ପ୍ରଥମ ମହିଳା ଦିନିକିଆ: ଭାରତକୁ ପ୍ରଥମ ଥର ହରାଇଲା ବାଂଲାଦେଶ

ମୀରପୁର: ଆଇସିସି ମହିଳା ଦିନିକିଆ ଚାମ୍ପିଅନ୍‌ସିପ୍‌ ୨୦୨୨-୨୫ ଚକ୍ରରେ ବାଂଲାଦେଶ ରବିବାର ପ୍ରଥମ ବିଜୟ ପାଇଛି। ଘରୋଇ ଦଳ ଏଠାରେ ଖେଳାଯାଇଥିବା ଲୋ ସ୍କୋରିଂ ବର୍ଷା ବାଧାପ୍ରାପ୍ତ ମ୍ୟାଚ୍‌ରେ ଭାରତକୁ ୪୦ ରନ୍‌ (ଡିଏଲ୍‌ଏସ୍‌)ରେ ହରାଇ ଦେଇଛି। ଏଥିସହ ଭାରତ ବିପକ୍ଷରେ ବାଂଲାଦେଶ ମହିଳା ଦଳ ଦିନିକିଆରେ ପ୍ରଥମ ବିଜୟ ସ୍ବାଦ ପାଇଛି। ଦିନିକିଆରେ ବାଂଲାଦେଶଠୁ କେବେ ହାରିନଥିବା ଭାରତ ଟସ୍‌ ଜିତି କ୍ଷେତ୍ରରକ୍ଷଣ ନିଷ୍ପତ୍ତି ନେଇଥିଲା। ମାପଚୁପ ବୋଲିଂ ଯୋଗୁଁ ଘରୋଇ ଦଳକୁ ୧୫୨ ରନ୍‌ରେ ଅଟକାଇଥିଲା ଭାରତ। ହେଲେ ବାଂଲାଦେଶର ୧୮ ବର୍ଷୀୟା ମାରୁଫା ଅକତର (୭-୦-୨୯-୪)ଙ୍କ ଘାତକ ବୋଲିଂ ଯୋଗୁଁ ଭାରତର ବ୍ୟାଟିଂକ୍ରମ ନିଷ୍ଫଳ ରହିଥିଲା। ଫଳରେ ଭ୍ରମଣକାରୀ ଭାରତୀୟ ଦଳ ୩୫.୫ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୧୩ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ରାବେୟା ଖାନ ମଧ୍ୟ ୩/୩୦ ବୋଲିଂ ସଫଳତା ପାଇଥିଲେ। ଭାରତ ପକ୍ଷରୁ ଦୀପ୍ତି ଶର୍ମା ସର୍ବାଧିକ ୨୦ ରନ୍‌ କରିଥିଲେ। ପୂର୍ବରୁ ବ୍ୟାଟିଂ କରିଥିବା ବାଂଲାଦେଶ ପକ୍ଷରୁ ନିଗର ସୁଲତାନ ୩୯, ଫାର୍ଗାନା ହକ୍‌ ୨୯ ରନ୍‌ କରିଥିଲା ବେଳେ ଭାରତ ପକ୍ଷରୁ ଦିନିକିଆ ପଦାର୍ପଣ କରିଥିବା ଅମନଜୋତ କୌର ୪/୩୧ ବୋଲିଂ ସଫଳତା ପାଇଥିଲେ। ମାରୁଫା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଦ୍ବିତୀୟ ଦିନିକିଆ ବୁଧବାର ଖେଳାଯିବ।

ସଂକ୍ଷିପ୍ତ ସ୍କୋର୍‌: ବାଂଲାଦେଶ ୪୩ ଓଭରରେ ୧୫୨ (ନିଗାର ସୁଲତାନ-୩୯, ଫର୍ଗାନା ହକ୍‌-୨୭, ଅମନଜୋତ କୌର-୪/୩୧, ଦେବୀକା ବୈଦ୍ୟ-୨/୩୬)। ଭାରତ ୩୫.୫ ଓଭରରେ ୧୧୩ (ଦୀପ୍ତି ଶର୍ମା-୨୦, ୟାସ୍ତିକା ଭାଟିଆ-୧୫, ଅମନଜୋତ କୌର-୧୫, ମାରୁଫା ଅକତର-୪/୨୯, ରାବେୟା ଖାନ-୩/୩୦)।

ପଦାର୍ପଣରେ ଅ‌ମ‌ନଜୋତ ଚମକ
ବାଂଲାଦେଶ ବିପକ୍ଷ ପ୍ରଥମ ଦିନିକିଆରେ ୪/୩୧ ବୋଲିଂ ସଫଳତା ପାଇଥିଲେ ଅମନଜୋତ କୌର। ଏହା ଦିନିକିଆ ପଦାର୍ପଣରେ ଭାରତର ଦ୍ବିତୀୟ ଶ୍ରେଷ୍ଠ ବୋଲିଂ ଚିତ୍ର। ୨୩ ବର୍ଷୀୟା ଅମନଜୋତ ବାଂଲାଦେଶର ମୁର୍ସିଦା ଖାତୁନ, ଫର୍ଗାନା ହକ୍‌, ଅଧିନାୟିକା ନିଗାର ସୁଲତାନା ଓ ରାବେୟା ଖାନ୍‌ଙ୍କ ୱିକେଟ୍‌ ନେଇଥିଲେ। ପଦାର୍ପଣରେ ଶ୍ରେଷ୍ଠ ବୋଲିଂ ସଫଳତା ପୂର୍ଣ୍ଣିମା ଚୌଧୁରୀଙ୍କ ନାମରେ ରହିଛି। ସେ ୧୯୯୭ରେ ଫରିଦାବାଦରେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ୫/୨୧ ସଫଳତା ପାଇଥିଲେ। ଅମନଜୋତ ଚଳିତ ବର୍ଷ ଜାନୁଆରିରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟ୍ବେଣ୍ଟି-୨୦ ପଦାର୍ପଣ କରିଥିଲେ। ଏହି ମ୍ୟାଚ୍‌ରେ ସେ ଗୋଟିଏ ଓଭର ବୋଲିଂ କରି ୬ ରନ୍‌ ଦେଇଥିଲେ। କିନ୍ତୁ ବ୍ୟାଟିଂରେ ୩୦ ବଲ୍‌ରେ ୪୧ ରନ୍‌ କରି ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ହାତେଇଥିଲେ।

ସମ୍ବନ୍ଧିତ ଖବର