ୟାନ ପାଇଁ ୬୦ ଲକ୍ଷ ଟଙ୍କା ଅନୁଦାନ ମିଳିଛି। ଶିଶୁ ଉଦ୍ୟାନ ପାଇଁ ଜବରଦଖଲ ଉଚ୍ଛେଦ ‌ହୋଇଥିଲେ ହେଁ କୁମ୍ୟନିଟି ହଲ୍‌ ପାଇଁ ଜବରଦଖଲ ବାଧକ ସାଜିଛି। ସୁଡା ଅଫିସ୍‌ଠାରୁ ନାଗେଶ୍ବର ହାଟ ପର୍ଯ୍ୟନ୍ତ ହରିହର ବିଦ୍ୟାପୀଠ ରାସ୍ତାକୁ ସ୍ମାର୍ଟ ସିଟି ଢାଞ୍ଚା‌ରେ କରାଯିବା ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇ ଶୁଭ ଦିଆଯାଇଛି। ବିଜୟରାମ ଆପାର୍ଟମେଣ୍ଟ ନିକଟରୁ ବିବେକାନନ୍ଦ ମାର୍ଗ, ରଶ୍ମି ଟାୱାର ନିକଟରୁ ବିବେକାନନ୍ଦ ମାର୍ଗ, ପୁରୁଣା ଇଲେକ୍ଟ୍ରି ଅଫିସ୍‌ ରୋଡ଼୍‌, ରାମକୃଷ୍ଣ ଲାଇବ୍ରେରି କଡ଼ ସ୍ମାର୍ଟ ସିଟି ରାସ୍ତା ପାଇଁ ଟେଣ୍ଡର ସରିଛି।

ନାଗେଶ୍ବରଟାଙ୍ଗୀ ହାଟର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି

ନାଗେଶ୍ବରଟାଙ୍ଗୀ ହାଟର ପୁନରୁଦ୍ଧାର ପାଇଁ ଉଦ୍ୟମ ଜାରି ରହିଛି। ଏଏସ୍ଆଇ ଘରୋଇ କୋଠା ନିର୍ମାଣ ପାଇଁ ଅନୁମତି ଦେଉଥିବା ବେଳେ ହାଟର ବିକାଶ ପାଇଁ ଛୋଟମୋଟ ନିର୍ମାଣକୁ ଅନୁମତି ଦେଉନାହିଁ। ଏହି ୱାର୍ଡର ଅଧିକାଂଶ ରାସ୍ତାରେ ପିଚୁ, ପେଭର୍‌ ବ୍ଲକ୍‌ ପଡ଼ିଛି ଏବଂ ଆଲୋକୀକରଣ ହୋଇଛି। ପ୍ରାୟ ସବୁ ରାସ୍ତାରେ ଷ୍ଟ୍ରିଟ୍‌ ଲାଇଟ୍‌ ଲାଗିଛି। ବସ୍ତି ଅଞ୍ଚଳରେ ପାନୀୟ ଜଳ ସମସ୍ୟା ନାହିଁ। ବିଭିନ୍ନ ସାମାଜିକ ସୁରକ୍ଷା ଯୋଜନାରେ ଲୋକଙ୍କୁ ସାମିଲ୍ କରାଯାଇଛି। ଏହି ୱାର୍ଡକୁ ସବୁଜବଳୟ କରିବାକୁ ୪ହଜାର ଗଛ ଲଗାଯାଇଛି। ସଫେଇ ସମସ୍ୟା ସୁଧାରିବାକୁ ଏଠାରେ ଗୋଟିଏ ସଂସ୍ଥାକୁ ଦାୟିତ୍ବ ନେବାକୁ କର୍ପୋରେସନ୍‌ ବୈଠକରେ ଦାବି ହୋଇଛି। ମ୍ୟୁଜିୟମ୍‌ ଛକଠୁ ରାମେଶ୍ୱରପାଟଣା ଛକ, ମାଉସୀ’ମା ଛକରୁ ତିନି ମୁଣ୍ଡିଆ ଛକ ରାସ୍ତାର ଦୁଇ ପାର୍ଶ୍ବରେ ଫେବର ବ୍ଲକ ପକାଯିବ। ଅସୁଲକିଆରୀ କଲଭର୍ଟର ପୁନରୁଦ୍ଧାର କାମ ଖୁବ୍‌ ଶୀଘ୍ର ଆରମ୍ଭ ହେବ।
ନୃପେଶ କୁମାର ନାୟକ, କର୍ପୋରେଟର

 

ସମ୍ବନ୍ଧିତ ଖବର