୧୨ ସହର ତାପମାତ୍ରା ୪୦ ଡିଗ୍ରି ଉପରେ: ସୋନ୍‌ପୁର ପୁଣି ଉତ୍ତପ୍ତ

ଭୁବନେଶ୍ବର: ପଶ୍ଚିମ ଓ ଆଭ୍ୟନ୍ତର ଓଡ଼ିଶାରେ ତାତି ଜାରି ରହିଥିବା ବେଳେ ଲଗାତାର ୪ ଦିନ ଧରି ରାଜ୍ୟର ଉତ୍ତପ୍ତ ସହର ଭାବେ ସୋନ୍‌ପୁର ରେକର୍ଡ କରିଛି। ଆଜି ସୋନ୍‌ପୁରରେ ସର୍ବାଧିକ ଦିନ ତାପମାତ୍ରା ୪୩.୨ ଡିଗ୍ରି ରେକର୍ଡ ହୋଇଥିବ‌ା ‌ବେଳେ ଅନୁଗୁଳରେ ୪୩.୧ ଡିଗ୍ରି ରେକର୍ଡ କରାଯାଇଛି। ଏଥିସହ ଝାରସୁଗୁଡ଼ା ୪୨.୯ ଡିଗ୍ରି, ବଲାଙ୍ଗୀର ୪୨.୪ ଡିଗ୍ରି ଓ ବୌଦ୍ଧରେ ୪୨ ଡିଗ୍ରି ଲେଖାଏଁ ତାପମାତ୍ରା ରହିଥିଲା। ଆସନ୍ତା ୫ ଦିନ ଏହି ତାତି ଜାରି ରହିବ ଓ ଆଭ୍ୟନ୍ତର ତଥା ପଶ୍ଚିମ ଓଡ଼ିଶା ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ। କେନ୍ଦ୍ରର ସୂଚନା ମୁତାବକ ଆସନ୍ତାକାଲି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମୟୂରଭଞ୍ଜ ଓ କେନ୍ଦୁଝରରେ ବିଜୁଳି, ଘଡ଼ଘଡ଼ି ସହ ଅପରାହ୍ନ ଆଡ଼କୁ କାଳବୈଶାଖୀ ସମ୍ଭାବନା ରହିଛି। ଏଣୁ ଏସବୁ ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତାକାଲି ରାଜଧାନୀ ଭୁବନେଶ୍ବର ସମେତ ଏହାର ଆଖପାଖ ଅଞ୍ଚଳର ସର୍ବୋଚ୍ଚ ତାପମାତ୍ରା ୩୯ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରି ପାଖାପାଖି ରହିବ ବୋଲି କେନ୍ଦ୍ର କହିଛି।

ସମ୍ବନ୍ଧିତ ଖବର