ମାଲକାନଗିରି: ମାଓ ସଂଗଠନର କେନ୍ଦ୍ରୀୟ କମିଟି ମହାସଚିବ ନମ୍ବାଲା କେଶବ ରାଓ ଓରଫ ବାସବରାଜୁ ଏନ୍କାଉଣ୍ଟରରେ ନିହତ ପରେ ପରବର୍ତ୍ତୀ ମହାସଚିବଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପୁଲିସ୍ ଗୁଳିରେ ସଂଗଠନର ମହାସଚିବଙ୍କ ମୃତ୍ୟୁ ଘଟଣା ନକ୍ସଲ ଇତିହାସରେ ପ୍ରଥମ ହୋଇଥିବାରୁ ସଂଗଠନ ଏହାକୁ ଗୁରୁତ୍ବର ସହ ନେଇଛି। ବାସବରାଜୁଙ୍କ ମୃତ୍ୟୁ ପରେ ମାଓ ସଂଗଠନ ଦିଗହରା ହୋଇ ପଡ଼ିଥିବାରୁ ନୂତନ ମହାସଚିବ ଚୟନ ପାଇଁ ଲାଲଗଡ଼ରେ ଆରମ୍ଭ ହୋଇଛି ବିଚାର ବିମର୍ଶ। ଶୀର୍ଷ ନେତା ତଥା ପୂର୍ବତନ ମହାସଚିବ ମୁପଲା ଲକ୍ଷ୍ମଣ ରାଓ ଓରଫ୍ ଗଣପତି, ମେଲ୍ଲୋଜୁଲା ବେଣୁଗୋପାଳ ଓରଫ ଅଭୟ ଏବଂ ଥିପୁରି ତିରୁପତି ଓରଫ କୁମା ଦାଦାଙ୍କ ନାମକୁ ନେଇ ଚର୍ଚ୍ଚା ଜୋର୍ ଧରିଛି।
ଛତିଶଗଡ଼ର ଅବୁଝମଡ଼ ଜଙ୍ଗଲରେ ପୁଲିସ୍ ଓ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଚାଲିଥିବା ବଡ଼ଧରଣର ଅପରେସନ୍ରେ ଗତ ଗୁରୁବାର ମାଓ ସଙ୍ଗଠନର ମୁଖିଆ ତଥା ମହାସଚିବ ବାସବରାଜୁଙ୍କ ମୃତ୍ୟୁ ହୋଇଥିଲା। ଏହା ପରେ ମାଓ ସଂଗଠନରେ ସୃଷ୍ଟି ହୋଇଥିବା ଶୂନ୍ୟ ସ୍ଥାନ ପୂରଣ ପାଇଁ ଲାଗି ରହିଛି କଳ୍ପନାଜଳ୍ପନା। ପୂର୍ବରୁ ମହାସଚିବ ଦାୟିତ୍ବ ତୁଲାଇଥିବା ଗଣପତିଙ୍କୁ ୨୦୧୮ ମସିହାରେ ସ୍ୱାସ୍ଥ୍ୟଗତ କାରଣରୁ ମୁଖିଆ ପଦରୁ ଅବସର ଦେଇଥିଲା ସଂଗଠନ। ଏହା ପରେ ଦାୟିତ୍ବ ନେଇଥିଲେ ବାସବରାଜୁ। ବାସବରାଜୁ ନିହତ ହେବା ପରେ ଗଣପତିଙ୍କୁ ପୁନଃ ଦାୟିତ୍ୱ ପ୍ରଦାନ ନେଇ ଗୁଇନ୍ଦା ତଥ୍ୟ ହସ୍ତଗତ ହୋଇଛି। ଅନ୍ୟପକ୍ଷରେ ଗଣପତିଙ୍କ ବୟସ ୭୫ ଟପିଥିବାରୁ ତାଙ୍କୁ ଦାୟିତ୍ବ ମିଳିବାର ସମ୍ଭାବନା ବହୁତ କମ୍। ଗଣପତିଙ୍କ ପରେ ଚର୍ଚ୍ଚାରେ ରହିଛି ଅଭୟ ଓରଫ ସୋନୁ ଓରଫ ଭୂପତିଙ୍କ ନାମ। ଅଭୟ କେନ୍ଦ୍ରୀୟ କମିଟିର ପଲିଟି ବ୍ୟୁରୋ ସଦସ୍ୟ ସହିତ ସେଣ୍ଟ୍ରାଲ୍ ରିଜିଓନାଲ୍ ବ୍ୟୁରୋର କମାଣ୍ଡର ଓ କେନ୍ଦ୍ରୀୟ କମିଟି ପ୍ରବକ୍ତା ଭାବେ ଦାୟିତ୍ବ ତୁଲାଉଛି।
ତେଲେଙ୍ଗାନା ରାଜ୍ୟ ପେଦ୍ଦାପଲି ନିବାସୀ ୭୦ ବର୍ଷୀୟ ଅଭୟ ଆଇଟିଆଇ ସହ ବିକମ୍ ପାସ କରିଛନ୍ତି। ଗତ ୪ ଦଶନ୍ଧି ଧରି ମାଓ ସଂଗଠନର ସକ୍ରିୟ ଥିବା ଅଭୟ ନାଁରେ ଅପରାଧର ଲମ୍ବା ଫର୍ଦ୍ଦ ରହିଛି। କେବଳ ଛତିଶଗଡ଼ରେ ତାଙ୍କ ମୁଣ୍ଡ ଉପରେ ଏକ କୋଟି ଟଙ୍କାର ପୁରସ୍କାର ରହିଛି। ଅନ୍ୟତମ ଟପ୍ ମାଓନେତା କୁମା ଦାଦାଙ୍କୁ ମଧ୍ୟ କେନ୍ଦ୍ରୀୟ କମିଟି ମହାସଚିବ ପଦରେ ଅବସ୍ଥାପିତ କରିବା ନେଇ ଚିନ୍ତା କରୁଛି। କୁମା ଦାଦା ଓରଫ ଦେବଜୀ ଓରଫ ଚେତନ ସେଣ୍ଟ୍ରାଲ ମିଲିଟାରି କମିସନର୍ ଇନ୍ଚାର୍ଜ ଦାୟିତ୍ୱ ତୁଲାଇବା ସହ ମାଓବାଦୀଙ୍କ ଯୋଗାଯୋଗ ବିଭାଗ ମୁଖ୍ୟ ଭାବେ କାମ କରୁଛି। ୬୨ ବର୍ଷୀୟ କାମୁ ଦାଦା ଯୁକ୍ତ ଦୁଇ ପଢ଼ିଥିବା ବେଳେ ଘର ତେଲେଙ୍ଗାନର ଜଗତିଆଲରେ। ତାଙ୍କ ମୁଣ୍ଡରେ ବିଭିନ୍ନ ରାଜ୍ୟରେ କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଛି। ଦକ୍ଷ ମୁଖିଆ ବାଛିବା ପ୍ରକ୍ରିୟା ଆରମ୍ଭ କରିବାକୁ ମାଓ ସଂଗଠନ ଯୋଜନା କରୁଥିବା ବେଳେ ଘଞ୍ଚ ଜଙ୍ଗଲରେ ଏକାଠି ହୋଇପାରୁନାହାନ୍ତି ମାଓବାଦୀ। ସାଧାରଣତଃ ପଲ୍ଟି ବ୍ୟୁରୋ ସଦସ୍ୟ ତଥା କେନ୍ଦ୍ରୀୟ କମିଟି ସଦସ୍ୟଙ୍କୁ ନେଇ ଆୟୋଜିତ ପ୍ଲେନାରି ବୈଠକରେ ଏପରି ବଡ଼ ନିଷ୍ପତ୍ତି ନେଇଥାନ୍ତି ମାଓ ସଂଗଠନ। ଅବୁଝମଡ଼, କେରେଗୁଟ୍ଟା ପାହାଡ଼ ସାଙ୍ଗକୁ ବିଭିନ୍ନ ଜଙ୍ଗଲ ଉପରେ ଯବାନ ତୀକ୍ଷ୍ଣ ନଜର ରଖିଥିବାରୁ ପ୍ଲେନାରି ବୈଠକ ଆୟୋଜନ ହୋଇପାରୁନି। ଏପରି ସ୍ଥିତିରେ ମାଓ ସଂଗଠନ କିପରି ଭାବେ ମହାସଚିବ ଚୟନ କରୁଛି ଏବଂ କାହାକୁ ଦାୟିତ୍ବ ପ୍ରଦାନ କରୁଛି ତାହା ଉପରେ ସଭିଁଙ୍କ ନଜର ରହିଛି।