ମା କୋଳରୁ ପୁଅକୁ ଟାଣିନେଲା କୁମ୍ଭୀର

ପଟ୍ଟାମୁଣ୍ଡାଇ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ବ୍ଲକ୍‌ ନିମପୁର ଗ୍ରାମରେ ଆଜି ଏକ ହୃଦୟବିଦାରକ ଘଟଣା ଘଟିଛି। ବ୍ରାହ୍ମଣୀ ନଦୀର ନିମପୁର ଗ୍ରାମ ନିକଟ ବାଉଁଶବାଡ଼ି ଘାଟରେ ଗାଧୋଉଥିବା ବେଳେ ମା କୋଳରୁ ୧୦ ବର୍ଷର ପୁଅକୁ କୁମ୍ଭୀର ଟାଣି ନେଇଛି। ପୁଅର କ୍ଷତବିକ୍ଷତ ମୃତଦେହ ଉଦ୍ଧାର କରାଯିବା ପରେ ଗ୍ରାମର ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ମୃତ ଶିଶୁପୁତ୍ର ଜଣକ ହେଉଛନ୍ତି ନିମପୁର ଗ୍ରାମରେ ଅଶୋକ ଆଚାର୍ଯ୍ୟ ଓ ପୁଷ୍ପ ଆଚାର୍ଯ୍ୟଙ୍କ ଏକମାତ୍ର ପୁଅ ଆଶୁତୋଷ(୧୦)। ସେ ପଞ୍ଚମ ଶ୍ରେଣୀରେ ପଢୁଥିଲେ।

ଆଶୁତୋଷ ଆଜି ସକାଳ ପ୍ରାୟ ୭ଟା ବେଳେ ମାଙ୍କ ସହ ବ୍ରାହ୍ମଣୀନଦୀର ବାଉଁଶବାଡ଼ି ଘାଟକୁ ଗାଧୋଇବାକୁ ଯାଇଥିଲେ। ମାଙ୍କ କୋଳରେ ବସି ଗାଧୋଉଥିବା ବେଳେ ପାଣିରେ ଲୁଚି ରହିଥିବା ଏକ ବିରାଟକାୟ କୁମ୍ଭୀର ଝାମ୍ପ ମାରି ମା କୋଳରୁ ଆଶୁତୋଷଙ୍କୁ ପାଣି ଭିତରକୁ ଟାଣି ନେଇ ପଳାଇଥିଲା। ମା ପୁଷ୍ପଙ୍କ ଆର୍ତ୍ତଚିତ୍କାର ଶୁଣି କିଛି ଦୂରରେ ଗୋଧୋଉଥିବା ଲୋକମାନେ ସେଠାକୁ ଦୌଡ଼ି ଆସିଥିଲେ। ତୁରନ୍ତ ଅଗ୍ନିଶମ କର୍ମଚାରୀଙ୍କୁ ଖବର ଦିଆଯାଇଥିଲା।
କୁମ୍ଭୀରଟି ନଈ ମଝିରେ ଆଶୁତୋଷଙ୍କୁ କାମୁଡ଼ି ଧରି ପ୍ରାୟ ଘଣ୍ଟାଏ କାଳ ଭାସୁଥିବା ଦେଖିବାକୁ ମିଳିଥିଲା। ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିବାରେ ବିଳମ୍ବ ହେବାରୁ ସ୍ଥାନୀୟ ଲୋକେ ଡଙ୍ଗା ଯୋଗାଡ଼ କରି ନଈ ଭିତରକୁ ଯାଇ ବାଉଁଶ ସାହାଯ୍ୟରେ କୁମ୍ଭୀର କବଳରୁ ଆଶୁତୋଷଙ୍କୁ କ୍ଷତବିକ୍ଷତ ଅବସ୍ଥାରେ ଉଦ୍ଧାର କରିଥିଲେ। ସେତେବେଳକୁ ଆଶୁତୋଷଙ୍କ ମୃତ୍ୟୁ ଘଟି ସାରିଥିଲା। ଘଟଣାର ପ୍ରାୟ ୪ ଘଣ୍ଟା ପରେ ଅଗ୍ନିଶମ କର୍ମଚାରୀମାନେ ପହଞ୍ଚିଥିଲେ। ଏହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଲୋକେ ସେମାନଙ୍କୁ ଘାଟ ନିକଟକୁ ଛାଡ଼ି ନ ଥିଲେ। ଅଗ୍ନିଶମ କର୍ମଚାରୀ ବିଳମ୍ବରେ ପହଞ୍ଚିବା ପ୍ରତିବାଦରେ ଗ୍ରାମବାସୀ ଆଶୁତୋଷଙ୍କ ମୃତଦେହ ରଖି ପଟ୍ଟାମୁଣ୍ଡାଇ-ରାଜନଗର ରାସ୍ତାର ନିମପୁରଠାରେ ରାସ୍ତାରୋକ କରିଥିଲେ। ପଟ୍ଟାମୁଣ୍ଡାଇ ତହସିଲଦାର ଦିଲ୍ଲୀପ କୁମାର ଆଚାର୍ଯ୍ୟ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା।

ଅଗ୍ନିଶମ ବାହିନୀ ଠିକ୍‌ ସମୟରେ ପହଞ୍ଚିଥିଲେ ହୁଏତ ଆଶୁତୋଷଙ୍କ ଜୀବନ ବଞ୍ଚି ପାରିଥାନ୍ତା ବୋଲି ନିମପୁର ଗ୍ରାମ୍ୟ କମିଟି ସଭାପତି ଗଗନ ବିହାରୀ ଭୂୟାଁ ଓ ସଂପାଦକ ବିଜୟ ଆଚାର୍ଯ୍ୟ କହିଛନ୍ତି। ଏଭଳି ଦାୟିତ୍ବହୀନତା ପାଇଁ ଅଗ୍ନିଶମ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର