ଇବନଦୀ‌ରେ ଗାଧୋଇଲା ବେଳେ ଜଣେ ବାଳକ ସମେତ ୩ ନିଖୋଜ, ଉଦ୍ଧାର ଜାରି

ସୁନ୍ଦରଗଡ଼: ଇବନଦୀ ସେମିନା ଘାଟରେ ଅଘଟଣ। ଶନିବାର ପରିବାର ସହ ବଣଭୋଜି କରିବାକୁ ଯାଇ ଗାଧୋଉଥିବା ବେଳେ ଗୋଟିଏ ପରିବାରର ୨ ନାବାଳକ ସହ ୩ ଜଣ ନିଖୋଜ। ନଦୀ ଚୋରାବାଲିରେ ସେମାନେ ବୁଡ଼ି ଯାଇଥିବା କୁହାଯାଉଛି। ସେମାନେ ‌ହେଲେ ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟର ମହମ୍ମଦ ଫରାନ (୧୫) ମହମ୍ମଦ ରିଜୱାନ (୧୭) ଓ ମହମ୍ମଦ ସାହିଦ (୩୫)। ମହମ୍ମଦ ଫରାନ (୧୫)ଙ୍କ ଜନ୍ମଦିନ ଥିବାରୁ ପରିବାର ଲୋକେ ଖୁସି ମନାଇବାକୁ ନଦୀପଠାକୁ ଆସିଥିଲେ। କେକ୍ କାଟିଥିଲେ, ନାଚିଥିଲେ। ହେଲେ ସେ ଖୁସି ଉତ୍ସବ ଯେ ଏତେ ବଡ଼ ବିଷାଦ ଆଣିଦେବ କିଏ ବା ଜାଣିଥିଲା।

ଭୋଜିର ମିଠା କୋଳାହଳ କିଛି କ୍ଷଣ ମଧ୍ୟରେ କାନ୍ଦବୋବାଳିରେ ପରିଣତ ହୋଇଗଲା। ଖବର ପାଇ ଅଗ୍ନିଶମ ବାହିନୀ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ପ୍ରକ୍ରିୟା ଜାରି ରଖିଛନ୍ତି। ବୋଟ୍ ସାହାଯ୍ୟରେ ବୁଡ଼ାଳି ପାଣିରେ ବୁଡ଼ି ଖୋଜୁଥିଲେ ମଧ୍ୟ ସେମାନଙ୍କ କୌଣସି ସନ୍ଧାନ ମିଳି ନାହିଁ। ମିଳିଥିବା ସୂଚନା ଅନୁସାରେ, ଶନିବାର ୧୦ଟାରେ ରିଜେଣ୍ଟ ମାର୍କେଟର ମହମ୍ମଦ ଅପ୍ପୁଙ୍କ ପରିବାର ମହମ୍ମଦ ଫରାନଙ୍କ ଜନ୍ମିନ ପାଇଁ ବଣଭୋଜି କରିବାକୁ ଇବନଦୀ ସେମିନା ଘାଟକୁ ଯାଇଥିଲେ। ସମସ୍ତେ ଖାଇସାରିବା ପରେ ପରିବାର ୨ ଭାଇ ମହମ୍ମଦ ଫରାନ ଓ ମହମ୍ମଦ ରିଜୱାନ ନଦୀକୁ ଗାଧୋଇବାକୁ ପଶିଥିଲେ। ହେଲେ ଚୋରା ବାଲିରେ ଦୁଇ ଭାଇଙ୍କ ଗୋଡ଼ ଫସି ଯାଇଥିଲା । ସେମାନେ ବୁଡ଼ିବାକୁ ଯାଉଥିବାବେଳେ ଆର୍ତ୍ତ ଚିତ୍କାର କରିଥିଲେ। ପାଟି ଶୁଣି କାକା ମହମ୍ମଦ ସାହିଦ ତାଙ୍କୁ ବଞ୍ଚାଇବାକୁ ପାଣିକୁ ଡେଇଁଥିଲେ। କିନ୍ତୁ ସେ ମଧ୍ୟ ଚୋରା ବାଲିରେ ଫସି ବୁଡ଼ି ଯାଇଥିଲେ । ମୁଖକର୍କଟରେ ଆକ୍ରାନ୍ତ ମହମ୍ମଦ ସାହିଦ ଚିକିତ୍ସା ପ‌ରେ ମୃତ୍ୟୁ ମୁଖରୁ ଫେରି ଆସିଥିଲେ। କିନ୍ତୁ ଏଠାରେ ତାଙ୍କୁ ମୃତ୍ୟୁ ଜଗିଥିଲା ‌ଯେମିତି। ୩ ଜଣଙ୍କ ନିଖୋଜ ପରେ କାନ୍ଦବୋବାଳିରେ ସାରା ଅଞ୍ଚଳ ଫାଟି ପଡ଼ିଥିଲା। କାନ୍ଦ ଓ ଆର୍ତ୍ତ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ମଧ୍ୟ ଦୌଡ଼ି ଆସିଥିଲେ। କିନ୍ତୁ ‌ସେମାନଙ୍କୁ ଉଦ୍ଧାର କରିବା ସମ୍ଭବ ହୋଇପାରି ନଥିଲା। ପରେ ପରେ ଅଗ୍ନିଶମ ବାହିନୀ ଓ ପୁଲିସ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଛନ୍ତି। କିନ୍ତୁ କାହାକୁ ଠାବ କରାଯାଇପାରି ନାହିଁ। ଅନ୍ଧାର ହୋଇଥିବାରୁ ଉଦ୍ଧାର ପ୍ରକ୍ରିୟା ବାଧାପ୍ରାପ୍ତ ହେଉଥିବା ସୂଚନା ଆସିଛି।

ସମ୍ବନ୍ଧିତ ଖବର