ମହିଳାମାନେ ବହୁତ ଆଗକୁ ଗଲେଣି, ମହାକାଶ କ୍ଷେତ୍ରରେ ମଧ୍ୟ ଅଗ୍ରଣୀ ହେଲେଣି: ତନୟା ପଟ୍ଟନାୟକ

ଭୁବନେଶ୍ବର: ବର୍ତ୍ତମାନ ମହିଳାମାନେ ବହୁତ ଆଗକୁ ଗଲେଣି। ଏମିତିକି ବିମାନ ଉଡ଼ାଇବା ଠାରୁ ଆରମ୍ଭ କରି ରେଳ ଚଳାଇଲେଣି। ସେହିପରି ମହାକାଶ କ୍ଷେତ୍ରରେ ମଧ୍ୟ ମହିଳାମାନେ ଅଗ୍ରଣୀ ହେଲେଣି। ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ପିପିଏଲ୍‌ ଓଡ଼ିଆ ପକ୍ଷରୁ ସ୍ଥାନୀୟ ଏକ ହୋଟେଲ୍‌ରେ ଆୟୋଜିତ ‘ପ୍ରେରଣା-୨୦୨୪’ କାର୍ଯ୍ୟକ୍ରମରେ ଯୋଗଦେଇ ‘ସମ୍ବାଦ’  ଓ ‘କନକ ନ୍ୟୁଜ’ର ସମ୍ପାଦକ ତନୟା ପଟ୍ଟନାୟକ  ଏହା କହିଛନ୍ତି। କାର୍ଯ୍ୟକ୍ରମର ଉଦ୍‌ଘାଟନ ପରେ ସାମ୍ପ୍ରତିକ ପରିସ୍ଥିତିରେ ମହିଳାମାନଙ୍କ ଭୂମିକା ଉପରେ ଆଲୋଚନା କରାଯାଇଥିଲା। ଏହା ସହ ସ୍ଵତନ୍ତ୍ର ଆଲୋଚନାଚକ୍ର ମାଧ୍ୟମରେ କିପରି ମହିଳାମାନେ ଆଗକୁ ଯାଇ ପାରିବେ ସେ ବାବଦରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ‘କନକ ନ୍ୟୁଜ’ର ରିପୋର୍ଟର ମୌସୁମୀ ମହାନ୍ତି ମଧ୍ୟ ଏହି ସଂପାନରେ ଅଂଶଗ୍ରହଣ କରିଥିଲେ। ଶେଷରେ ବିଭିନ୍ନ ବିଭାଗରେ କୃତିତ୍ବ ହାସଲ କରିଥିବା ଅଗ୍ରଣୀ ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା।

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଜୟଦେବ ଭବନରେ ଓଡ଼ିଶା ଓ୍ବିମେନସ୍ ଏକ୍ସିଲେନ୍ସି ଆଓ୍ବାର୍ଡ-୨୦୨୪ ଅନୁଷ୍ଠିତ ହୋଇଯାଇଛି। ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ଉତ୍ସବର ମୁଖ୍ୟ ପରାମର୍ଶଦାତା ରୋଜାଲିନ୍ ମିଶ୍ରଙ୍କ ପୌରହିତ୍ୟରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ସୁଲତା ଦେଓ ଯୋଗଦେଇ ଏକ ସମୃଦ୍ଧ ଓ ସଶକ୍ତ ସମାଜ ଗଠନରେ ମହିଳାଙ୍କ ଭୂମିକା ସର୍ବଦା ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ। ଆମ ସଂସ୍କୃତିରେ ମହିଳାମାନଙ୍କ ସର୍ବୋଚ୍ଚ ସ୍ଥାନ ଦିଆଯିବା ସହ ବନ୍ଦନା କରାଯିବା ବିଶ୍ବ ପାଇଁ ପ୍ରରଣା ବୋଲି ସେ ମତ ରଖିଥିଲେ। ସମାଜରେ ସବୁବେଳେ ମହିଳାମାନଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହି ଆସିଛି। କାରଣ ସମାଜର ୫୦ ପ୍ରତିଶତ ମହିଳାଙ୍କୁ ବାଦ ଦେଇ ଗୋଟିଏ ସୁସ୍ଥ ସମାଜର ପରିକଳ୍ପନା କରାଯାଇ ପାରିବ ନାହିଁ। ‘ସମ୍ବାଦ’ର ସମ୍ପାଦକ ତନୟା ପଟ୍ଟନାୟକଙ୍କ ସମେତ ରାଜ୍ୟର ବିଭିନ୍ନ କ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଇଥିଲା।

ସମ୍ବନ୍ଧିତ ଖବର