ବେଗୁନିଆରେ ମାଓବାଦୀ ଘଟଣାର ପର୍ଦ୍ଦାଫାସ! : କରଜରେ ବୁଡ଼ି ଗାଁ ଛାଡ଼ିଛି ସନ୍ଦିଗ୍ଧ ଯୁବକ

୩ ପ୍ଲାଟୁନ ଏସ୍ଓଜି ଯବାନଙ୍କ ତଲାସ ଜାରି

ବେଗୁନିଆ : ବେଗୁନିଆ ବ୍ଲକ୍ ଅନ୍ତର୍ଗତ ଦେଉଳି ଗ୍ରାମ ନିକଟ ଗୋଜମୁଣ୍ଡିଆ ପାହାଡ଼ରେ ଦୁଇମାସ ହେଲା ମାଓବାଦୀମାନେ ଆଡ଼ା ଜମାଇଥିବା ଘଟଣାର ପର୍ଦ୍ଦାଫାସ ହୋଇଛି। ଦୁଇ ଜଣ ସଶସ୍ତ୍ର ମାଓବାଦୀଙ୍କ ପାଇଁ ଜଙ୍ଗଲରେ ରୋଷେଇ କରିବା ସହ ସେମାନଙ୍କ ପାଇଁ ଦୋକାନ ସଉଦା କରୁଥିଲା ବୋଲି ଗତକାଲି ବୟାନ ଦେଇଥିବା ସନ୍ଦିଗ୍ଧ ଯୁବକକୁ ପଚରାଉଚରା ପରେ ଭିନ୍ନ ତଥ୍ୟ ସାମନାକୁ ଆସିଛି।

ଆଜି ସକାଳେ ଏକ ସାମ୍ବାଦିକ ସମ୍ମିଳନୀରେ ପୁଲିସ ଦେଇଥିବା ସୂଚନା ମୁତାବକ, ଉକ୍ତ ୨୦ ବର୍ଷୀୟ ଯୁବକର ପୂରା ନାମ ସୁରେଶ ପହଁରିଆ ଏବଂ ତା’ ଘର ନୂଆପଡ଼ା ଜିଲ୍ଲା ଅନ୍ତର୍ଗତ ବୋଡେନ୍ ବ୍ଳକ୍ ପଟାଙ୍ଗୀ ଗ୍ରାମରେ। ସେ ଗାଁରେ ଅତିଶୟ କରଜରେ ବୁଡ଼ି ରହିବା ସହ କୌଣସି କାମଧନ୍ଦା ନପାଇ ଶେଷରେ ଆନ୍ଧ୍ରପ୍ରଦେଶର ଏକ ଇଟାଭାଟିରେ କାମ କରିବା ପାଇଁ ଯାଇଥିଲା। ମାତ୍ର ସେଠାରେ କଷ୍ଟ କାମ କରିନପାରି ସେ ଓ ତା’ର ଦୁଇଜଣ ବନ୍ଧୁ ଖସି ଆସି କୌଣସି ଏକ ଅଜଣା ସ୍ଥାନରେ ଗୋପନରେ ରହି ଶାନ୍ତିରେ ଜୀବନ କାଟିବା ପାଇଁ ଚାହିଁଥିଲେ। ତେଣୁ ସେମାନେ ଉକ୍ତ ଗୋଜମୁଣ୍ଡିଆ ଜଙ୍ଗଲର ଏକ ଗୁମ୍ଫାରେ କିଛିଦିନ ହେଲା ରହିଆସୁଥିଲେ। ଗତକାଲି ସୁରେଶ ତେଜରାତି ଦୋକାନରୁ ସଉଦା ଆଣିବା ପାଇଁ ଆସିଥିବା ବେଳେ ସ୍ଥାନୀୟ ଲୋକଙ୍କ ହାବୁଡ଼ରେ ପଡ଼ିଯାଇଥିଲା। ସେ କହୁଥିବା ପଶ୍ଚିମାଞ୍ଚଳ ଭାଷା ଅସ୍ପଷ୍ଟ ଥିବାରୁ ଲୋକେ ତା’କୁ ମାଓବାଦୀ ସନ୍ଦେହରେ ଗୋଡ଼ାଇଥିଲେ। ତେବେ ମାଡ଼ ଭୟରେ ସେ ଜଙ୍ଗଲ ଭିତରକୁ ଦୌଡ଼ି ପଳାଇ ଯାଇଥିଲା ବୋଲି ସ୍ବୀକାର କରିଛି। ଅପରପକ୍ଷେ, ତା’ ସାଙ୍ଗମାନେ ଉକ୍ତ ଗୁମ୍ଫା ଛାଡ଼ି ପଳାଇଥିବା ଜଣାଯାଇଛି। ସୁରେଶ ରହୁଥିବା ସ୍ଥାନରୁ କିଥି ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ ବ୍ୟତୀତ ଅନ୍ୟ କିଛି ମାଓ ସମ୍ପର୍କିତ ଦ୍ରବ୍ୟ ପୁଲିସ ପାଇପାରିନି। ତେବେ ସୁରେଶକୁ ତା’ ନିଜ ଘରେ ପହଞ୍ଚାଇବା ପାଇଁ ଉଦ୍ୟମ ଜାରି ରହିଛି ଏବଂ ଯଥା ଶୀଘ୍ର ସମସ୍ତ ସନ୍ଦେହରୁ ପରଦା ହଟିଯିବ ବୋଲି ଆଇଜି ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି।

ସୂଚନା ଥାଉ କି, ସୁରେଶ ପ୍ରକୃତରେ ମାଓବାଦୀ ନା ମାନସିକ ବିକୃତ ତାହା ଜଣାପଡ଼ିନଥିଲେ ମଧ୍ୟ ପୁଲିସ ଗତକାଲି ତା’କୁ ଅଟକ ରଖି ଘଟଣାର ଅନୁସନ୍ଧାନ କରିଥିଲା। ଖୋର୍ଦ୍ଧା ଏସ୍‌ପି ଦୀପ୍ତିରଞ୍ଜନ ରାୟ ଏବଂ ଏସ୍‌ଡିପିଓ ଯୁଗଳ କିଶୋର ଦାଶ ବୟାନ ନେଇଥିଲେ। ଅପରପକ୍ଷେ, ଗତକାଲି କମ୍ ସଂଖ୍ୟକ ପୁଲିସ ଥିବାରୁ ଉକ୍ତ ପାହାଡ଼କୁ ଚଢ଼ଉ କରିବା ସମ୍ଭବ ହୋଇନଥିଲା। ତେଣୁ ଗତକାଲି ରାତି ୨ଟାରେ ୩ ପ୍ଲାଟୁନ ଏସ୍‌ଓଜି ଯବାନ ପହଞ୍ଚିବା ପରେ ସେମାନଙ୍କୁ ଧରି ଏସ୍‌ପି,ଏସ୍‌ଡିପିଓ, କେନ୍ଦ୍ରାଞ୍ଚଳ ଆଇଜି ପହଞ୍ଚି ଦେଉଳି ଗ୍ରାମର ଗୋଜିମୁଣ୍ଡିଆରେ ସର୍ଚ୍ଚ ଅପରେସନ କରି ଆଜି ସାମ୍ବାଦିକ ସମ୍ମିଳନୀ ଡାକିଥିଲେ।

ସମ୍ବନ୍ଧିତ ଖବର