ଖରା ନଆସୁଣୁ ଇବ୍‌ ଶୁଖିଲା: ଏଠି କେବେ ଅଟକିବ ପାଣି ?

ସୁନ୍ଦରଗଡ଼: ଖରାଦିନ ନଆସୁଣୁ ଶୁଖିଲା ପଡ଼ିଲାଣି ସୁନ୍ଦରଗଡ଼ ଓ ଝାରସୁଗୁଡ଼ାର ଜୀବନରେଖା ଇବ୍‌ନଦୀ। ନଦୀରେ ପାଣି ନାହିଁ, ଆଖି ପାଇବା ଯାଏ କେବଳ ବାଲି। ଫେବ୍ରୁଆରିରୁ ମରୁଭୂମିର ଭ୍ରମ ସୃଷ୍ଟି ହୋଇଛି। ଆଗକୁ ସ୍ଥିତି ଆହୁରି ଗମ୍ଭୀର ହେବା ଆଶଙ୍କା ରହିଛି। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ଏହାପଛରେ ପଡ଼ୋଶୀ ଛତିଶଗଡ଼ର ଚକ୍ରାନ୍ତ ଜଳଜଳ ଦିଶୁଛି। ଛତିଶଗଡ଼ର କୁନ୍‌କୁରିରୁ ବାହାରିଥିବା ଇବ୍‌ନଦୀ ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲ୍ଲାର ଲଖନପୁରଠାରେ ମହାନଦୀରେ ମିଶିଛି। ସୁନ୍ଦରଗଡ଼ର ଉପରମୁଣ୍ତ ତେଲିଯୋରଠାରୁ ଶେଷ ମୁଣ୍ତ ଭଷ୍ମା ଯାଏଁ ୭୦ କିଲୋମିଟର ଦୈର୍ଘ୍ୟ ଏହି ନଦୀ ସୁନ୍ଦରଗଡ଼ ସହରର ପାନୀୟ ଜଳ ଯୋଗାଣର ଏକ ବଡ଼ ଉତ୍ସ ହୋଇଥିବାବେଳେ ଜିଲ୍ଲାର ଚାଷବାସ ପାଇଁ ମଧ୍ୟ ଏହାର ଗୁରୁତ୍ବପୂର୍ଣ୍ଣ ଅବଦାନ ରହିଛି। କିନ୍ତୁ, ୨୦୦୭ରୁ ଛତିଶଗଡ଼ ଜଳସମ୍ପଦ ବିଭାଗ କୁନକୁରିଠାରୁ ୩୦ କିଲୋମିଟର ଦୂର ଗୁଲ୍ଲୁ ଗାଁ ପାଖ ଦୁର୍ଗମ ପାହାଡ଼ି ଅଞ୍ଚଳରେ ଗୁଲ୍ଲୁ ଜଳବିଦ୍ୟୁତ୍‌ ପ୍ରକଳ୍ପ ନିର୍ମାଣ  ଶେଷ କରିବାପରେ ବେନେଠାରେ ଜଳସେଚନ ପ୍ରକଳ୍ପ ଓ ଓଡ଼ିଶା ସୀମାରୁ ୨୦ କିଲୋମିଟର ଦୂର ସମଡମାଠାରେ ଏକ ଆନିକଟ ନିର୍ମାଣ କରିଛି। ଛତିଶଗଡ଼ରେ ଇବ୍‌ ପାଣିରୁ ବିଦ୍ୟୁତ ଉତ୍ପାଦନ ଓ ଜଳସେଚନ ଚାଲିଥିବାବେଳେ ତଳ ମୁଣ୍ଡ ସୁନ୍ଦରଗଡ଼ ଓ ଝାରସୁଗୁଡ଼ାରେ ପାଣି ଟୋପେ ପାଇଁ ଡହଳବିକଳ। ଏସ୍ଥିତି‌ରେ ସୁନ୍ଦରଗଡ଼ରେ ପାଣି ଅଟକିବାକୁ ଆଉ କେତେ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ବୋଲି ପ୍ରଶ୍ନ ଉଠିଲାଣି।

ଏହିପରିପ୍ରେକ୍ଷୀରେ ଗତ ୨୦୨୩ ମେ ୨୨ ତାରିଖରେ ମହାନଦୀ ଜଳ ବିବାଦର ସ୍ଥିତି ଅନୁଧ୍ୟାନ କରିବାକୁ ଝାରସୁଗୁଡ଼ା ଆସିଥିବା ମହାନଦୀ ଟ୍ରିବ୍ୟୁନାଲ୍ ଟିମ୍  ମେ ୨୨ ତାରିଖରେ ସୁନ୍ଦରଗଡ଼ ସବଡେଗା ବ୍ଲକ୍‌ସ୍ଥିତ କଟିଙ୍ଗିଡିହି ଭଗୋପାଲିରେ ମହାନଦୀର ପ୍ରମୁଖ ଶାଖା ନଦୀରେ ୧୯୮୦ରୁ ପ୍ରସ୍ତାବିତ ଇବ୍ ବନ୍ଧ ପ୍ରକଳ୍ପ (ଯୁଗିଯୁଗେନ ଡ୍ୟାମ) ପରିଦର୍ଶନ କରିଥିଲେ। ଏହାସହ ଉପରମୁଣ୍ଡରେ ଛତିଶଗଡ଼ର ଏକାଧିକ ବନ୍ଧ ଯୋଗୁ ତଳମୁଣ୍ଡ ସୁନ୍ଦରଗଡ଼ରେ ଶୁଖିଲା ପଡ଼ିଥିବା ଇବ୍‌ନଦୀକୁ ଦେଖିଥିଲେ। ଟିମ୍ ୩୦ ମିନିଟ୍ ଧରି ଇବ୍‌ନଦୀର ସ୍ଥିତି ନିରୀକ୍ଷଣ କରିବା ସହ ଅଧିକାରୀମାନଙ୍କ ସହ ପ୍ରସ୍ତାବିତ ବନ୍ଧ ସମ୍ପର୍କରେ ଆଲୋଚନା କରି ଫେରିଯାଇଥିଲେ। ଆଲୋଚନା ସମୟରେ ଇବ୍‌ନଦୀରେ ବନ୍ଧର ଆବଶ୍ୟକତା ସମ୍ପର୍କରେ ଟିମ୍ ହୃଦ୍‌ବୋଧ କରିଥିବା ପ୍ରକାଶ ପାଇଥିଲା। ଏହାପରେ ୨୦୨୨ ଜାନୁଆରି ୧୦ରେ ନଦୀର କୋପସିଂହା ଓ କୁଡାବଗାଠାରେ ୪୯୩ କୋଟିର ବନ୍ଧ ପାଇଁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରିଥିଲେ।

ଏଥିରେ ସୁନ୍ଦରଗଡ଼ ପୌରାଞ୍ଚଳ ସହ ସଦର ବ୍ଲକ୍, ଲେଫ୍ରିପଡ଼ା, ବାଲିଶଙ୍କରା ଓ ଟାଙ୍ଗରପାଲି ବ୍ଲକର ୪୭ ହଜାର ଲୋକେ ପ୍ରତ୍ୟକ୍ଷ ଭାବେ ଉପକୃତ ହେବା ସହ ୪୮୮ ହେକ୍ଟର ଜମି ଜଳସେଚିତ ହେବ ବୋଲି ଆଶା ଦେଖାଇଛନ୍ତି ରାଜ୍ୟ ସରକାର। ଶିଳାନ୍ୟାସକୁ ୨ ବର୍ଷ ବିତିଯିବା ପରେ ଏବେ ବନ୍ଧ ନିର୍ମାଣ ପାଇଁ ଠିକା ସଂସ୍ଥା ପ୍ରାଥମିକ ପ୍ରସ୍ତୁତି ଚଳାଇଛି। ତେବେ, ଏହି କାର୍ଯ୍ୟ ଶେଷହେବା ସହିତ ଦୁଇ ଜିଲ୍ଲାର ଜଳ ସଂକଟ କେବେ ଦୂର ହେଉଛି, ତାହା ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର