ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି

ବିଚାର କରିବେ ପଞ୍ଚଦଶ ଅର୍ଥ କମିସନ!

ନୂଆଦିଲ୍ଲୀ : ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ଦାବି ଉପରେ ପଞ୍ଚଦଶ ଅର୍ଥ କମିସନ ବିଚାର କରିବେ। ଏପରିକି ଓଡ଼ିଶା ସମେତ ଆନ୍ଧ୍ରପ୍ରଦେଶ, ବିହାର ଭଳି ରାଜ୍ୟ ଯଦି ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରଦାନ ସମ୍ପର୍କିତ ପ୍ରସ୍ତାବ ଦିଅନ୍ତି, ତାହାକୁ ମଧ୍ୟ ପଞ୍ଚଦଶ ଅର୍ଥ କମିସନ ବିଚାର ପରିସରଭୁକ୍ତ କରିବେ ବୋଲି ଜଣାପଡ଼ିଛି। କେନ୍ଦ୍ର ସରକାରଙ୍କ ପୂର୍ବତନ ସଚିବ ଏନ୍‌.କେ.ସିଂହଙ୍କ ଅଧ୍ୟକ୍ଷତାରେ ଗତବର୍ଷ ନଭେମ୍ବର ୨୭ ତାରିଖରେ ଗଠିତ ଏହି ପଞ୍ଚଦଶ ଅର୍ଥ କମିସନର ସମସ୍ତ ୪ଜଣ ସଦସ୍ୟ ଆସନ୍ତା ମାସରୁ ସବୁ ରାଜ୍ୟ ଗସ୍ତ କରିବେ। କମିସନ ରାଜ୍ୟ ପରିଦର୍ଶନ କରି ୪ଟି ପର୍ଯ୍ୟାୟରେ ଆଲୋଚନା କରିବା ପରେ କେନ୍ଦ୍ର ସରକାରଙ୍କୁ ୨୦୧୯ ଅକ୍ଟୋବର ୩୦ ସୁଦ୍ଧା ରିପୋର୍ଟ ପ୍ରଦାନ କରିବେ। ଏହି ଗସ୍ତ ସମୟରେ କମିସନ ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ସରକାରଙ୍କ ସହ, ଦ୍ୱିତୀୟରେ ରାଜ୍ୟର ବିଭିନ୍ନ ରାଜନୈତିକ ଦଳଙ୍କ ସହ, ତୃତୀୟରେ ରାଜ୍ୟର ବିଭିନ୍ନ ବ୍ୟାବସାୟିକ ପ୍ରତିଷ୍ଠାନ ତଥା ସଂଗଠନଙ୍କ ସହ ଏବଂ ପରିଶେଷରେ ପଞ୍ଚାୟତ, ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ନଗର ନିଗମ ପ୍ରତିନିଧିଙ୍କ ସହ ଆଲୋଚନା କରିବେ।

ସୂଚନା ଥାଉ କି, ଓଡ଼ିଶା, ବିହାର ସମେତ ଅନ୍ୟ କିଛି ରାଜ୍ୟ ଦୀର୍ଘବର୍ଷ ଧରି ରାଜ୍ୟର ସାମୂହିକ ବିକାଶ ପାଇଁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରିଆସୁଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ ସ୍ୱତନ୍ତ୍ର ଓ ସାଧାରଣ ପାହ୍ୟା ରାଜ୍ୟଙ୍କ ଭିତରେ କୌଣସି ପାର୍ଥକ୍ୟ ରଖିନଥିଲେ। ରାଜ୍ୟମାନଙ୍କର ରାଜସ୍ୱକୁ ଆକଳନ କରିବା ସହ କେନ୍ଦ୍ରୀୟ କର ହାରକୁ ୨୦୧୫ରୁ ୨୦୨୦ ମସିହା ମଧ୍ୟରେ ୩୨ରୁ ୪୨ ପ୍ରତିଶତକୁ ବୃଦ୍ଧି କରିଥିଲେ। ଅପରପକ୍ଷେ, ଆସାମ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକିମ, ଅରୁଣାଚଳପ୍ରଦେଶ, ହିମାଚଳ ପ୍ରଦେଶ, ତ୍ରିପୁରା, ଉତ୍ତରାଖଣ୍ଡ ଏବଂ ଜମ୍ମୁ-କଶ୍ମୀର ପରି ଯେଉଁ ୧୧ଟି ରାଜ୍ୟକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ମାନ୍ୟତା ମିଳିଛି, ସେସବୁ ରାଜ୍ୟରେ ବିଶେଷ ଭାବେ ବିକାଶର ପ୍ରଭାବ ପଡ଼ିପାରିନାହିଁ। ତେବେ ସମ୍ପ୍ରତି ଆନ୍ଧ୍ରପ୍ରଦେଶ ଓ ବିହାର ସ୍ୱତନ୍ତ୍ର ପାହ୍ୟାା ଦାବିକୁ ଜୋରସୋରରେ ଉପସ୍ଥାପନ କରୁଥିବା ବେଳେ ଓଡ଼ିଶା ମଧ୍ୟ ବିଭିନ୍ନ ମହଲରେ ଏ ନେଇ ଦାବି କରୁଛି।

ସମ୍ବନ୍ଧିତ ଖବର