କୁମୁଦ ସାଉଁନ୍ତାଙ୍କ ପ୍ରାର୍ଥିତ୍ବକୁ ବିରୋଧ : ବିଜେପି କାର୍ଯ୍ୟାଳୟରେ ଭଙ୍ଗାରୁଜା ଓ ପୋଡ଼ାଜଳା

ଲକ୍ଷ୍ମୀପୁର : ବିଜେପିର ପ୍ରାର୍ଥୀ ଚୟନକୁ ନେଇ ଲକ୍ଷ୍ମୀପୁର ବିଜେପି କର୍ମୀ ମହଲରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି। ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀରେ ବିଜେପିର ଏକାଧିକ ପ୍ରାର୍ଥୀ ଆଶାୟୀ ରହିଥିବା ବେଳେ ଦଳ ଏଠାରୁ କୁମୁଦ ସାଉଁନ୍ତାଙ୍କୁ ପ୍ରାର୍ଥୀ ଘୋଷଣା କରିଛି। କୁମୁଦଙ୍କ ପ୍ରାର୍ଥିତ୍ବକୁ ବିରୋଧ କରି ଦଳୀୟ କର୍ମୀ ଗତ ଶୁକ୍ରବାର ଦିନ ବିଜେପି କାର୍ଯ୍ୟାଳୟ ପରିସରରେ ତୁମୁଳକାଣ୍ଡ ଭିଆଇଛନ୍ତି। ଏଭଳିକି ଟିକଟ ଦୌଡରେ ଥିବା ଆଶାୟୀଙ୍କ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇ କୁମୁଦଙ୍କ ପ୍ରାର୍ଥିତ୍ବକୁ ବିରୋଧ କରାଯିବା ସହ ତୁରନ୍ତ ଟିକଟ ପ୍ରତ୍ୟାହାର କରାନଗଲେ ନିର୍ବାଚନ ମଣ୍ଡଳୀର ୭ଟି ମଣ୍ଡଳ ସଭାପତିଙ୍କ ସହ ଆଶାୟୀ ପ୍ରାର୍ଥୀ, କର୍ମକର୍ତ୍ତା ଇସ୍ତଫା ଦେବା ସହ ଦଳକୁ ସହଯୋଗ କରିବେ ନାହିଁ ବୋଲି କହିଥିଲେ। ଏଭଳିକି ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ମଇଦାନକୁ ଓଲ୍ଲାଇବେ ବୋଲି ଚେତାବନୀ ଦେଇଥିଲେ। ସମ୍ବାଦିକ ସମ୍ମିଳନୀ ଶେଷ ହେବା ପୂର୍ବରୁ କର୍ମୀମାନେ ପାଟିତୁଣ୍ଡ କରିବା ସହ ବିଜେପି କାର୍ଯ୍ୟାଳୟ ପରିସରରେ ଭଂଗାରୁଜା କରି ଅଫିସ ମଧ୍ୟରେ ଥିବା କାଗଜପତ୍ର ଓ ଦଳୀୟ ପତାକାକୁ ପୋଡି ଦେଇଥିଲେ। ଜିଲ୍ଲା ସଭାପତି ବିଜୟ ମିଶ୍ର, କୋରାପୁଟ ସାଂସଦ ପ୍ରାର୍ଥୀ ଜୟରାମ ପାଙ୍ଗି ଟଙ୍କା କାରବାର କରି ଦୁଇମାସ ପୂର୍ବେ ଦଳରେ ଯୋଗଦେଇଥିବା କୁମୁଦ ସାଉଁନ୍ତାଙ୍କୁ ଟିକଟ ପ୍ରଦାନ କରିଥିବା ନେଇ ବିଜେପି ଲକ୍ଷ୍ମୀପୁର ମଣ୍ଡଳର ସଂପାଦକ ତଥା ଆଶାୟୀ ପ୍ରାର୍ଥୀ ବିପିନ ମାଣ୍ଡିଙ୍ଗା, ମହେଶ୍ବର ହିକକା, ଅନନ୍ତ ହୁଇକା, ଏସସି ସେଲ୍ ଜିଲ୍ଲା ସଭାପତି ଅଗସ୍ତି ହାଲୱା ପ୍ରମୁଖ ଅଭିଯୋଗ କରିଥିଲେ। ଦଳର ତୃଣମୂଳ ସ୍ତରରୁ ସଂଗଠନ କାମ କରିଆସୁଥିବା ବେଳେ ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରାନଯାଇ ଟିକଟ ଦିଆଯାଇଥିବା ଅଭିଯୋଗ ହୋଇଥିଲା। ବିଜେଡିରେ ଥିବା ବେଳେ ଜୟରାମ ପାଙ୍ଗି ଲକ୍ଷ୍ମୀପୁର ଆସନରେ ହେମା ଗମାଂଗଙ୍କୁ ଟିକଟ କରାଇଥିଲେ। ଦଳର ସ୍ବାର୍ଥକୁ ଛାଡି ସେ ନିଜ ସ୍ବାର୍ଥରେ କାମ କରୁଥିବା ଯୋଗୁଁ ତାଙ୍କୁ ମହଙ୍ଗା ପଡିବ ବୋଲି କହିଥିଲେ। ଦଳୀୟ କାର୍ଯ୍ୟାଳୟରେ ଭଂଗାରୁଜା ଓ ପୋଡାଜଳା ସମୟରେ ବହୁ ଦଳୀୟ କର୍ମୀ ବି ଉପସ୍ଥିତ ରହିଥିଲେ।

ସମ୍ବନ୍ଧିତ ଖବର