ହରପ୍ରସାଦ ଦାସଙ୍କୁ ‘ଯଦୁନାଥ ସାହିତ୍ୟ ସମ୍ମାନ’

ଭୁବନେଶ୍ୱର: ଯଦୁନାଥ ଦାଶମହାପାତ୍ର ଫାଉଣ୍ଡେସନ୍‌ ପକ୍ଷରୁ ବିଶିଷ୍ଟ ସାହିତ୍ୟିକ ଯଦୁନାଥ ଦାଶମହାପାତ୍ରଙ୍କ ୯୦ତମ ଜୟନ୍ତୀ ଉତ୍ସବ ଜୟଦେବ ଭବନଠାରେ ଆୟୋଜିତ ହୋଇଯାଇଛି। ଏଥିରେ ଶ୍ରୀ ଦାଶମହାପାତ୍ରଙ୍କ ସମେତ ବିଶିଷ୍ଟ ସମାଲୋଚକ ବୈଷ୍ଣବ ଚରଣ ସାମଲ ଓ ନାଟ୍ୟକାର ରମେଶ ପ୍ରସାଦ ପାଣିଗ୍ରାହୀ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଜୀବନବ୍ୟାପୀ ସାହିତ୍ୟ ସାଧନା ପାଇଁ ବରିଷ୍ଠ କବି ହରପ୍ରସାଦ ଦାସଙ୍କୁ ‘ଯଦୁନାଥ ସାହିତ୍ୟ ସମ୍ମାନ’ ପ୍ରଦାନ କରାଯାଇଛି। ସେହିପରି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ, ରଣଜିତ୍‌ ପଟ୍ଟନାୟକ ଓ ସୁନାମଣି ରାଉତଙ୍କୁ ମଧ୍ୟ ଏହି ଅବସରରେ ସମ୍ମାନିତ କରାଯାଇଛି। ଫାଉଣ୍ଡେସନ୍‌ର ସଭାପତି ଦିଲ୍ଲୀପ ଶ୍ରୀଚନ୍ଦନ ସଭାରେ ଅଧ୍ୟକ୍ଷତା କରିଥିଲେ। ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ କବି ପ୍ରସନ୍ନ କୁମାର ମହାନ୍ତି, କବି ରକ୍ଷକ ନାୟକ ଓ କବି ମମତା ପଟ୍ଟନାୟକ ଶ୍ରୀ ଦାଶମହାପାତ୍ରଙ୍କ କବିତା ପାଠ କରିଥିଲେ। ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ସୂର୍ଯ୍ୟ ମିଶ୍ର ଧନ୍ୟବାଦ ଜଣାଇଥିଲେ। ଏହି କାର୍ଯ୍ୟକ୍ରମରେ ପଦ୍ମଭୂଷଣ ରମାକାନ୍ତ ରଥ, ସାହିତ୍ୟିକ ବିଭୂତି ପଟ୍ଟନାୟକ ଓ ଶିଶୁ ସାହିତ୍ୟିକ ଦାଶ ବେନହୁର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର