କାର୍ଗିଲ ବଜାରରୁ ଟ୍ରାକ୍ଟର ଚୋରି

କୋରେଇ: କୋରେଇ ଥାନା ଅନ୍ତର୍ଗତ ଧନେଶ୍ବର ପଞ୍ଚାୟତ ମୃତ୍ୟୁଞ୍ଜୟପୁର ଗ୍ରାମର କାର୍ଗିଲ ବଜାରରୁ ଗତ ୯ ତାରିଖ ଭୋରୁ ଏକ ଟ୍ରାକ୍ଟର ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏନେଇ ଟ୍ରାକ୍ଟର ମାଲିକ ମୃତ୍ୟୁଞ୍ଜୟପୁର ବାଡ଼ା ଗ୍ରାମର ପବିତ୍ର ମୋହନ ପ୍ରତିହାରୀ କୋରେଇ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୯ ତାରିଖ ଭୋର ପ୍ରାୟ ସାଢ଼େ ୩ଟା ବେଳେ କେହି ଦୁର୍ବୃତ୍ତ ପବିତ୍ରଙ୍କ ଟ୍ରାକ୍ଟର ନମ୍ବର ଓଡି-୩୪ଡି-୫୫୭୯କୁ ଚୋରି କରିନେଇଥିଲା। ସବୁଜ ରଙ୍ଗର ଏହି ଟ୍ରାକ୍ଟରଟି ଚୋରି ହେଉଥିବା ବେଳର ଦୃଶ୍ୟ ସିସି କ୍ୟାମେରାରେ କଏଦ ହୋଇଛି।

ଦୁର୍ବୃତ୍ତ ଜଣକ ଟ୍ରାକ୍ଟରକୁ ନେଇ ପଳାଇ ଯାଉଥିବା ବ‌େଳେ ଭୋରୁ ପାଣିକୋଇଲି-ରଗଡ଼ି ରାସ୍ତାର କୋରେଇ‌ ରେଳଫାଟକରେ ଡ୍ୟୁଟିରେ ଥିବା କର୍ମଚାରୀ ଦେଖିଥିଲେ। ହେଲେ ଟ୍ରାକ୍ଟରଟି ବାଲି ବୋଝେଇ ପାଇଁ ଯାଉଥିବା ଭାବି ରେଳ କର୍ମଚାରୀ ଜଣକ ଗୁରୁତ୍ବ ଦେଇନଥିଲେ। ଏନେଇ ଅଭିଯୋଗ ହେବା ପରେ କୋରେଇ ପୁଲିସ ଥାନା କେସ୍‌ ନମ୍ବର ୩୦୨/୨୨ରେ ମାମଲା ରୁଜୁ କରିଛି। କୋରେଇ ମୀନା ବଜାର, ରଗଡ଼ି ଛକ, କୋରେଇ ଷ୍ଟେସନ ପ୍ରଭୃତି ବିଭିନ୍ନ ସ୍ଥାନରେ ଥିବା ସିସି କ୍ୟାମେରା ଫୁଟେଜ୍‌କୁ ଆଧାର କରି ପୁଲିସ ତଦନ୍ତ ଜାରି ରଖିଛି। ଦୁର୍ବୃତ୍ତ ଟ୍ରାକ୍ଟରକୁ ନେଇ କୋରେଇ-ତୁଳତୀ ରାସ୍ତାରେ ପଳାଇ ଯାଇଥିବା ସନ୍ଦେହ ପ୍ରକାଶ ପାଇଛି। ଅଭିଯୋଗ ପରେ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି ବୋଲି ଥାନାଧିକାରୀ ଶ୍ରବଣ କୁମାର ମହାରଣା କହିଛନ୍ତି। ହେଲେ ଚୋରି ଟ୍ରାକ୍ଟର କିମ୍ବା ଦୁର୍ବୃତ୍ତଙ୍କ ସମ୍ପର୍କରେ କୌଣସି ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର