ମାଫିଆ କାଟି ନେଉଛନ୍ତି ତାଳଗଛ: କେଉଁଠି ବସା ବାନ୍ଧିବ ବାଇଚଢ଼େଇ?

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍‌ର ବିଭିନ୍ନ ଗାଁରେ ଥିବା ତାଳଗଛ ଉପରେ ମାଫିଆମାନଙ୍କ ଆଖି ପଡ଼ିଛି। କିଛିମାସ ହେଲା ମାଫିଆମାନେ କୁଳୁମା ଓ ବାଲିପଶି ପଞ୍ଚାୟତର ବିଭିନ୍ନ ଗାଁରେ ତାଳଗଛ କାଟି ଚାଲିଛନ୍ତି। ସେମାନେ ଶହ ଶହ ଗଛ କାଟି ଟ୍ରକ୍‌ରେ ଚାଲାଣ କରୁଛନ୍ତି। ପଶ୍ଚିମବଙ୍ଗ ଅଞ୍ଚଳର ମାଫିଆମାନେ ତାଳଗଛ କାଟି ନେଉଥିବା ସୂଚନା ମିଳିଛି। ସେମାନେ ଗୋଟିଏ ଗଛକୁ ୩ ଶହ ଟଙ୍କାରେ କିଣୁଛନ୍ତି। ଏହାପରେ ଦିନ ଦି’ପହରେ ଅବାଧରେ ଗଛ କାଟୁଛନ୍ତି। ଗଛକୁ ଚିରି ସାଇଜ୍‌ କରି ଗଚ୍ଛିତ କରୁଛନ୍ତି। ତାହା ପରେ ଚାଲାଣ କରୁଛନ୍ତି। ଏଥିରେ ରୋକ୍‌ ନଲାଗିଲେ ଅଳ୍ପ ଦିନ ମଧ୍ୟରେ ବ୍ଲକ୍‌ରୁ ତାଳଗଛ ସଂପୂର୍ଣ୍ଣ ଲୋପ ପାଇଯିବ ବୋଲି ବୁଦ୍ଧିଜୀବୀଙ୍କ ମହଲରେ ମତପ୍ରକାଶ ପାଇଛି।

ଏହାର ପ୍ରଭାବ ପରିବେଶ ଉପରେ ପଡ଼ିବ ବୋଲି ପରିବେଶବିତ୍‌ମାନେ କହିଛନ୍ତି। ତାଳଗଛର ମୂଳରୁ ପତ୍ର ପର୍ଯ୍ୟନ୍ତ ସବୁକିଛି ଉପଯୋଗୀ। ଏହାର ଗଣ୍ଡି ଘର ତିଆରିରେ ବ୍ୟବହୃତ ହେଉଥିବାବେଳେ ଏହାର ପତ୍ର(ବରଡ଼ା)ରେ ଘର ଛପର ହେବା ସହ ବିଭିନ୍ନ ଉପକରଣ ତିଆରି ‌ହୋଇଥାଏ। ତାଳ‌ସଜ ସମସ୍ତଙ୍କର ପ୍ରିୟ ଖାଦ୍ୟ। ପାଚିଲା ତାଳରେ ବିଭିନ୍ନ ପିଠା ପ୍ରସ୍ତୁ୍ତ କରାଯାଏ। ଅନ୍ୟପକ୍ଷ‌ରେ ତାଳଗଛ ବଜ୍ରପାତକୁ ରୋକିଥାଏ। ବାଇଚଢ଼େଇର ଆଶ୍ରୟସ୍ଥଳ ହେଉଛି ତାଳଗଛ। ତାଳବରଡ଼ାରେ ସେ ବସା ବାନ୍ଧି ନିରାପଦରେ ଝୁଲୁଥାଏ। ପରିବେଶର ସୁରକ୍ଷା ପାଇଁ ତାଳଗଛକୁ ସୁରକ୍ଷିତ ରଖିବା ସହ ନୂଆ ତାଳଗଛ ଲଗାଯିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର