ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ମାଲବାହୀ ଟ୍ରେନ୍‌, ବଗି ଛାଡ଼ି ଚାଲିଗଲା ଇଞ୍ଜିନ୍‌

ଲମତାପୁଟ : କୋରାପୁଟ-ବିଶାଖାପାଟଣା ଟ୍ରାକ୍‌ରେ ପୁଣି ଅଘଟଣ ଘଟିଛି। ବଗି ଛାଡ଼ି ବହୁ ଦୂରକୁ ଚାଲିଯାଇଥିଲା ଇଞ୍ଜିନ୍‌। ଯଦିଓ ବଡ଼ ଦୁର୍ଘଟଣା ଘଟିନାହିଁ, ତଥାପି ଟ୍ରେନ୍‌ ଚଳାଚଳରେ ବାରମ୍ବାର ହେଉଥିବା ବଡ଼ ବିଭ୍ରାଟକୁ ଏହି ଘଟଣା ସାମ୍ନାକୁ ଆଣିଛି।

ସୂଚନା ଅନୁଯାୟୀ, ରବିବାର ସକାଳ ପ୍ରାୟ ସାଢ଼େ ୧୦ଟାରେ ନନ୍ଦପୁର ବ୍ଲକ୍‌ ଅନ୍ତର୍ଗତ ପାଡ଼ୁଆ ଷ୍ଟେସନରେ ଗୋଟିଏ ମାଲବାହୀ ଟ୍ରେନ୍‌ ପହଞ୍ଚିଥିଲା। ଷ୍ଟେସନ ଛାଡ଼ିବାର ଅଳ୍ପ ଦୂରରେ ହଠାତ୍‌ ବଗିଗୁଡ଼ିକ ଅଟକି ଯାଇଥିବା ବେଳେ ଇଞ୍ଜିନ ପ୍ରାୟ ୨ଶହ ମିଟର ଆଗକୁ ଚାଲି ଯାଇଥିଲା। ପାଡ଼ୁଆ ଷ୍ଟେସନରେ ଉପସ୍ଥିତ ଥିବା ଯାତ୍ରୀ ଏହି ଦୃଶ୍ୟ ଦେଖି ଅବାକ୍‌ ହୋଇଯାଇଥିଲା। କେଉଁ ପରିସ୍ଥିତିରେ ଇଞ୍ଜିନ୍‌ରୁ ବଗି ଅଲଗା ହେଲା ସ୍ପ‌ଷ୍ଟ ହୋଇପାରିନି। ଖବର ପାଇ ରେଳ ବିଭାଗ କର୍ମଚାରୀ ପହଞ୍ଚିଥିଲେ। ପୁଣି ଇଞ୍ଜିନ୍‌ ସହ ବଗି ଗୁଡ଼ିକୁ ଯୋଡ଼ିଥିଲେ। ସଂପୂର୍ଣ୍ଣ ନିରୀକ୍ଷଣ କରିବା ପରେ ପୁଣି ବିଶାଖାପାଟଣା ଅଭିମୁଖେ ମାଲବାହୀ ଟ୍ରେନ୍‌ ବାହାରିଥିଲା।

ସୂଚନାଯୋଗ୍ୟ ଯେ ଏହି ରେଳ ଲାଇନ୍‌ରେ ବାରମ୍ବାର ଦୁର୍ଘଟଣା ଘଟୁଛି। ତୃତୀୟ ଥର ପାଇଁ ଇଞ୍ଜିନ୍‌ରୁ ବଗି ଅଲଗା ହେବା ଘଟଣା ଘଟିଛି। ସେହିପରି ବିଦ୍ୟୁତ୍‌ ତାରରେ ସାପ ଗୁଡ଼ାଇ ହୋଇ ରହିବାରୁ କିଛି ଦିନ ତଳେ ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା। ଏହାବ୍ୟତୀତ ଟ୍ରକ୍‌ରେ ମାଟି ଅତଡ଼ା ଧସିବାରୁ ଦୁଇ ଦିନ ଧରି ୬ଟି ଟ୍ରେନ୍‌ ଚଳାଚଳ ବନ୍ଦ ରହିଥିଲା।

ସମ୍ବନ୍ଧିତ ଖବର