ଅନୁକମ୍ପାମୂଳକ ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ମାଲକାନଗିରିରେ କାଳବୈଶାଖୀରେ ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ, ସମୁଦ୍ରରେ ବୁଡ଼ି ମୃତ୍ୟୁବରଣ କରିଥିବା ଛାତ୍ରୀଙ୍କ ପରିବାରକୁ ୪ ଲକ୍ଷ

ଭୁବନେଶ୍ବର : ଗତକାଲି ମାଲକାନଗିରି ଜିଲ୍ଲାରେ କାଳବୈଶାଖୀ ଯୋଗୁ ବ୍ୟାପକ କ୍ଷୟକ୍ଷତି ସହିତ ଦୁଇଟି ଭିନ୍ନ ଭିନ୍ନ ଦୁର୍ଘଟଣାରେ ଚାରି ଜଣ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏଥି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ଗଭୀର ସମବେଦନା ଜଣାଇବା ସହିତ ମୃତକଙ୍କ ନିକଟତମ ଆତ୍ମୀୟମାନଙ୍କ ପାଇଁ ଚାରି ଲକ୍ଷ ଟଙ୍କା ଲେଖାଏ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ସହାୟତା ପ୍ରଦାନ କରିବା ପାଇଁ ସେ ସ୍ୱତନ୍ତ୍ର ରିଲିଫ କମିସନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ ଆହତମାନଙ୍କୁ ବିନା ମୂଲ୍ୟରେ ଉନ୍ନତମାନର ଚିକିତ୍ସା ଯୋଗାଇଦେବାକୁ କୁହାଯାଇଛି। ସୂଚନାଯୋଗ୍ୟ ଯେ, କାଳବୈଶାଖୀ ଯୋଗୁ ମାଲକାନଗିରିରେ ଡଙ୍ଗା ବୁଡ଼ି ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏୟାରଷ୍ଟ୍ରିପର ପାଚେରୀ ଭୁଶୁଡ଼ି ଦୁଇଜଣଙ୍କ ମୃତ୍ୟୁ ଘଟିଛି।

ସେହିପରି ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ଆର୍ଯ୍ୟପଲ୍ଲୀ ସମୁଦ୍ର କୂଳରେ ଗାଧୋଇବା ବେଳେ ଦୁଇଜଣ ଛାତ୍ରୀଙ୍କ ମୃତ୍ୟୁ ଯୋଗୁ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ସେମାନଙ୍କ ପରିବାରର ନିକଟତମ ଆତ୍ମୀୟଙ୍କୁ ଚାରି ଲକ୍ଷ ଟଙ୍କା ଲେଖାଏ ସହାୟତା ଘୋଷଣା କରିଛନ୍ତି।

ସମ୍ବନ୍ଧିତ ଖବର