ବିବିସି ବିରୋଧରେ ଫେମା ଉଲ୍ଲଂଘନ ନେଇ ଇଡିର ତଦନ୍ତ ଜାରି, ପ୍ରମୁଖ ଅଧିକାରୀଙ୍କୁ ଜେରା

ନୂଆଦିଲ୍ଲୀ : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ବ୍ରିଟିସ ବ୍ରୋଡକାଷ୍ଟିଂ କର୍ପୋରେସନ (ବିବିସି) ବିରୋଧରେ ଫେମା (ଫରେନ ଏକ୍ସଚେଞ୍ଜ ମ୍ୟାନେଜମେଣ୍ଟ ଆକ୍ଟ) ଅନୁଯାୟୀ ବିଦେଶୀ ପ୍ରତ୍ୟକ୍ଷ ପୁଞ୍ଜିନିବେଶ (ଏଫ୍‌ଡିଆଇ) ଆଇନ ଉଲ୍ଲଂଘନ ନେଇ ତଦନ୍ତ ଆରମ୍ଭ କରିଛି। ବିବିସିର ପ୍ରମୁଖ ଅଧିକାରୀମାନଙ୍କୁ ଜେରା କରିବା ସହ ଏହା ସେମାନଙ୍କ ବୟାନ ରେକର୍ଡ କରୁଥିବା ଜଣାପଡ଼ିଛି।

ଗତ ଦୁଇ ସପ୍ତାହ ଭିତରେ ଇଡି ଅତି କମ୍‌ରେ ୬ ଜଣ ବିବିସି ଅଧିକାରୀଙ୍କୁ ନିଜ କାର୍ଯ୍ୟାଳୟକୁ ଡକାଇ ସେମାନଙ୍କ ବିବୃତି ରେକର୍ଡ କରି ସାରିଲାଣି। ସେମାନଙ୍କୁ ମଧ୍ୟ ଆର୍ଥିକ କାରବାର ସମ୍ବନ୍ଧୀୟ ନିର୍ଦ୍ଦିଷ୍ଟ ରେକର୍ଡ ଇଡି କାର୍ଯ୍ୟାଳୟରେ ଦାଖଲ କରିବାକୁ କୁହାଯାଇଛି। ଗତ ଫେବ୍ରୁଆରି ମାସରେ ବିବିସିର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟାଳୟ ଉପରେ ଆୟକର ବାଲା ଚଢ଼ଉ କରିଥିଲେ। ସେମାନେ ବିବିସିର ଆର୍ଥିକ କାରବାର ସମ୍ବନ୍ଧରେ ଯେଉଁ ଅନିୟମିତତାର ସୁରାକ ପାଇଥିଲେ ତାହାକୁ ଭିତ୍ତି କରି ଇଡି ଦ୍ବାରା ଏହି ତଦନ୍ତ ଆରମ୍ଭ କରାଯାଇଛି।

ସୂଚନାଯୋଗ୍ୟ, ବିବିସି ଭାରତରେ ଯେଉଁ ହାରରେ କାରବାର କରୁଛି, ସେହି ଅନୁସାରେ ଯେତିକି ଆୟ କରିବା କଥା ତାହା ଦର୍ଶାଉ ନାହିଁ କି ତଦନୁପାତିକ ଟିକସ ଦେଉ ନାହିଁ ବୋଲି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଗତ ଫେବ୍ରୁଆରି ମାସରେ ଏକ ବିବୃତିରେ କୁହାଯାଇଥିଲା। ତା’ ଛଡ଼ା ଆୟକର ଅଧିକାରୀମାନେ ମଧ୍ୟ ବିବିସି ଦ୍ବାରା କରାଯାଇଥିବା ଅନେକ ଅନିୟମିତତାର ଟେର ପାଇଥିଲେ।

ସମ୍ବନ୍ଧିତ ଖବର