ଟିପଚିହ୍ନ ଦେଇ ହଜ‌ାରେ ଟଙ୍କା ବି ନେଇଗଲେ!

ଭୂତ ଖାଉଥିଲା ରାସନ

ଧର୍ମଶାଳା: ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ରେ ରାସନ କେଳେଙ୍କାରୀ ଥମୁନି। କରୋନା ଭୂତାଣୁ ପାଇଁ ଭୂତ ଖାଉଥିବା ରାସନ୍‌ ପ୍ରସଙ୍ଗ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି। ପୂର୍ବରୁ ବ୍ଲକ୍‌ର ମହିଷରା, କମାଗଡ଼, କଣ୍ଟିଗଡିଆ, ଚୋରମୁହାଁ, ଉତ୍ତରପ୍ରତାପ, ଭବାନୀପୁର ଆଦି ପଞ୍ଚାୟତର ରାସନ ଦୁର୍ନୀତି ଆଲୋଡ଼ନ ସୃଷ୍ଟି କରିଥିଲା। ଆଜି ଏଥିରେ ଆରୁହା ପଞ୍ଚାୟତର ଘୋଟାଲା ଯୋଡ଼ି ହୋଇଯାଇଛି। ଅଭିଯୋଗ ଅନୁଯାୟୀ କୋହ୍ଲା ଗ୍ରାମରେ ସ୍ବର୍ଗତ ମାୟାଧର ସାହାଣିଙ୍କ ପତ୍ନୀ ପାର୍ବତୀ ସାହାଣି(୮୦)ଙ୍କ ଗତ ଜାନୁଆରି ୧୩ ତାରିଖରେ ମୃତ୍ୟୁ ଘଟିଥିଲା। ପାର୍ବତୀଙ୍କ ମୃତ୍ୟୁକୁ ୪ମାସ ବିତିଛି। ତେବେ ପାର୍ବତୀ କୁଆଡ଼େ ଗତ ଏପ୍ରିଲ ମାସ ୧୪ ତାରିଖରେ ରିଟେଲର ପ୍ରସନ୍ନ କୁମାର ସାହାଣିଙ୍କ ଖାତାରେ ଟିପଚିହ୍ନ ଦେଇ ରାସନ ଚାଉଳ ଓ ସହାୟତା ରାଶି ଏକ ହଜାର ଟଙ୍କା ନେଇଛନ୍ତି। ମା ସ୍ବର୍ଗରୁ ଆସି ସଂପୃକ୍ତ ରିଟେଲରଙ୍କ ନିକଟରୁ ଚାଉଳ ଓ ଟଙ୍କା ନେଇଥିବା ଜାଣି ତାଙ୍କ ପୁଅ ଧ୍ରୁବଚରଣ ସାହାଣି ଘଟଣା ସଂପର୍କରେ ଧର୍ମଶାଳା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏଥିସହ ତାଙ୍କ ପରିବାରର ରାସନ କାର୍ଡ କଟିଯାଇଥିବା କହି ୩ ବର୍ଷରୁ ଅଧିକ କାଳ ହେଲା ୯ଜଣ ସଦସ୍ୟଙ୍କ ରାସନ ଚାଉଳ ହଡ଼ପ କରାଯାଇଥିବା ସେ ଥାନାରେ ଅଭିଯୋଗ କରିଛନ୍ତି।

ରାସନ ସାମଗ୍ରୀରୁ ବ‌ାଦ ପଡ଼ିଥିବା ୪୦ରୁ ଅଧିକ ହିତାଧକାରୀ ଆଜି ଧର୍ମଶାଳା ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚି ଏହି ମହାଦୁର୍ନୀତି ସଂପର୍କରେ ଯୋଗାଣ ନିରୀକ୍ଷକ ଜଗମୋହନ ଦାସଙ୍କ ନିକଟରେ ଅଭିଯୋଗ କରିଥିଲେ। ଏହି ସମୟରେ ଜିଲ୍ଲାପାଳ ରଞ୍ଜନ କୁମାର ଦାସ କରୋନା ସମୀକ୍ଷା କରିବା ପାଇଁ ବ୍ଲକ୍ କାର୍ଯ୍ୟାଳୟକୁ ଆସିଥିଲେ। ତାଙ୍କୁ ଘଟଣା ସଂପର୍କରେ ଅବଗତ କରିବା ପାଇଁ ରାସନରୁ ବଞ୍ଚିତ ହିତାଧିକାରୀ ଚେଷ୍ଟା କରିଥିଲେ ମଧ୍ୟ ସଫଳ ହୋଇନଥିଲେ। ରାସନ୍‌ ପାଇଁ ଆଗାମୀ ଦିନରେ ସେମାନେ ବ୍ଲକ୍ ଏବଂ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଲୋକମାନେ ଚେତାବନୀ ଦେଇଛନ୍ତି। ଅପରପକ୍ଷରେ ଆଧାରକାର୍ଡ ଦେଇ ନ ପାରିବାରୁ ସରକାରୀ ନିୟମ ଅନୁସାରେ ଏମାନଙ୍କୁ ରାସନ ସାମଗ୍ରୀ ଦେବା ବନ୍ଦ ହୋଇଯାଇଥିବା ଯୋଗାଣ ନିରୀକ୍ଷକ ଶ୍ରୀ ଦାସ ସୂଚନା ଦେଇଛନ୍ତି। ‌

ସମ୍ବନ୍ଧିତ ଖବର