ଆଜିଠୁ ଦୁଇଦିନିଆ ସର୍ବଭାରତୀୟ ଖଣି ଓ ଇସ୍ପାତ ମନ୍ତ୍ରୀସ୍ତରୀୟ ସମ୍ମିଳନୀ

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ର ଇସ୍ପାତ ମନ୍ତ୍ରୀ, ଓଡ଼ିଶାରେ ଇସ୍ପାତ କ୍ଷେତ୍ରର ଉନ୍ନତି ପାଇଁ ଆଲୋଚନା କଲେ

ଭୁବନେଶ୍ବର : ବିଭିନ୍ନ ରାଜ୍ୟର ଖଣି ଓ ଇସ୍ପାତ ମନ୍ତ୍ରୀମାନଙ୍କର ଦୁଇ ଦିନିଆ ମନ୍ତ୍ରୀସ୍ତରୀୟ ସମ୍ମିଳନୀ ଆଜି ଠାରୁ କୋଣାର୍କ ଓ ଭୁବନେଶ୍ୱର ଠାରେ ଅନୁଷ୍ଠିତ ହେବ। କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜନ ହେଉଥିବା ଏହି ସମ୍ମିଳନୀରେ ଯୋଗଦେବା ପାଇଁ କେନ୍ଦ୍ର ଇସ୍ପାତ ମନ୍ତ୍ରୀ ରାମଚନ୍ଦ୍ର ପ୍ରସାଦ ସିଂହ ଏବଂ ଇସ୍ପାତ ରାଷ୍ଟ୍ର ମନ୍ତ୍ରୀ ଫଗନ୍‌ ସିଂହ କୁଲସ୍ତେ ଗୁରୁବାର ଦିନ ଭୁବନେଶ୍ବରରେ ପହଞ୍ଚିଛନ୍ତି।

କେନ୍ଦ୍ର ଇସ୍ପାତ ମନ୍ତ୍ରୀ ଭୁବନେଶ୍ବରରେ ପହଞ୍ଚିବା ପରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ଅବସରରେ ସେ ଓଡ଼ିଶାରେ ଇସ୍ପାତ କ୍ଷେତ୍ରରେ ଉନ୍ନତି ପାଇଁ ଆଲୋଚନା କରିଛନ୍ତି। ଏହାସହ ଟୁଇଟ୍ କରି କହିଛନ୍ତି ଯେ, ଖୁବ୍‌ ଶୀଘ୍ର ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟର ସମ୍ପ୍ରସାରଣ ହେବ। ଯାହା ରାଜ୍ୟରେ ଅର୍ଥନୈତିକ ଏବଂ ରୋଜଗାର ସୁଯୋଗ ସୃଷ୍ଟି କରିବ। ଅପରପକ୍ଷେ ଦୁଇଦିନିଆ ସମ୍ମିଳନୀରେ ଯୋଗଦେବା ପାଇଁ ବିଭିନ୍ନ ରାଜ୍ୟର ଖଣି ଓ ଶିଳ୍ପ ମନ୍ତ୍ରୀ, କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସମେତ ବିଭିନ୍ନ ରାଷ୍ଟ୍ରାୟତ୍ତ ଇସ୍ପାତ କମ୍ପାନୀର ବରିଷ୍ଠ ଅଧିକାରୀ ଓ ପ୍ରତିନିଧିମାନେ ଓଡ଼ିଶାରେ ପହଞ୍ଚିଛନ୍ତି। ପ୍ରଥମ ଦିନରେ କୋଣାର୍କରେ ଆୟୋଜନ ହେବାକୁ ଥିବା ଉଦ୍‌ଘାଟନୀ ଉତ୍ସବରେ ଇସ୍ପାତ ଓ ଖଣି କ୍ଷେତ୍ର ସହ ଜଡ଼ିତ ବିଭିନ୍ନ ବିଷୟ ବିଶେଷ କରି ରାଜ୍ୟମାନଙ୍କ ସମ୍ପର୍କରେ ସ୍ୱତନ୍ତ୍ର ଆଲୋଚନା ହେବ । ଏହାପରେ ୨୬ ଫେବୃଆରିରେ ଭୁବନେଶ୍ୱର ଠାରେ ସ୍ଥାନୀୟ ଶିଳ୍ପ ଜଗତର ପ୍ରତିନିଧିମାନଙ୍କ ସହିତ ଏକ ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ମଧ୍ୟ ଏଥିରେ ଯୋଗଦେବେ।

ଏହି ଅବସରରେ ‘ଇସ୍ପାତ କ୍ଷେତ୍ରରେ ରହିଥିବା ସମସ୍ୟା ଏବଂ ଆବଶ୍ୟକ ନୀତିଗତ ହସ୍ତକ୍ଷେପ’ ବିଷୟବସ୍ତୁକୁ ନେଇ ଏକ ଆଲୋଚନା ଅନୁଷ୍ଠିତ ହେବ। ବିଶେଷ କରି ଇସ୍ପାତ କ୍ଷେତ୍ର ପାଇଁ ପିଏଲଆଇ ଯୋଜନା ଉପରେ ଏକ ଉପସ୍ଥାପନା ଦିଆଯିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର