ବଢ଼ୁଛି କଣାସ ବନ୍ୟାଞ୍ଚଳ ଲୋକଙ୍କ ଯନ୍ତ୍ରଣା; ପହଞ୍ଚିନି ରିଲିଫ୍‌, ରନ୍ଧା ଖାଦ୍ୟ, ପିଇବା ପାଣି ପାଇଁ ଡହଳବିକଳ

ପୁରୀ/ଗଡ଼ିଶାଗୋଦା : ସବୁ ଗାଁରେ ରିଲିଫ ବଣ୍ଟା ଚାଲିଛି। ବନ୍ୟା ପ୍ରପୀଡ଼ିତଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରାଯାଉଛି। ବନ୍ୟା ପ୍ରଭାବିତ ଗାଁଗଣ୍ଡାରେ ରନ୍ଧା ଖାଦ୍ୟ ଦିଆଯାଉଛି। ଏଭଳି ଦାବି କରୁଛି ପ୍ରଶାସନ। କିନ୍ତୁ ପୁରୀ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ପଶିବା ଓ ଗାଁ ଗଣ୍ଡାକୁ ବୁଡ଼ାଇବା ପରେ ପ୍ରଶାସନର ଏଭଳି ପ୍ରଚାର ମିଛ ପ୍ରମାଣିତ ହୋଇଛି। କଣାସ ବ୍ଲକ୍‌ର ଅନେକ ଗାଁ ରହିଛି, ଯେଉଁଠି ୩ ଦିନ ପରେ ବି ରିଲିଫ ପହଞ୍ଚିନି। ପିଇବା ପାଣି ମୁନ୍ଦେ ପାଇଁ ବି ଲୋକେ ଡହଳବିକଳ ହେଉଛନ୍ତି।

ଶୁକ୍ରବାର ଦିନ ପୁରୀ ‘ସମ୍ବାଦ’ ଟିମ୍‌ କଣାସ ବନ୍ୟାଞ୍ଚଳର ସ୍ଥିତି ଅନୁଧ୍ୟାନ କରିଥିଲା। ଦୟା ନଦୀର ଶାଖା ମକରା ନଦୀବନ୍ଧରେ ଘାଇ ଦ୍ବାରା ପ୍ରଭାବିତ ହୋଇଥିବା ଗାଁ ଗଣ୍ଡାର ସ୍ଥିତି ପରଖିଥିଲା। ଡଙ୍ଗାରେ ବନ୍ୟାଜଳରେ ପ୍ରାୟ ଦୁଇ କିଲୋମିଟର ଯିବା ପରେ ସାହୁପଡ଼ା ପଞ୍ଚାୟତର ବନ୍ଧମୁଣ୍ଡା ଗାଁରେ ପହଞ୍ଚିଥିଲା ଟିମ୍‌। ସଂପୂର୍ଣ୍ଣ ଗାଁ ଜଳମଗ୍ନ ଥିଲା। ଗାଁ ଦାଣ୍ଡରେ ଜଂଘେ ଉଚ୍ଚରେ ପାଣି ଚାଲୁଥିଲା। କିଛି ଘରେ ବି ଆଣ୍ଠୁଏ ପାଣି ଚାଲିଥିଲା। କିନ୍ତୁ ତିନି ଦିନ ହେଲାଣି ଗାଁ ଲୋକେ ବନ୍ୟାପାଣିରେ ଥିଲେ ବି ରନ୍ଧା ଖାଦ୍ୟ ଓ ରିଲିଫ୍ ତ ଦୂରର କଥା ସେମାନଙ୍କ ପାଖରେ ପିଇବା ପାଣି ବି ପହଞ୍ଚି ନଥିଲା। ତିନି ଦିନ ହେଲାଣି ଚୁଲି ଜଳୁ ନ ଥିବାରୁ ଗାଁ ଲୋକେ ଚୁଡ଼ା, ମୁଢ଼ି ଆଦି ଶୁଖିଲା ଖାଦ୍ୟରେ ଭୋକ ମେଣ୍ଟାଉଥିବା କହିଛନ୍ତି। ବନ୍ଧମୁଣ୍ଡାର ଦିଲୀପ ବଳିଆରସିଂ କହିଛନ୍ତି, ପ୍ରାୟ ୭ ଶହ ଲୋକ ବନ୍ଧମୁଣ୍ଡା‌ ଗାଁରେ ରହୁଛନ୍ତି। ସବୁ ଘରେ ପାଣି ପଶିଛି। ଗାଁ ଦାଣ୍ଡରେ ପାଣି ଚାଲିଥିବାରୁ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ିଛି। କିଏ ଘର ଛାତ ଉପରେ ତ କିଏ ଉଚ୍ଚା ଘର ଦେଖି ଆଶ୍ରୟ ନେଇଛନ୍ତି। ବନ୍ୟାପାଣି ଆସିବା ପରେ ଗାଁର ସଂପୂର୍ଣ୍ଣ ଚାଷଜମି ବୁଡ଼ିଯାଇଛି। ବହୁ ଗୁହାରି ପରେ ବିଧାୟକ, ବିଡିଓ ଆସିଲେ। ଗାଁ ଲୋକଙ୍କ ଦୁଃଖ ବୁଝିଲେ, ଦୁର୍ଦ୍ଦଶା ବି ଦେଖିଲେ। କିନ୍ତୁ କିଛି ବି ସହାୟତା ମିଳିଲାନି। ୩ ଦିନ ପରେ ଆଜି ଚୁଡ଼ା, ଗୁଡ଼ ଟିକେ ମିଳିଲା, ଯାହା ସମୁଦ୍ରକୁ ଶଙ୍ଖେ। ସେପଟେ ଗାଁରେ ପାନୀୟ ଜଳ ଏବେ ବଡ଼ ସମସ୍ୟା ହୋଇଛି। ପିଇବା ପାଣି ମିଳୁ ନ ଥିବାରୁ ପିଲାଠୁ ବୁଢ଼ା ଡହଳବିକଳ ହେଉଛନ୍ତି। ଦିନକ ତଳେ ଜଣେ ବ୍ୟକ୍ତି ଆସି କିଛି ପାଣି ପାଉଚ୍‌ ଦେଇଥିଲେ। ତାକୁ ସଂଚୟ କରି ପାଣି ପିଉଛୁ। ତାହା ବି ସରି ଆସିଲାଣି ବୋଲି କହିଛନ୍ତି ଗ୍ରାମବାସୀ। ସବୁଠାରୁ ବଡ଼ କଥା ହେଲା ଏତେ ବଡ଼ ଗାଁ ହୋଇଥିଲେ ବି ନା ବାତ୍ୟା ଆଶ୍ରୟସ୍ଥଳୀ ଅଛି, ନା ବିଦ୍ୟାଳୟ। ଗାଁ ଠାରୁ ୧ କିମି ଦୂରରେ ଏକ ବାତ୍ୟା ଆଶ୍ରୟସ୍ଥଳୀ ରହିଛି। ତାହା ବି ପାଣିରେ ବୁଡ଼ି ରହିଛି।

ସମାନ କଥା ଦୋହରାଇଛନ୍ତି ବନ୍ଧମୁଣ୍ଡାର ୭୬ ବର୍ଷୀୟ ଯୁଦ୍ଧିଷ୍ଠିର ସାମନ୍ତରା। ଯୁଦ୍ଧିଷ୍ଠିର କହିଛନ୍ତି, ଗାଁରେ ପାଣି ପଶିବାରୁ ଗାଈଗୋରୁଙ୍କ ଦୁର୍ଦ୍ଦଶା ବଢ଼ିଛି। ନଡ଼ା ସବୁ ଓଦା ହୋଇଯିବାରୁ ଗାଈଗୋରୁଙ୍କୁ ଖାଇବାକୁ ମିଳୁନାହିଁ। କେବଳ ସାହୁପଡ଼ା ପଞ୍ଚାୟତର ବନ୍ଧମୁଣ୍ଡା ନୁହେଁ, ସାହୁପଡ଼ା, ତଇଁଲା, ଶିରୁଳି, ବେଣ୍ଟତୁଣ୍ଡାଳ, ସିରିଆପଡ଼ା, ଅଞ୍ଜିରା, କାଦୁଆ ପଞ୍ଚାୟତର ସୁନାଖଳା, ଭାଟପଡ଼ା ଆଦି ଗାଁରେ ବି ସମାନ ଦୁର୍ଦ୍ଦଶା ଭୋଗୁଛନ୍ତି ଲୋକେ।

ସମ୍ବନ୍ଧିତ ଖବର