ବିଶ୍ବକପ୍‌ ଦଳରେ ଦୁଇ ଓଡ଼ିଆ: ଆର୍ଥିକ ଅନଟନରେ ଦିନ କଟିଥିଲା, ଦାରିଦ୍ର୍ୟ ହରାଇ ବିଶ୍ବବିଜୟୀ ପଥରେ ଅମିତ ଓ ସଞ୍ଜୀପ

ରାଉରକେଲା : ଜାନୁଆରି ୧୩ ତାରିଖରୁ ଉଭୟ ରାଉରକେଲା ଓ ଭୁବନେଶ୍ବରରେ ଖେଳାଯିବ ପୁରୁଷ ହକି ବିଶ୍ବକପ। ବିଶ୍ବକପ ଖେଳିବାକୁ ଘୋଷିତ ଭାରତୀୟ ଦଳରେ ସାମିଲ ହୋଇଛନ୍ତି ସୁନ୍ଦରଗଡ଼ ମାଟିର ତାରକା ଅମିତ ରୋହିଦାସ ଓ ନୀଲମ ସଞ୍ଜୀପ ଖେସ୍‌। ଅମିତ ୨୦୧୩ ମସିହାରୁ ଅନ୍ତର୍ଜାତୀୟସ୍ତରରେ ଚମତ୍କାର ପ୍ରଦର୍ଶନ ଜାରି ରଖିଥିବାବେଳେ ସଞ୍ଜୀପଙ୍କ ୬ ବର୍ଷର ଅନ୍ତର୍ଜାତୀୟ କ୍ରୀଡ଼ା ଜୀବନ ମଧ୍ୟ ବେଶ୍‌ ଆକର୍ଷଣୀୟ। ହକି ପଡ଼ିଆରେ ଉଭୟେ ନିଜର ପରାକାଷ୍ଠା ପ୍ରଦର୍ଶିତ କରିସାରିଥିବାବେଳେ ଏବେ ଭାରତୀୟ ଦଳର ନିର୍ଭରଯୋଗ୍ୟ ସଦସ୍ୟଭାବେ ପରିଗଣତ।

ତେବେ ଉଭୟଙ୍କ ଆଦ୍ୟ ଜୀବନ ପ୍ରାୟ ସମାନ। ଉଭୟେ ଘୋର୍‌ ଆର୍ଥିକ ଅନଟନ ଭିତରେ ଦିନ କାଟିଛନ୍ତି। କଅଁଳ ବୟସରେ ବାପା-ମା’ଙ୍କ ସହ ଚାଷ ଜମିକୁ ଯାଇ ସହଯୋଗ କରୁଥିଲେ। ସୁନ୍ଦରଗଡ଼ ଜିଲ୍ଲାର ପ୍ରତ୍ୟେକ ଛୋଟ ପିଲାଙ୍କ ଭଳି ସେମାନେ ବି ହକି ଖେଳିବାକୁ ଇଚ୍ଛା ଜାହିର କରିଥିଲେ। ଦାରିଦ୍ର୍ୟ ତାଡ଼ନାରେ ସେମାନଙ୍କ ପ୍ରତିଭା ଲୁଚି ଯିବା ପୂର୍ବରୁ କିନ୍ତୁ ସେମାନେ ରାଜ୍ୟ କ୍ରୀଡ଼ା ଛାତ୍ରାବାସର କୋଚ୍‌ଙ୍କ ନଜରକୁ ଆସିଯାଇଥିଲେ। ଅମିତ ପାନପୋଷସ୍ଥ ରାଜ୍ୟ କ୍ରୀଡ଼ା ଛାତ୍ରାବାସରେ ଓ ସଞ୍ଜୀପ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ବିଧିବଦ୍ଧ ତାଲିମ ନେଇଥିଲେ। ଏହା ପରଠାରୁ ଆଉ ଉଭୟ‌େ ପଛକୁ ଚାହିଁନାହାନ୍ତି।
ହକି କିମ୍ବଦନ୍ତୀ ଦିଲୀପ ତିର୍କୀଙ୍କ ଗାଁ ସଉନାମୁରାରେ ଜନ୍ମିତ ଅମିତ ରୋହିଦାସଙ୍କ ସଂଘର୍ଷ ନିଶ୍ଚିତଭାବେ ଲୋମହର୍ଷଣକାରୀ। ବାପା ଗୋପାଳ ରୋହିଦାସ ଦିନ ମଜୁରିଆ ଥିବାବେଳେ ମା’ ଗୋଳାପି ଗୃହିଣୀ। ନିଜସ୍ବ ଚାଷ ଜମି ନ ଥିବାରୁ ପର ଜମିରେ ଚାଷ କରୁଥିଲେ, ମୂଳ ଲାଗୁଥିଲେ। ବାପା-ମା’ ଦିନ ମଜୁରିଆଭାବେ କାମ କରି କଷ୍ଟେମଷ୍ଟେ ଚାରି ପୁଅ ଝିଅଙ୍କ ପାଠ ପଢ଼ା, ଖେଳରେ ବ୍ୟୟ କରୁଥିଲେ; କିନ୍ତୁ ଆୟ ପର୍ଯ୍ୟାପ୍ତ ନ ଥିଲା। ଏମିତିକି ପରିବାରର ଆବଶ୍ୟକତା ମେଣ୍ଟାଇବାକୁ ଅମିତଙ୍କ ବାପା ଗୋଆକୁ ଦାଦନ ଖଟିବାକୁ ବି ଯାଉଥିଲେ। ଅମିତ ଗାଁ ପଡ଼ିଆରେ ହିଁ ହକି ଷ୍ଟିକ୍‌ ଧରି ଖେଳିବା ଆରମ୍ଭ କରିଥିଲେ।

୨୦୦୪ ମସିହାରେ ସେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଯୋଗଦେବାପରେ, କ୍ରୀଡ଼ା ଜୀବନ ନୂଆ ମୋଡ଼‌ ନେଇଥିଲା। ଜାତୀୟ ଉପକନିଷ୍ଠ, କନିଷ୍ଠ ପ୍ରତିଯୋଗିତାରେ ଚମତ୍କାର ପ୍ରଦର୍ଶନ ପରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ୨୦୦୯ ଉପକନିଷ୍ଠ ଏସିଆ କପ୍‌ରେ ଭାଗନେବା ସହ ୨୦୧୨ ଏସିଆନ୍‌ ଚାମ୍ପିଅନସିପ୍‌ରେ ଭାରତୀୟ ଦଳରେ ସାମିଲ ହୋଇଥିଲେ। ୨୦୧୨ ଲଣ୍ଡନ ଅଲିମ୍ପିକ୍‌ ପାଇଁ କ୍ୟାମ୍ପ୍‌ରେ ସାମିଲ ହୋଇଥିଲେ, କିନ୍ତୁ ଚୂଡ଼ାନ୍ତ ତାଲିକାରେ ସ୍ଥାନ ସୁରକ୍ଷିତ କରିପାରିନଥିଲେ। ପରବର୍ତ୍ତୀ ସମୟରେ କିନ୍ତୁ ଏକାଧିକ ପ୍ରତିଯୋଗିତା, ରାଜ୍ୟ ଗୋଷ୍ଠି କ୍ରୀଡ଼ା(ରୌପ୍ୟ ପଦକ), ଟୋକିଓ ଅଲିମ୍ପିକ(କାଂସ୍ୟ), ୨୮ତମ ସୁଲତାନ ଆଜଲାନ ଶାହ କପ୍‌(ରୌପ୍ୟ), ଚାମ୍ପିଅନ୍‌ସ ଟ୍ରଫି(ରୌପ୍ୟ), ହକି ୱାର୍ଲ‌୍‌ଡ ଲିଗ୍‌(କାଂଶ୍ୟ), ଏସିଆ କପ୍‌ ବିଜୟୀ ଦଳର ସଦସ୍ୟ ଥିଲେ।

ବୀରମିତ୍ରପୁର କାଦୋବାହାଲରେ ଜନ୍ମିତ ସଞ୍ଜୀପଙ୍କ ବାଲ୍ୟ ଜୀବନରେ ମଧ୍ୟ ଦାରିଦ୍ର୍ୟତା ଜୀବନର ଅବିଚ୍ଛେଦ୍ୟ ଅଙ୍ଗ ପାଲଟିଯାଇଥିଲା। ପରିବାର କହିଲେ ବାପା- ବିପିନ ଖେସ୍‌, ମା’ ଜୀରା ଖେସକ୍‌, ବଡ଼ ଭାଇ ପ୍ରଦୀପ ଓ ଦୁଇ ବଡ଼ ଭଉଣୀ। ସମ୍ବଳ କହିଲେ ନାଁକୁ ମାତ୍ର ଜମି ଖଣ୍ଡିଏ। ସେଥିରେ ବାପା ଚାଷ କାମ କରୁଥିଲେ। ତେବେ ଯାହା ଫସଲ ହେଉଥିଲା, ତାହା ଖାଇବା ପାଇଁ ଯଥେଷ୍ଟ ନଥିଲା। ଏଣୁ ଧାନ ବିକ୍ରି କରି ପରିବାର ପୋଷଣ କରିବା ଦିବାସ୍ବପ୍ନ ଥିଲା। ବାପା-ମା’ ଦିନସାରା ବିଲରେ ରହୁଥିବାବେଳେ ସଞ୍ଜୀପଙ୍କ ମଧ୍ୟ ଦିନ କଟୁଥିଲା ଚାଷ ଜମିରେ। ବିଲରୁ ଫେରିଲେ ବଡ଼ଭାଇ ସହ ହକି ଖେଳୁଥିଲେ। ତେବେ ଏହି ହକି ପରବର୍ତ୍ତୀ ସମୟରେ ତାଙ୍କର ନିଶା ପାଲଟିଯାଇଥିଲା। ଚୟନ ଶିବିରରେ ଉତ୍କୃଷ୍ଟ ପ୍ରଦର୍ଶନକରି ୨୦୧୦ ମସିହାରେ ସୁନ୍ଦରଗଡ଼ କ୍ରୀଡ଼ା ଛାତ୍ରାବାସରେ ଭର୍ତ୍ତି ହୋଇଥିଲେ। ସେଠାରେ ପ୍ରାୟ ୩ ବର୍ଷ ଧରି ପ୍ରଶିକ୍ଷିତ ହେବାପରେ ପାନପୋଷ କ୍ରୀଡ଼ା ଛାତ୍ରାବାସରେ ଥିବା ‘ହକି ଉତ୍କର୍ଷ କେନ୍ଦ୍ର’ରେ ଦାଖଲ ହୋଇଥିଲେ। ଏଠାରେ ଦୁଇ ମାସ ପ୍ରଶିକ୍ଷଣ ନେବାପରେ ୨୦୧୪ରେ ଏହି କେନ୍ଦ୍ର ଭୁବନେଶ୍ବରକୁ ସ୍ଥାନାନ୍ତର ହେବାରୁ ତାଙ୍କୁ ଜନ୍ମମାଟି ଛାଡ଼ିବାକୁ ପଡ଼ିଥିଲା। ତେବେ ଯେବେ ବି ଖରାଛୁଟିରେ ଗାଁକୁ ଆସନ୍ତି, ବାପା-ମା’ଙ୍କୁ ସହଯୋଗର ହାତ ବଢ଼ାଇବାକୁ ପହଞ୍ଚିଯାହାନ୍ତି ବିଲକୁ। ଉପକନିଷ୍ଠ, କନିଷ୍ଠ ଓ ବରିଷ୍ଠ ଓଡ଼ିଶା ଦଳର ପ୍ରତିନିଧିତ୍ବ କରିବାସହ ଦଳ ପାଇଁ ସଫଳତା ଆଣିଦେଇଥିଲେ।

୨୦୧୬ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ପଦାର୍ପଣ ହୋଇଥିଲା। ୨୦୧୬ରେ ଗୌହାଟୀରେ ଅନୁଷ୍ଠିତ ଏସିଆନ୍‌ ଗେମ୍‌ସରେ ରୌପ୍ୟ ପଦକ ବିଜୟୀ ଭାରତୀୟ ଦଳର ସଦସ୍ୟ ଥିଲେ। ଉକ୍ତ ବର୍ଷ ତାଙ୍କ ଅଧିନାୟକତ୍ବରେ ୧୮ ବର୍ଷରୁ କମ୍‌ ଭାରତୀୟ ଦଳ ଚତୁର୍ଥ ଏସିଆ କପ୍‌ରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲା। ଏହାପରେ ଟୋକିଓରେ ଅନୁଷ୍ଠିତ ଅଲିମ୍ପିକ୍‌ ଟେଷ୍ଟ୍‌ ଇଭେଣ୍ଟ୍‌(୨୦୨୧), ଜାକାର୍ତ୍ତାରେ ଅନୁଷ୍ଠିତ ଏସିଆ କପ୍‌(୨୦୨୨) ଏସିଆନ୍‌ ଚାମ୍ପିଅନ୍‌ସ ଟ୍ରଫି(୨୦୨୨୧), ଭାରତ-ଏ’ ଆଦି ଦଳର ପ୍ରତିନିଧିତ୍ବ କରି ଅଷ୍ଟ୍ରେଲିଆନ ହକି ଲିଗ୍‌(୨୦୧୭), ୨୩ ବର୍ଷରୁ କମ୍‌ ଭାରତୀୟ ଦଳ ପକ୍ଷରୁ ପଞ୍ଚ ରାଷ୍ଟ୍ରୀୟ ହକି ପ୍ରତିଯୋଗିତା(୨୦୧୮)ରେ ନିଜର କଳାକୌଶଳ ପ୍ରଦର୍ଶିତ କରିଥିଲେ।

ସମ୍ବନ୍ଧିତ ଖବର