ସର୍ବଭାରତୀୟ କ୍ରିକେଟ୍: ୟୁନିଅନ ସ୍ପୋର୍ଟିଂ ଚାମ୍ପିଅନ

ଅନୁଗୁଳ : ରୋମାଞ୍ଚକର ଫାଇନାଲ୍‌ ମ୍ୟାଚ୍‌‌ରେ ଅନୁଗୁଳ କ୍ରିକେଟ କ୍ଲବ୍‌କୁ ପରାସ୍ତ କରି କଟକର ୟୁନିଅନ ସ୍ପୋର୍ଟିଂ ଜିଲ୍ଲା କ୍ରିକେଟ୍‌ ଆସୋସିଏସନ ଦ୍ବାରା ଆୟୋଜିତ ସର୍ବଭାରତୀୟ କ୍ରିକେଟ୍‌ କପ୍‌ରେ ଚାମ୍ପିଅନ୍‌ ହୋଇଛି। ସ୍ଥାନୀୟ କଦମ ପଡ଼ିଆରେ ରବିବାର ଖେଳାଯାଇଥିବା ଫାଇନାଲ୍‌ରେ ଦମ୍‌ଦାର ବ୍ୟାଟିଂ ବଳରେ କଟକ ଦଳ ୮ ୱିକେଟ୍‌ରେ ଏହି ମ୍ୟାଚ୍‌ ଜିତି ନେଇଥିଲା।

ଫାଇନାଲ୍‌ରେ ଅନୁଗୁଳ ୨୦ ଓଭରରେ ୪ ୱିକେଟ୍‌ ହରାଇ ୧୩୫ ରନ୍‌ କରିଥିଲା। ଦେବେନ୍ଦ୍ର କୁଅଁର ସର୍ବାଧିକ ୮୨ ରନ୍‌ (୫୭ ବଲ୍‌) କରିଥି‌ଲେ। ଜବାବରେ କଟକର ୟନିଅନ ସ୍ପୋର୍ଟିଂ ୧୭.୫ ଓଭରରେ ମାତ୍ର ୩ ୱିକେଟ୍‌ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚି ଯାଇଥିଲା। ଅରବିନ୍ଦ ସିଂହ ୬୨ (୪୨ ବଲ୍‌) ଓ ଲିଳାଧର ପ୍ରଧାନ ୫୫ ରନ୍‌ (୪୬ ବଲ୍‌) କରି ଦଳର ବିଜୟକୁ ସହଜ କରି ‌ଦେଇଥିଲେ। ଲିଳାଧର ଓ ଅରବିନ୍ଦ ଯଥାକ୍ରମେ ମ୍ୟାନ୍ ଅଫ୍ ଦି ଫାଇନାଲ୍ ଓ ମ୍ୟାନ୍ ଅପ୍ ଦି ଟୁର୍ଣ୍ଣାମେଟ୍ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ଆନ୍ତର୍ଜାତିକ କ୍ରିକେଟର୍‌ ତଥା ସାଂସଦ ଗୌତମ ଗମ୍ଭୀର, ଓସିଏ ଉପସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା, ଓସିଏର ଦୁଲାଲ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ। ଅନୁଗୁଳ ଜିଲ୍ଲା କ୍ରିକେଟ୍ ସଂଘର ସଭାପତି ତଥା ଓସିଏ ଆପେକ୍ସ କାଉନସିଲ୍ ସଦସ୍ୟ ପ୍ରତାପ ଚନ୍ଦ୍ର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ସମାରୋହରେ ଚାମ୍ପିଅନ ଦଳକୁ ୧ ଲକ୍ଷ ଓ ରନର୍ସ ଅପ୍ ଦଳକୁ ୭୫ ହଜାର ଟଙ୍କାର ଚେକ୍ ସହ ଟ୍ରଫି ପ୍ରଦାନ କରାଯାଇଥିଲା।

ସମ୍ବନ୍ଧିତ ଖବର