ଗିଫ୍ଟ ବୋମା ବିସ୍ଫୋରଣ ଘଟଣା: ରୀମାଙ୍କ ବୟାନ ରେକର୍ଡ

କଟକ/ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ବ୍ରହ୍ମପୁରା ଭୋଳାନାଥପଡ଼ାରେ ଗିଫ୍ଟ ବୋମା ବିସ୍ଫୋରଣ ଘଟଣାରେ ଆହତ ନବବଧୂ ରୀମା ସାହୁଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଘଟିଛି। ତଥାପି ତାଙ୍କୁ ମେଡିକାଲ୍‌ ନିରୀକ୍ଷଣରେ ରଖାଯାଇ ଘା’ ଶୁଖିବା ପାଇଁ ଔଷଧ ଦିଆଯାଉଛି। ଘା’ ଶୁଖିବା ପରେ ପ୍ଲାଷ୍ଟିକ୍‌ ସର୍ଜରୀ କାର୍ଯ୍ୟ ଆରମ୍ଭ ହେବ ବୋଲି ଏସ୍‌ସିବି ମେଡିକାଲ୍‌ ପ୍ଲାଷ୍ଟିକ୍‌ ସର୍ଜରି ବିଭାଗର ପ୍ରଫେସର ଡାକ୍ତର ଅନ୍ନଦା ପଟ୍ଟନାୟକ ସୂଚନା ଦେଇଛନ୍ତି। ରୀମାଙ୍କ ବାମପଟ ଆଖି ଆଘାତପ୍ରାପ୍ତ ହୋଇଥିଲେ ବି ବର୍ତ୍ତମାନ ଧିରେ ଧିରେ ତାଙ୍କର ଦୃଷ୍ଟିଶକ୍ତି ଫେରୁଛି। ଆଖି ସଂପୂର୍ଣ୍ଣ ଠିକ୍‌ ହେବାକୁ ଆହୁରି କିଛି ଦିନ ସମୟ ଲାଗିପାରେ ବୋଲି କୁହାଯାଉଛି।

ଅନ୍ୟପକ୍ଷରେ ଆଜି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ପାଟଣାଗଡ଼ ଥାନାର ଜଣେ ମହିଳା ସବ୍‌ଇନ୍‌ସ୍‌ପେକ୍ଟର ରୀମାଙ୍କ ବୟାନ ରେକର୍ଡ କରିଛନ୍ତି। ସ୍ୱାମୀ ସୌମ୍ୟରଂଜନଙ୍କ ସହିତ ତାଙ୍କର ସଂପର୍କ, ଘଟଣା ଘଟିବା ଦିନର ପରିସ୍ଥିତି ଇତ୍ୟାଦି ସମ୍ପର୍କରେ ରୀମା ଓ ତାଙ୍କର ବାପା-ମା’ଙ୍କୁ ମଧ୍ୟ ପଚରାଯାଇଥିଲା। କିନ୍ତୁ କୌଣସି ମତେ ସ୍ୱାମୀ ସୌମ୍ୟରଂଜନଙ୍କ ମୃତ୍ୟୁ ଖବର ରୀମାଙ୍କୁ ଜଣାଯାଇ ନଥିବା କୁହାଯାଇଛି। ତେଣୁ ବର୍ତ୍ତମାନ ସୁଦ୍ଧା ସୌମ୍ୟରଂଜନଙ୍କ ମୃତ୍ୟୁ ବିଷୟରେ ରୀମା ସଂପୂର୍ଣ୍ଣ ଅଜ୍ଞ ଅଛନ୍ତି। ଏବେବି ସ୍ୱାମୀ ସୌମ୍ୟରଂଜନ ଓ ଜେଜେମା’ ମେଡିକାଲ୍‌ରେ ଚିକିତ୍ସାଧୀନ ରହିଥିବା ତାଙ୍କୁ କୁହାଯାଉଛି। ଯଦିଓ ରୀମା ଭଲରେ କଥାବାର୍ତ୍ତା କରିପାରୁନାହାନ୍ତି, ତଥାପି ଅଧିକାଂଶ ସମୟରେ ସେ ତାଙ୍କ ସ୍ୱାମୀଙ୍କ ସ୍ୱାସ୍ଥ୍ୟାବସ୍ଥା ଜାଣିବାକୁ ଚାହୁଁଛନ୍ତି। ଏପରିକି କୋରିୟର୍‌ରେ ପାର୍ସଲ ଆସିବା ଓ ତାହାକୁ ଖୋଲିବା ସମୟରେ ବିସ୍ଫୋରଣ ହେବା ଘଟଣାକୁ ସେ ବାରମ୍ବାର ବାପ-ମା’ଙ୍କୁ କହୁଥିବା ବାପା ସୁଦାମ ସାହୁ ସୂଚନା ଦେଇଛନ୍ତି।

ସେପଟେ ଶନିବାର ସଂଧ୍ୟାରେ ବଲାଙ୍ଗୀର ଏସ୍‌ପି କେ.ଶିବାସୁବ୍ରମଣି ପାର୍ସଲ ବୋମା ବିସ୍ଫୋରଣ ପଛରେ ପ୍ରେମ ବ୍ୟାପାର ରହିଥିବା ଇଙ୍ଗିତ କରିଛନ୍ତି। କହିଛନ୍ତି, ଶ୍ରୀ ସାହୁଙ୍କ ପରିବାର ଲୋକଙ୍କୁ ପଚରା ଉଚରା କରିବା ସହ ପ୍ରେମ, ପୂର୍ବ ଶତ୍ରୁତା ଦିଗ ନେଇ ଯାଞ୍ଚ କରିଥିଲୁ। ଏହି ମାମଲାରେ ପ୍ରେମ ସଂପର୍କ ରହିଥିବା ଖିଅ ମିଳିଛି। ଘଟଣାର ତଦନ୍ତ ଜାରି ରହିଛି। ଏଥିସହ ବେଙ୍ଗାଲୁରୁରୁ ରାୟପୁରର ଲିଙ୍କ୍‌ ସଂପର୍କରେ ଖୋଳତାଡ଼ ହେଉଛି।’

ସମ୍ବନ୍ଧିତ ଖବର