ନିର୍ଭୟା ଯୋଜନା: ୮ବର୍ଷରେ ଖର୍ଚ୍ଚ ୫୦ କୋଟି

କାଗଜପତ୍ରରେ ଚାଲିଛି ୩୦ଟି ୱାନ୍‌ ଷ୍ଟପ୍‌ ସେଣ୍ଟର, ୭ ବର୍ଷରେ ମହିଳା ବିରୋଧୀ ହିଂସା ୩ ଗୁଣା ବୃଦ୍ଧି

କଟକ: ମହିଳା ବିରୋଧୀ ହିଂସା ରୋକିବାକୁ ୨୦୧୫ରେ କେନ୍ଦ୍ର ସରକାର ଆରମ୍ଭ କରିଥିଲେ ‘ନିର୍ଭୟା’ ଯୋଜନା। ଏହି ଯୋଜନାରେ ଖର୍ଚ୍ଚ ହେଉଥିବା ଟଙ୍କା ମହିଳାଙ୍କ ସୁରକ୍ଷା କାମରେ ଲାଗୁଛି ନା ଅନ୍ୟ ବାଟରେ ଖର୍ଚ୍ଚ କରାଯାଇ କେବଳ ବିନିଯୋଗ ପ୍ରମାଣପତ୍ର ଦାଖଲ ହେଉଛି, ତାହାକୁ ନେଇ ସନ୍ଦେହ ବଢୁଛି। ନିର୍ଭୟା ପାଣ୍ଠିରେ ଓଡ଼ିଶାରେ ମହିଳାମାନଙ୍କୁ ଗୋଟିଏ ଛାତ ତଳେ ସବୁ ସୁବିଧା ‌ଦେବା ପାଇଁ ୱାନ୍ ଷ୍ଟପ୍‌ ସେଣ୍ଟର ( ଓଏସ୍‌ସି) ପ୍ରତିଷ୍ଠା କରିବାରେ ଓଡ଼ିଶା ଆଗରେ ରହିଛି। ‌ରାଜ୍ୟର ଜିଲ୍ଲା ମୁଖ୍ୟ ଚିକିତ୍ସ‌ାଳୟ, ମେ‌ଡିକ‌ାଲ କଲେଜରେ ଏହା ରହିଛି। ଏବାବଦ ପ୍ରତିବର୍ଷ ବିପୁଳ ଅର୍ଥ କେନ୍ଦ୍ର ସରକାର ଅନୁଦାନ ଆକାରରେ ଦେଉଛନ୍ତି। ମାତ୍ର ରାଜ୍ୟରେ ଓଏସ୍‌ସି କେନ୍ଦ୍ର ଗୁଡିକର ବାସ୍ତବତା କିନ୍ତୁ ଭିନ୍ନ। ଅଧିକାଂଶ ଜିଲ୍ଲାରେ ଏହା କାମ କରୁନଥିବା ଅଭିଯୋଗ ହୋଇଛି। ଅନ୍ୟପକ୍ଷ‌ରେ ୨୦୧୬ରୁ ୨୦୨୨ ମଧ୍ୟରେ ନିର୍ଭୟା ପାଣ୍ଠିରେ କେନ୍ଦ୍ର ସରକାର ଓଡ଼ିଶାକୁ ପାଖାପାଖି ୮୦ ‌କୋଟି ଟଙ୍କା ଅନୁଦାନ ଆକାରରେ ଦେଇଛନ୍ତି। ଓଡ଼ିଶା ସେଥିରୁ ୫୦ କୋଟି ଟଙ୍କାର ବିନିଯୋଗ ପ୍ରମାଣପତ୍ର ଦେଇଛି। ତେବେ ୫୦ କୋଟି ଟଙ୍କା କେଉଁଠି ଖର୍ଚ୍ଚ ହୋଇଛି ତା’ର ମଧ୍ୟ କିଛି ଠିକ୍ ତଥ୍ୟ ନାହିଁ। ଅନ୍ୟପକ୍ଷରେ ମହିଳା ବିରୋଧୀ ହିଂସା ହ୍ରାସ କରିବାକୁ ହୋଇଥିବା ଯୋଜନା କିନ୍ତୁ ରାଜ୍ୟରେ ଫଳପ୍ରଦ ହେଉନାହିଁ। ଗତ ୭ ବର୍ଷରେ ରାଜ୍ୟରେ ମହିଳା ବି‌ରୋଧୀ ହିଂସା ମାମଲା ତିନି ଗୁଣା ବୃଦ୍ଧି ପାଇଥିବା ଏନସିଆର୍‌ବି ରିପୋର୍ଟରେ ଦର୍ଶାଯାଇଛି। ‌ଏଥିରୁ ସ୍ପଷ୍ଟ ‌ଯେ ମହିଳାଙ୍କ ସୁରକ୍ଷା ପାଇଁ ଆସୁଥିବା ଏ ଟଙ୍କା ଅନ୍ୟ ବାଟରେ ଖର୍ଚ୍ଚ କରାଯାଉଛି।

ତଥ୍ୟ ମୁତାବକ, ଓଡ଼ିଶାକୁ ୨୦୨୧-୨୨ରେ ୨୬.୫୪ କୋଟି ଟଙ୍କା ପ୍ରଦାନ କରାଯାଇଥିଲା। ସେଥିରୁ ରାଜ୍ୟରେ ୧୯ କୋଟି ୨୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଥିବା ତଥ୍ୟ ରହିଛି। ଏହି ପାଣ୍ଠିରୁ ୨୦୧୬-୧୭ରେ ଓଡ଼ିଶାକୁ ୨୦ କୋଟି, ୨୦୧୭-୧୮ରେ ୪.୧୨ କୋଟି, ୨୦୧୮-୧୯ରେ ୮.୭୪ କୋଟି, ୨୦୧୯-୨୦ରେ ୨୪.୮୭ କୋଟି, ୨୦୨୦-୨୧ରେ ୧୫.୭୭ କୋଟି ଟଙ୍କା ପ୍ରଦାନ କରାଯାଇଛି। ‌ନିର୍ଭୟା ପାଣ୍ଠି ବିନିଯୋଗରେ ଓଡ଼ିଶା ପଡୋଶୀ ପଶ୍ଚିମବଙ୍ଗଠାରୁ ପଛରେ ରହିଛି। ଓଡ଼ିଶାର ବିନିଯୋଗ ହାର ୬୫ ପ୍ରତିଶତ ରହିଛି। ତେବେ ମହିଳା ବିରୋଧୀ ହିଂସା ରାଜ୍ୟରେ ବୃଦ୍ଧି ପାଇବା ଘଟଣା ନିର୍ଭୟା ଯୋଜନାର ବିଫଳତାର ପ୍ରମାଣ। ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟରେ ଓଡ଼ିଶାରେ ମହିଳା ବିରୋଧୀ ହିଂସା ଓ ଦୁଷ୍କର୍ମ ବଢୁଛି। ଏହି ରିପୋର୍ଟ ଆଧାରରେ ହିଳା ବିରୋଧୀ ହିଂସା ଗତ ୭ବର୍ଷରେ ତିନି ଗୁଣା ବଢିଛି। ୨୦୧୯ରେ ଓଡ଼ିଶାରେ ଏହି ମାମ‌ଲା ୨୮୧୮ ଥିଲା ବେଳେ ୨୦୧୮ରେ ଏହା ୨୫୩୮, ୨୦୧୭ରେ ୨୪୫୭, ୨୦୧୬ ରେ ୨୧୦୭, ୨୦୧୫ରେ ୧୯୫୭ ଓ ୨୦୧୪ରେ ୧୪୦୨ଟି ମ‌ାମଲା ରହିଥିଲା। ଚଳିତ ବର୍ଷ ଏହି ମାମଲା ସଂଖ୍ୟା ୩ ହଜାର ଛୁଇଁଲାଣି।

ସମ୍ବନ୍ଧିତ ଖବର