ଲକ୍ଷେ ଟପିଲା ଦୈନିକ ଟିକାକରଣ

ସୋମବାର ଆସିବ କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ବର : ରାଜ୍ୟରେ କିଛିଦିନ ଦୈନିକ ଟିକାକରଣ ୫୦ହଜାର ତଳକୁ ଖସିବା ପରେ ଆଜି ପୁଣି ଲକ୍ଷେ ଟପିଛି। ଶନିିବାର ରାଜ୍ୟରେ ୧ଲକ୍ଷ ୮ହଜାର ୧୫୦ଜଣଙ୍କୁ କରୋନା ଟିକା ଦିଆଯାଇଛି। ରାଜ୍ୟରେ ଗତକାଲି ୯ଲକ୍ଷ କୋଭିସିଲ୍‌ଡ ଟିକା ପହଞ୍ଚିବା ପରେ ପୁଣିଥରେ ଟିକାକରଣ ସଂଖ୍ୟା ବଢ଼ିଛି। ଆଜି ରାଜ୍ୟରେ ୧୮-୪୪ବର୍ଗର ୫୪,୫୧୧ଜଣ ପ୍ରଥମ, ୩୧୮୨ ଦ୍ବିତୀୟ, ୪୫ବର୍ଷରୁ ଅଧିକ ୧ଲକ୍ଷ ୨ହଜାର ୨୨୫ଜଣ ପ୍ରଥମ ଓ ୩୭,୭୨୭ଜଣ ଦ୍ବିତୀୟ ଡୋଜ୍ ଟିକା ନେଇଛନ୍ତି। ଏହାସହ ସ୍ବାସ୍ଥ୍ୟକର୍ମୀ ଓ ଆଗଧାଡ଼ିର ଯୋଦ୍ଧାଙ୍କୁ ମଧ୍ୟ ଟିକା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ ଏ ପର୍ଯ୍ୟନ୍ତ ୧କୋଟି ୨୦ଲକ୍ଷ ୬୦ହଜାର ୩୯୧ ଡୋଜ୍ ଟିକା ଦିଆଗଲାଣି। ଆସନ୍ତାକାଲି ରାଜ୍ୟରେ ୧୬୩ ଅଧିବେଶନରେ ଟିକା ଦିଆଯିବ। ଏଥିରେ କେନ୍ଦ୍ରାପଡ଼ା ୮୦, ପୁରୀ ୬୭ ଓ ରାୟଗଡ଼ାରେ ୧୬ ଅଧିବେଶନ ଅନୁଷ୍ଠିତ ହେବ। ରାଜ୍ୟରେ ଏବେ ସୁଦ୍ଧା ୯ଲକ୍ଷ ୮୧ହଜାର ୧୯୦ କୋଭିସିଲ୍‌ଡ ଓ ୩ଲକ୍ଷ ୯୧ହଜାର ୫୪୦ ଡୋଜ୍ କୋଭାକ୍ସିନ୍ ଟିକା ମହଜୁଦ ରହିଛି।

ସୋମବାର ଆସିବ କେନ୍ଦ୍ରୀୟ ଟିମ୍‌
ଭୁବନେଶ୍ବର : ଓଡ଼ିଶା ସମେତ ୬ଟି ରାଜ୍ୟ‌ରେ କରୋନା ସଂକ୍ରମଣ କମୁ ନ ଥିବାରୁ ଏ ନେଇ କେନ୍ଦ୍ର ସରକାର ଏସବୁ ରାଜ୍ୟକୁ ସ୍ବତନ୍ତ୍ର ଟିମ୍ ପଠାଇଛନ୍ତି। ଓଡ଼ିଶା ଆସୁଥିବା ବିଶେଷଜ୍ଞ ଦଳର ନେତୃତ୍ବ ନେଉଥିବା ଏଆଇଆଇଏଚ୍‌ ଏଣ୍ଡ ପିଏଚ୍‌ର ବିଶେଷଜ୍ଞ ଡା. ଏ.ଡାନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ଥିବାରୁ ତାଙ୍କ ବଦଳରେ ଅନ୍ୟ ଜଣେ ବିଶେଷଜ୍ଞ ଆସି‌ବେ ବୋଲି ଜଣାପଡ଼ିଛି। ତେଣୁ ଆସନ୍ତା ସୋମବାର ବେଳକୁ ଟିମ୍ ଓଡ଼ିଶାରେ ପହଞ୍ଚିବେ ବୋଲି ଆଶା କରାଯାଉଛି। ଏହି ଦୁଇ ଜଣିଆ ଟିମ୍ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ସହିତ କରୋନା ସଂକ୍ରମଣ ଉପରେ ଆଲୋଚନା କରିବେ। ପରବର୍ତୀ ସମୟରେ କିଛି ଜିଲ୍ଲା ଗସ୍ତ କରିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ଟିମ୍ କରୋନା ଟେଷ୍ଟିଂ, ନିରୀକ୍ଷଣ, ନିୟନ୍ତ୍ରଣ ଓ ପରିଚାଳନା ଆଦିର ସାମଗ୍ରିକ କାର୍ଯ୍ୟକାରିତାର ଟିମ୍ ତଦାରଖ କରିବେ।

ସମ୍ବନ୍ଧିତ ଖବର