ଶ୍ରୀମନ୍ଦିର ପାଇଁ ଗୃହ କମିଟିକୁ ସମୟ ନାହିଁ, ବୈଠକ ବସୁନି କି ପୁରୀ ଗସ୍ତ ଚୂଡ଼ାନ୍ତ ହେଉନି

ସୀମା, ମହାନଦୀ ସଂକ୍ରାନ୍ତ ଗୃହ କମିଟିର ବି ସମାନ ଦଶା

ଭୁବନେଶ୍ବର: ମାର୍ଚ୍ଚ ୨୮, ୨୦୨୨। ଶ୍ରୀମନ୍ଦିରର ସୁରକ୍ଷାକୁ ନେଇ ବିଧାନସଭା ଗୃହରେ ଭୀଷଣ ଉଦ୍‌ବେଗ ପ୍ରକାଶ ପାଇଲା। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଯୋଗୁ ଶ୍ରୀମନ୍ଦିର ପ୍ରତି ବିପଦ ରହିଛି ବୋଲି ଅଭିଯୋଗ ଉଠିଲା। ଦୁଇ ବିରୋଧୀ ଦଳ ବିଜେପି ଓ କଂଗ୍ରେସ ଗୃହ କମିଟି ପାଇଁ ଦାବି ଉଠାଇଲେ। ପ୍ରସଙ୍ଗଟି ସମ୍ବେଦନଶୀଳ ଥିବାରୁ ସରକାର ବି ବିରୋଧୀଙ୍କ ଦାବିକୁ ଏଡ଼ାଇଗଲେ ନାହିଁ। ତୁରନ୍ତ କମିଟି ଗଠନ ପାଇଁ ସମ୍ମତି ଜଣାଇଲେ। ମାର୍ଚ୍ଚ ୩୧,୨୦୨୨। ବିଧାନସଭା ଅଧିବେଶନର ଶେଷ ଦିବସରେ ଗୃହ କମିଟି ଗଠନ ହେଲା। ଖୋଦ୍ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଏକ ଆଠ ଜଣିଆ କମିଟି ଗଠନ ହେଲା। ଦୁଇ ମନ୍ତ୍ରୀଙ୍କ ସମେତ ତିନି ଦଳର ବିଧାୟକ ସେଥିରେ ସଦସ୍ୟ ରହିଲେ। ଉଦ୍ଦେଶ୍ୟ ଥିଲା ଏହି କମିଟି ପୁରୀ ଗସ୍ତ କରିବ ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ବାରା ଶ୍ରୀମନ୍ଦିର ପ୍ରତି ବିପଦ ଅଛି କି ନାହିଁ ତାହା ଯାଞ୍ଚ୍‌ କରି ରିପୋର୍ଟ ଦେବ। ଏହା ମଧ୍ୟରେ ୧୭ ଦିନ ବିତିଗଲାଣି। ଏତିକି ଦିନ ମଧ୍ୟରେ ବିଧାନସୌଧରୁ ଶ୍ରୀମନ୍ଦିର ୬୫ କିଲୋମିଟର ଯିବାକୁ ଗୃହ କମିଟିର ସଦସ୍ୟମାନେ ସମୟ ପାଇ ନାହାନ୍ତି। କମିଟି କେବେ ପୁରୀ ଯାଇ ଶ୍ରୀମନ୍ଦିର ସୁରକ୍ଷା ଯାଞ୍ଚ୍‌ କରିବ, ତାହାର ଦିନ ଧାର୍ଯ୍ୟ ବି ଏ ଯା‌ଏ ହୋଇପାରୁନି। ଏପରିକି କମିଟିର ବୈଠକ ଥରୁଟିଏ ବସିନାହିଁ। ଥରେ ବୈଠକ ଡକାଯାଇଥିଲା। କିନ୍ତୁ ବୈଠକ ଆରମ୍ଭ ହେବାର କିଛି ସମୟ ଆଗରୁ ତାହାକୁ ବାତିଲ କରିଦିଆଗଲା। କମିଟି ଗସ୍ତ କରିବାରେ କାହିଁକି ବିଳମ୍ବ ହେଉଛି,
ତାହାର ଠୋସ୍‌ ଉତ୍ତର ବି କାହା ପାଖରେ ନାହିଁ।

ଶ୍ରୀମନ୍ଦିର ସହ ପ୍ରତ୍ୟେକଟି ଓଡ଼ିଆଙ୍କ ଭାବାବେଗ ଜଡ଼ିତ ରହିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଦ୍ବାରା ଶ୍ରୀମନ୍ଦିରକୁ କ୍ଷତି ହେବ କି ନାହିଁ, ତାହାକୁ ନେଇ ବିବାଦ ଜୋର୍‌ ଧରିଛି। ଶାସକ ଓ ବିରୋଧୀ ପରସ୍ପରର ମୁହାଁମୁହିଁ ହୋଇଛନ୍ତି। ଉଭୟ ପରସ୍ପରକୁ ଆରୋପ ଲଗାଉଛନ୍ତି। କିନ୍ତୁ ସାଧାରଣ ଜନତାଙ୍କ ପାଖରେ ସତ କ’ଣ ତାହା ପହଞ୍ଚିପାରୁ ନାହିଁ। ସମ୍ପୂଣ୍ଣ ପ୍ରସଙ୍ଗଟି ଗୋଳିଆ ହୋଇଯାଇଛି ଓ ମହାପ୍ରଭୁଙ୍କୁ ନେଇ ରାଜନୈତିକ ଖେଳ ସୀମା ଲଂଘୁଛି। ବିଧାନସଭା ଗୃହ କମିଟିରେ ସବୁ ଦଳର ବିଧାୟକ ସଦସ୍ୟ
ଥିବାରୁ ଏହି କମିଟିର କ୍ଷେତ୍ର ସ୍ତରରେ ଯାଞ୍ଚ୍ କରିବା ବେଶ୍ ଗୁରୁତ୍ବ ବହନ କରୁଛି। କମିଟି ଯାଞ୍ଚ୍‌ କଲେ ସତ କ’ଣ ପଦାକୁ ଆସିବାର ସମ୍ଭାବନା ରହିଛି। କିନ୍ତୁ ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ଗୃହ କମିଟି ତତ୍ପରତା ପ୍ରକାଶ ନ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ପ୍ରଶ୍ନ ଉଠୁଛି, ଯଦି ପ୍ରସଙ୍ଗଟି ବାସ୍ତବରେ ଗୁରୁତ୍ବପୂଣ୍ଣ ଓ ସମ୍ବେଦନଶୀଳ ବୋଲି ବିଧାନସଭା ଗୃହ ଅନୁଭବ କଲା, ତେବେ ମହାପ୍ରଭୁଙ୍କ ପାଇଁ କମିଟି କିଛି ସମୟ ବାହାର କରିବାକୁ ଏତେ ଦିନ କାହିଁକି ‌ଲାଗୁଛି ? ସତରେ ମହାପ୍ରଭୁଙ୍କ ପାଇଁ ବିଧାୟକମାନେ ଚିନ୍ତିତ ନା କେବଳ ଲୋକଦେଖାଣିଆ ଭାବେ କମିଟି ଗଠନ ହୋଇଛି?

ଅତୀତ‌ରେ ଏମିତି ଅନେକ ପ୍ରସଙ୍ଗରେ ଗୃହ କମିଟି ଗଠନ ହୋଇଥିଲେ ବି ତାହା ଫଳପ୍ରଦ ହୋଇପାରି ନାହିଁ। ସେଥି ପାଇଁ ଶ୍ରୀମନ୍ଦିର ସୁରକ୍ଷା ସଂକ୍ରାନ୍ତୀୟ ଗୃହ କମିଟିର ପ୍ରାସଙ୍ଗିକତା ନେଇ ସନ୍ଦେହ ସୃଷ୍ଟି ହେବା ସ୍ବାଭାବିକ। ୨୦୧୭ ମସିହା ଡିସେମ୍ବର ମାସରେ ମହାନଦୀ ବିବାଦରେ ବିଧାନସଭାରେ ଏକ ଗୃହ କମିଟି ଗଠନ କରାଯାଇଥିଲା। ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ସବୁ ଦଳର ବିଧାୟକ ସଦସ୍ୟ ଥିଲେ। କିନ୍ତୁ ଏହି କମିଟି ମହାନଦୀ ବିବାଦ ପ୍ରସଙ୍ଗରେ ଓଡ଼ିଶାର ସ୍ବାର୍ଥସାଧନ ପାଇଁ କ’ଣ କଲା, ତାହା ରାଜ୍ୟବାସୀ ଜାଣିପାରିଲେ ନାହିଁ। ସେହି ସମୟରେ ମହାନଦୀ ବିବାଦ ଉଗ୍ର ଥିବାରୁ କମିଟି ଗଠନ କରି ସାମୟିକ ଭାବେ ଲୋକଙ୍କ ଦୃଷ୍ଟି ହଟାଇବାକୁ ଉଦ୍ୟମ କରାଗଲା। ତାହା ପରେ କମିଟିକୁ ସମସ୍ତେ ଭୁଲିଗଲେ। ମହାନଦୀ ବିବାଦ ଏବେ ବି ଅସମାହିତ ଥିଲେ ବି କମିଟିର କୌଣସି ପରାମର୍ଶ କି ସୁପାରିସ୍‌କୁ ସରକାର ଲୋଡ଼ୁ ନାହାନ୍ତି।

ସମାନ ଦଶା ହୋଇଛି ସୀମା ସଂକ୍ରାନ୍ତୀୟ ଗୃହ କମିଟିର। ୨୦୨୧ ଜାନୁଆରିରେ କମିଟିର ଏକ ବୈଠକ ବସିଲା। କୋଟିଆ ସମେତ ବିବାଦ ଥିବା ଅନ୍ୟ ସୀମାନ୍ତ ଅଞ୍ଚଳକୁ କମିଟି ଯାଇ ସ୍ଥିତି ଯାଞ୍ଚ୍‌ କରିବ ବୋଲି ନିଷ୍ପତ୍ତି ହେଲା। ଏହି ଖବର ଗଣମାଧ୍ୟମର ଶିରୋନାମା ପାଲଟିଲା। କିନ୍ତୁ ଏହା ମଧ୍ୟରେ ୧୫ ମାସ ବିତିଗଲାଣି। ସୀମାନ୍ତ ଅଞ୍ଚଳ ଯିବାକୁ ବିଧାୟକମାନଙ୍କର ସମୟ ହେଉ ନାହିଁ, ଯଦିଓ ଏହି ସମୟସୀମା ମଧ୍ୟରେ ପଡ଼ୋଶୀ ରାଜ୍ୟ ଉଗ୍ର ଆଚରଣ କରିଛନ୍ତି ଓ ସୀମାରେ ଥିବା‌ ‌ଲୋକମାନେ ଅଶାନ୍ତିରେ ଦିନ କାଟୁଛନ୍ତି। ରାଜ୍ୟର ଏକ ସମୂହ ସ୍ବାର୍ଥ ପାଇଁ ଗୃହ କମିଟିକୁ ସମୟ ନ ହେବା ସଚେତନ ନାଗରିକମାନଙ୍କୁ ବ୍ୟଥିତ କରିଛି।

ଶ୍ରୀମନ୍ଦିର ଗୃହ କମିଟି ଯିବାରେ ବିଳମ୍ବ ହେବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି କମିଟିର ସଦସ୍ୟ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। ସେ କହିଛନ୍ତି ଯେ ଏପରି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ କମିଟି ଗୁରୁତ୍ବ ଅଧିକ ରହିଛି। ଏହା ଲୋକଙ୍କ ଭାବାବେଗର କଥା। ବିଧାନସଭା ଅଧିବେଶନ ସରିଲା ମାତ୍ରେ ତୁରନ୍ତ କମିଟି ପୁରୀ ଯିବାର ଥିଲା। ଏପରି ଅହେତୁକ ବିଳମ୍ବ ହେବା ଉଚିତ ନୁହେଁ। ଏ ସମ୍ପର୍କରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ଯୋଗାଯୋଗ କରାଯାଇଥିଲା। ଖୁବ୍ ଶୀଘ୍ର କମିଟି ପୁରୀ ଗସ୍ତ କରିବା ପାଇଁ ପ୍ରସ୍ତୁତି ଚାଲିଛି ବୋଲି ‌ସେ କହିଥିଲେ।

ସମ୍ବନ୍ଧିତ ଖବର