ଡବ୍ଲୁଓଡିସିର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ବଲାଙ୍ଗୀର ଗସ୍ତ, ନୂଆ ଉଦ୍ୟୋଗୀଙ୍କୁ ପ୍ରୋତ୍ସାହନ ଦେବାକୁ ଗୁରୁତ୍ବାରୋପ

ବଲାଙ୍ଗୀର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରେମଚନ୍ଦ୍ର ଚୌଧୁରୀ ବଲାଙ୍ଗୀର ଜିଲ୍ଲା ଗସ୍ତରେ ଆସି ପରିଷଦ ଅନୁଦାନରେ ନିର୍ମାଣ କରାଯାଉଥିବା ପ୍ରକଳ୍ପ ପରିଦର୍ଶନ କରିଥିଲେ। ପ୍ରଥମେ ବଲାଙ୍ଗୀର ସହରସ୍ଥିତ ସରକାରୀ ଆୟୁର୍ବେଦିକ ମହାବିଦ୍ୟାଳୟ ପାଖରେ ନିର୍ମାଣାଧୀନ କଲ୍ୟାଣ ମଣ୍ଡପର ନିର୍ମାଣ କାର୍ଯ୍ୟ ପରିଦର୍ଶନ କରିଥିଲେ। ପରେ ବଲାଙ୍ଗୀର ଡେଲିମାର୍କେଟ ଯାଇ ଉନ୍ନତୀକରଣ କାର୍ଯ୍ୟର ତଦାରଖ କରିଥିଲେ। ପରେ ସିଇଓ ଶ୍ରୀ ଚୌଧୁରୀ ଲର୍କିପାଲିସ୍ଥିତ ସରକାରୀ ପୋଲିଟେକନିକ ପରିଦର୍ଶନରେ ଯାଇ ଅଧ୍ୟାପକ ଅଧ୍ୟାପିକାଙ୍କ ସହ ଭିତ୍ତିଭୂମି, ଶିକ୍ଷାଦାନର ବ୍ୟବସ୍ଥା ବିଭିନ୍ନ ଟ୍ରେଡ୍‌ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ। ପଥର ଚେପାସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟକୁ ପରିଦର୍ଶନ ଯାଇ ବିଦ୍ୟାଳୟର ଭିତ୍ତିଭୂମି ଶିକ୍ଷାଦାନର ବ୍ୟବସ୍ଥା ପାଠାଗାର ଇତ୍ୟାଦି ସମ୍ପର୍କରେ ଶିକ୍ଷକ ଶିକ୍ଷୟତ୍ରୀମାନଙ୍କ ସହ ଆଲୋଚନା କରିଥିଲେ। ଆଦର୍ଶ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରିଥିଲେ।

ସିଇଓ ଶ୍ରୀ ଚୌଧୁରୀଙ୍କ କ୍ଷେତ୍ର ପରିଦର୍ଶନ ସମୟରେ ଜିଲ୍ଲାପାଳ ଚଞ୍ଚଳ ରାଣା ଓ ବିଭାଗୀୟ ଆଧିକାରୀମାନେ ଉପସ୍ଥିତ ଥିଲେ। ପରେ ସିଇଓ ଶ୍ରୀ ଚୌଧୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଏକ ସମୀକ୍ଷା ବୈଠକରେ ଯୋଗଦେଇ ବଲାଙ୍ଗୀର ଜିଲ୍ଲାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ତରଫରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଜିଲ୍ଲାରେ କୃଷି, ଉଦ୍ୟାନ କୃଷି, ପ୍ରାଣୀ ସଂପଦ ବିକାଶ, ଅଣୁ କ୍ଷୁଦ୍ର ମଧ୍ୟମ ଉଦ୍ୟୋଗ ବିଭାଗ ତଥା ଭିତ୍ତିଭୂମି ବିକାଶ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା ତଥା ବ୍ୟବସାୟ ନିମନ୍ତେ ଜିଲ୍ଲାର ଉତ୍ସାହୀ ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହିତ କରି ସେମାନଙ୍କର ଦକ୍ଷତା ବିକାଶ କିପରି କରାଯାଇପାରିବ ସେ ସମ୍ପର୍କରେ ବିଭାଗୀୟ ଅଧିକାରୀମାନେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ପରାମର୍ଶ ଦେଇଥିଲେ।

ପୂର୍ତ୍ତ ଇତ୍ୟାଦି ବିଭାଗ ଜରିଆରେ ବିଭିନ୍ନ କୃଷିଭିତ୍ତିକ ବ୍ୟବସାୟ ସକାଶେ ନୂତନ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିବା ଏବଂ ବ୍ୟବସାୟ ସମ୍ପର୍କିତ ସମସ୍ତ ପ୍ରକାରର ସହାୟତା ନିମନ୍ତେ ଜିଲ୍ଲା ସ୍ତରରେ ଏକ ଉଦ୍ୟୋଗ ବିକାଶ ସେଲ୍‌ ଗଠନ କରାଯିବା ସମ୍ପର୍କରେ ଆଲୋଚନା କରିଥିଲେ। ବୈଠକରେ ଜିଲ୍ଲାପାଳ ଚଞ୍ଚଳ ରାଣା, ଅତିରିକ୍ତ ଜିଲ୍ଲାପାଳ ଅନନ୍ତ ନାରାୟଣ ସିଂ ଲାଗୁରୀ, ପିଡି ଡିଆର୍‌ଡିଏ ଡ. ମହେଶ୍ୱର ସ୍ୱାଇଁଙ୍କ ସମେତ ସଂପୃକ୍ତ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପରେ ସେ ଜିଲ୍ଲାର ବିଭିନ୍ନ ବ୍ଲକ୍‌ ଅଂଚଳ ଗସ୍ତ କରିଥିବା ଜଣାପଡ଼ିଛି।

ଛୁଟିଦିନରେ ସମୀକ୍ଷା ବୈଠକ
ଆଜି ରଥଯାତ୍ରା ପାଇଁ ସରକାରୀ ଛୁଟିଥିଲା। କିନ୍ତୁ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ସିଇଓ ପ୍ରେମଚନ୍ଦ୍ର ଚୌଧୁରୀଙ୍କ ଗସ୍ତ ପାଇଁ ଚଳଚଂଚଳ ରହିଥିଲା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ। ଶ୍ରୀ ଚୌଧୁରୀ ଗସ୍ତରେ ଆସି ସର୍କିଟ ହାଉସଠାରେ ରାତ୍ରୀଯାପନ କରିଥିଲେ। ସକାଳୁ ସରକାରୀ ଆଇଟିଆଇ, ପଥରଚେପା ଆଦର୍ଶ ବିଦ୍ୟାଳୟ ଭଳି ବିଭିନ୍ନ ଜାଗାକୁ ବୁଲି ଦେଖିଥିଲେ। ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ବିଭିନ୍ନ ବିଭାଗର ଅଫିସର, ଠିକାଦାର, ସ୍ୱେଚ୍ଛାସେବୀଙ୍କ ସହିତ ସମୀକ୍ଷା ବୈଠକ କରିଥିଲେ। ବୈଠକରେ ଜିଲ୍ଲାପାଳ ଚଂଚଳ ରାଣା ଉପସ୍ଥିତଥିଲେ। ଆଗାମୀ ଦିନରେ ଜିଲ୍ଲାରେ ବେକାରୀ ଦୂରୀକରଣ, ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି, ଉଦ୍ୟୋଗୀମାନଙ୍କୁ ପ୍ରୋତ୍ସାହନ ପ୍ରଦାନ ଭଳି ବିଭିନ୍ନ ଦିଗରେ ସମୀକ୍ଷା କରାଯାଇଥିବା ଜଣାପଡ଼ିଛି। ବଲାଙ୍ଗୀର ଜିଲ୍ଲାକୁ ଡବ୍ଲୁଓଡିସି ଫୋକସ କରିବା ପାଇଁ ଅନୁରୋଧ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର