ପାଳଲହଡ଼ା ପୁଲିସର ଥାର୍ଡ ଡିଗ୍ରି!

ଲକ୍ଷେ ଟଙ୍କା ଲୁଟ୍ ମାମଲାରେ ଯୁବକଙ୍କୁ ଘରୁ ଉଠାଇନେଲା

ପାଳଲହଡ଼ା : ଚୌକିରେ ବସାଇ ବାନ୍ଧିଦେ‌ଲେ। ପ୍ରତିବାଦ କରିବା ଆଗରୁ ଚୌକିକୁ ଓଲଟାଇ ନିର୍ଘାତ ପିଟିଲେ। ପାଣି ମାଗିବାରୁ, ପରିସ୍ରା ପିଆଇବାକୁ କହିଲେ। ପ୍ଲାସ୍‌ରେ ନଖକୁ ଉପାଡ଼ି ଦେବାକୁ ବି ଧମକାଇଲେ। ଅନୁଗୁଳ ଜିଲ୍ଲା ଖମାର ଥାନା ଜଗନ୍ନାଥପୁର ଗାଁର ଯୁବକଙ୍କୁ ଚୋର ଦର୍ଶାଇ ପାଳଲହଡ଼ା ଥାନା ପୁଲିସ ଏମିତି ଥାର୍ଡ ଡିଗ୍ରି ଦେଇଛି ବୋଲି ଅଭିଯୋଗ ହୋଇଛି। ପୁଲିସ ମାଡ଼ରେ ଯୁବକ ଜଣକ ଆହତ ହୋଇଛନ୍ତି। ଚିକିତ୍ସା ପାଇଁ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ପୁଲିସଠୁ ମାଡ଼ ଖାଇଥିବା ଯୁବକଙ୍କ ନାଁ ହେଲା ଆଦିତ୍ୟ କୁମାର ବେହେରା। ତାଙ୍କ କହିବା ମୁତାବକ, ମଙ୍ଗଳବାର ଦିନ ସେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ୍‌ ପାଳଲହଡ଼ା ଶାଖାରେ ଟଙ୍କା ଜମା କରି ଘରକୁ ଫେରିଥିଲେ। ସେଦିନ ବିଳମ୍ବିତ ରାତିରେ ହଠାତ୍‌ ପାଳଲହଡ଼ା ଥାନା ପୁଲିସ ତାଙ୍କ ଘରେ ପହଞ୍ଚି ତାଙ୍କୁ ଥାନାକୁ ଉଠାଇ ନେଇଥିଲେ। ବ୍ୟାଙ୍କ୍‌ ସାମ୍ନାରୁ ଏକ ଲକ୍ଷ ଟଙ୍କା ଲୁଟ୍ ହୋଇଛି। ସେଥିରେ ତାଙ୍କୁ ସମ୍ପୃକ୍ତି ଦର୍ଶାଇ ପୁଲିସ ନିର୍ଘାତ ପିଟିଲା। ଥାନା ଏସ୍‌ଆଇ ଗୋବିନ୍ଦ ସାହୁଙ୍କ ସହିତ ଆଉ ଜଣେ ପୁଲିସ ଅଧିକାରୀ ତାଙ୍କ ଛାତି, ପେଟ ଓ ଗୋଡ଼କୁ ମାଡ଼ ମାରିଛନ୍ତି। ଚୌକିକୁ ଚାରି ଚାରି ଥର ଓଲଟାଇ ପିଟାଯାଇଛି। ଏମିତି ମାଡ଼ ମାରିଛନ୍ତି ଯେ ପାଟିରେ ପାଣି ପିଇ ପାରୁନି ବୋଲି ଆଦିତ୍ୟ ଗଣମାଧ୍ୟମ ଆଗରେ କହିଛନ୍ତି।

ଗାଁ ସଭାପତି ସୁରେନ୍ଦ୍ର ବେହେରା କହିଛନ୍ତି, ଆଦିତ୍ୟଙ୍କୁ ପୁଲିସ ଉଠାଇ ନେବା ପରେ ଆମେ ଥାନାକୁ ଯାଇଥିଲୁ। ସିସିଟିଭି ଫୁଟେଜ୍‌ରେ ଆଦିତ୍ୟଙ୍କର କୌଣସି ପ୍ରମାଣ ନ ଥିଲା। ତେଣୁ, ପୁଲିସ ଆମ ସହିତ ଆଦିତ୍ୟଙ୍କୁ ଛାଡ଼ି ଦେଇଥିଲା। କିନ୍ତୁ, ପୁଲିସ ମାଡ଼ରେ ଆଦିତ୍ୟ ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ଖମାର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ଡାକ୍ତର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଦିତ୍ୟଙ୍କୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପକ୍ଷରେ ମାଡ଼ ଘଟଣାକୁ ପାଳଲହଡ଼ା ଥାନା ପୁଲିସ ଅସ୍ବୀକାର କରିଛି। ଥାନା ଅଧିକାରୀ ପାରୋ ଟୁଡୁ ଅଭିଯୋଗକୁ ମିଥ୍ୟା ବୋଲି ଦର୍ଶାଇଛନ୍ତି।

ସମ୍ବନ୍ଧିତ ଖବର