ମରିଗଲା ମାନବିକତା : ଅଟୋ ଭିତରେ ୯ ଘଣ୍ଟା ରହିଲା ଶିକ୍ଷକଙ୍କ ଶବ

ଜଗନ୍ନାଥପ୍ରସାଦ : ଘଣ୍ଟାଏ ନୁହେଁ କି ୨ ଘଣ୍ଟା ନୁହେଁ, ଦୀର୍ଘ ୯ ଘଣ୍ଟା କାଳ ଧରି ଅଟୋରେ ପଡ଼ି ରହିଥିଲା ଅବସରପ୍ରାପ୍ତ ଶିକ୍ଷକଙ୍କ ଶବ। କାନ୍ଦି କାନ୍ଦି ଲୋଟି ପଡ଼ୁଥିଲେ ପତ୍ନୀ। ହେଲେ କରୋନା ମହାମାରୀର ଭୟ ଏମିତି ଘାରିଥିଲା ଯେ ଶବକୁ କାନ୍ଧ ଦେବା ତ ଦୂରର କଥା, ଅଟୋରୁ ଓହ୍ଲାଇ ଘର ବାରଣ୍ଡାକୁ ଆଣି ଦେବାକୁ କେହିବି ଉଚିତ୍ ମଣି ନଥିଲେ। ଯେଉଁ ଶିକ୍ଷକ ଦିନେ ସମସ୍ତଙ୍କ ପାଇଁ ପଥପ୍ରଦର୍ଶକ ସାଜିଥିଲେ, ଆଜି ସେ ସମସ୍ତଙ୍କ ପାଇଁ ଅଲୋଡ଼ା ପାଲଟିଯାଇଥିଲେ। ଯେଉଁ ସମ୍ପର୍କୀୟ ଓ ସାହିବାସିନ୍ଦା ସୁବିଧା ଅସୁବିଧାରେ ଆସି ଘର ଆଗରେ ଠିଆ ହେଉଥିଲେ ସେମାନେ ପାଖତଡ଼ ମାଡ଼ି ନଥିଲେ। ୯ ଘଣ୍ଟା କାଳ ଅପେକ୍ଷା ପରେ ପୁଅ ଓ ଜ୍ବାଇଁ ଫେରିଥିଲେ। ଆଉ ସରପଞ୍ଚଙ୍କ ସ୍ବାମୀଙ୍କ ସହାୟତାରେ ଶବକୁ ଉଠାଯାଇଲା। ପୁଅ ଓ ଜ୍ବାଇଁଙ୍କ ସହ ଗାଁର ଆଉ ୪ ଜଣ ଯୁବକ ପିପିଇ କିଟ୍ ପିନ୍ଧି ଶବକୁ ସଂସ୍କାର ପାଇଁ ଶ୍ମଶାନକୁ ନେଇଥିଲେ। ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ ପଞ୍ଚଭୂତି ଗ୍ରାମ ଗୌଡ଼ ସାହିରୁ ଏଭଳି ଏକ ଅମାବନୀୟ ଦୃଶ୍ୟ ସାମ୍ନାକୁ ଆସିଛି।

ମିଳିଥିବା ସୂଚନାନୁସ‌ାରେ, ଗୌଡ଼ସାହିର ଅବସରପ୍ରାପ୍ତ ଶିକ୍ଷକ ଗଣେଶ ଶତପଥୀ (୭୦)ଙ୍କୁ ୪ ଦିନ ହେଲା ଜ୍ବର ହେଉଥିଲା। ଏହାର କିଛିଦିନ ଆଗରୁ ତାଙ୍କ ବଡ଼ଭାଇ ବିନାୟକ ଶତପଥୀ ଅସୁସ୍ଥତା କାରଣରୁ ପ୍ରାଣ ହରାଇଥିଲେ। ଆଜି ଗଣେଶଙ୍କ ଅବସ୍ଥା ଗୁରୁତର ହେବାରୁ ପତ୍ନୀ ପୁଷ୍ପଲତା ତାଙ୍କୁ ଏକ ଅଟୋରେ ଜଗନ୍ନାଥପ୍ରସାଦ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। କିନ୍ତୁ ଡାକ୍ତର ସେଠାରେ ଗଣେଶଙ୍କୁ ମୃତ ଘୋଷଣା କରିବାରୁ ପୁଷ୍ପଲତା ସେହି ଅଟୋରେ ହିଁ ଗଣେଶଙ୍କ ଶବକୁ ଧରି ସକାଳ ସ‌ାଢ଼େ ୯ଟାରେ ଗାଁକୁ ଫେରିଥିଲେ। ସେତେବେଳକୁ ଗଣେଶଙ୍କ ମୃତ୍ୟୁ ଖବର ଗାଁ ସାରା ପ୍ରଚାର ହୋଇସାରିଥିଲା। ଅଟୋ ପହଞ୍ଚିବା ପରେ ଶବକୁ ଓହ୍ଲାଇ ଦେବାକୁ ପୁଷ୍ପଲତା ବାରମ୍ବାର କାକୁତିମିନତି ହୋଇଥିଲେ। କିନ୍ତୁ କରୋନା ଭୟରେ କୌଣସି ଗ୍ରାମବାସୀ ପାଖ ମାଡ଼ି ନଥିଲେ। ସାରାଦିନ ଅଟୋ ପାଖରେ ଗଣେଶଙ୍କ ଶବକୁ ଅସହାୟ ପୁଷ୍ପଲତା ଜଗି ରହିବା ସହ ଝାରସୁଗୁଡ଼ାରେ ରହୁଥିବା ପୁଅକୁ ଖବର ଦେଇଥିଲେ।

ଅପରାହ୍‌ଣ ୪ଟାରେ ପୁଅ ପ୍ରତାପ ଶତପଥୀ ଓ ଜ୍ବାଇଁ ଗାଁରେ ପହଞ୍ଚିଥିଲେ। ବାପାଙ୍କ ଶବକୁ ଓହ୍ଲାଇ ଦାହ କରିବା ଲାଗି ସ‌େ ସରପଞ୍ଚ ପ୍ରମିଳା ଦୋରାଙ୍କ ସ୍ବାମୀ ଗୋକୁଳ ଦୋରାଙ୍କ ସହାୟତା ମାଗିଥିଲେ। ଅନୁ‌ରୋଧ ରକ୍ଷା କରି ସରପଞ୍ଚଙ୍କ ସ୍ବାମୀ ସଂଗେ ସଂଗେ ଗ୍ରାମରୁ ୪ଜଣ ଯୁବକଙ୍କୁ ବୁଝାସୁଝା କରିବାରେ ସଫଳ ହୋଇଥିଲେ। ଆଉ ଉକ୍ତ ୪ ଜଣ ଯୁବକଙ୍କ ସହ ପୁଅ ଓ ଜ୍ବାଇଁ ପିପିଇ କିଟ୍ ପିନ୍ଧି ଶବକୁ ଅଟୋରୁ ଓହ୍ଲାଇ ସଂସ୍କାର ପାଇଁ ନେଇଥିଲେ। ସରପଞ୍ଚଙ୍କ ସ୍ବାମୀଙ୍କ ଏହି ଉଦ୍ୟମ ସଭିଙ୍କ ପାଇଁ ଉଦାହରଣ ପାଲଟିଛି ବୋଲି କହିଲେ ଅତ୍ୟୁକ୍ତି ହେବନି।

ସମ୍ବନ୍ଧିତ ଖବର