କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁଛନ୍ତି: ବିଜେଡି

ନିର୍ବାଚନ କମିସନ୍‌ଙ୍କ ନିକଟରେ ଅଭିଯୋଗ

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁଙ୍କ ନାମରେ ନିର୍ବାଚନ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗ ଆଣିଛି ବିଜେଡି। ଦଳ ପକ୍ଷରୁ କୁହାଯାଇଛି ଯେ ଧାମନଗର ଉପନିର୍ବାଚନରେ ବିଜେପିର ନିଶ୍ଚିତ ପରାଜୟ ଜାଣି ହତାଶ ହୋଇ ଶ୍ରୀ ଟୁଡ଼ୁ ଗତକାଲି ପ୍ରଚାର ବେଳେ ଆଚରଣବିଧି ଖୋଲା ଉଲ୍ଲଂଘନ କରିଛନ୍ତି।

ଗଣମାଧ୍ୟମକୁ ସେ କହିଛନ୍ତି ଯେ ‘ଧାମନଗରରେ ଜଳଶକ୍ତି ସମ୍ପର୍କିତ କେନ୍ଦ୍ର ସରକାରଙ୍କ ସମସ୍ତ କାମ ହାତକୁ ନିଆଯିବ। ମୁଁ ଏଠାରୁ ଗଲା ପରେ ସିଡବ୍ଲ୍ୟୁସି ଓ କେନ୍ଦ୍ର ସରକାରଙ୍କ ଅଧିକାରୀଙ୍କ ସହ ଆଲୋଚନା କରିବି। ସେମାନଙ୍କୁ ତୁରନ୍ତ ଧାମନଗର ପଠାଯିବ। ମାସକ ଭିତରେ ରିପୋର୍ଟ ଆସିବ ଓ ତୁରନ୍ତ କାମ ପାଇଁ ପଦକ୍ଷେପ ନିଆଯିବ।’ ନିର୍ବାଚନ ପ୍ରକ୍ରିୟା ଚାଲିଥିଲା ବେଳେ କୌଣସି ଜନପ୍ରତିନିଧିଙ୍କ ଦ୍ବାରା ସରକାରୀ କାମ ନେଇ ଏପରି ପ୍ରତିଶ୍ରୁତି ଦିଆଯିବା ସମ୍ପୂର୍ଣ୍ଣ ଭାବେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ। ମନ୍ତ୍ରୀ ଶ୍ରୀ ଟୁଡ଼ୁ ଏପରି ପ୍ରତିଶ୍ରୁତି ଦେଇ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ତେଣୁ ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେଡି ଦାବି କରିଛନ୍ତି। ଆଜିର ବିଜେଡିର ଏକ ପ୍ରତିନିଧି ଦଳ ନୂଆଦିଲ୍ଲୀରେ ନିର୍ବାଚନ କମିସନ୍‌ଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଥିଲା ବେଳେ ଆଉ ଏକ ପ୍ରତିନିଧି ଦଳ ଭୁବନେଶ୍ବରରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଫେରାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର