ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ବର୍ତ୍ତମାନ ଉତ୍ପାଦ ଶୁଳ୍କ ହ୍ରାସର କୌଣସି ଯୋଜନା ନାହିଁ : ଅର୍ଥନୈତିକ ବ୍ୟାପାର ସଚିବ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏବେ ପର୍ଯ୍ୟନ୍ତ ପେଟ୍ରୋଲ୍‌ ଓ ଡିଜେଲ୍‌ ଉପରେ ଉତ୍ପାଦ ଶୁଳ୍କ  ହ୍ରାସ ନେଇ କୌଣସି ଚିନ୍ତା କରିନାହାନ୍ତି। ଏ ସଂପର୍କରେ ଅର୍ଥନୈତିକ ବ୍ୟାପାର ସଚିବ ସୁଭାଷ ଚନ୍ଦ୍ର ଗର୍ଗ ସୂଚନା ଦେଇଛନ୍ତି। ତାଙ୍କର  କହିବା କଥା ହେଲା ଦର ଏତେ ବି ବଢ଼ିନାହିଁ ଯେ ସରକାର ଶୁଳ୍କ କାଟିବା ପାଇଁ ବାଧ୍ୟ ହୋଇ ପଡ଼ିବେ।

ସରକାରୀ ତୈଳ କମ୍ପାନିଗୁଡ଼ିକ ପାଖାପାଖି ୧ ସପ୍ତାହ ହେବ ପେଟ୍ରୋଲ୍‌ ଡିଜେଲ୍‌ ଦରରେ କୌଣସି ପ୍ରକାରର ସଂଶୋଧନ କରି ନାହାନ୍ତି। ଗତ ୫୫ ମାସରେ ସବୁଠାରୁ ଅଧିକ ଅର୍ଥାତ ପେଟ୍ରୋଲ ଦର ୭୪.୬୩ ଏବଂ ଡିଜେଲ ୬୫.୯୩ ହେବା ପରେ ତୈଳ କମ୍ପାନିଗୁଡ଼ିକ ପକ୍ଷରୁ ଏପରି ବକ୍ତବ୍ୟ ପ୍ରକାଶ ପାଇଛି।

ଏକ ସାକ୍ଷାତକାରରେ ଗର୍ଗ କହିଛନ୍ତି, ‘ରନ୍ଧନ ଗ୍ୟାସ୍‌(ଏଲ୍‌ପିଜି) ଦର ବୃଦ୍ଧିର ପରିମାଣସ୍ୱରୁପ ତୈଳ ଦର ସରକାରଙ୍କ ରାଜକୋଷ ଉପରେ ପ୍ରଭାବ ପକାଇପାରେ। ଏଲ୍‌ପିଜିକୁ ଛାଡ଼ିଦେବା ପରେ ଏଯାବତ୍‌ ଅନ୍ୟ କୌଣସି ଦ୍ରବ୍ୟ ଉପରେ ପ୍ରତ୍ୟକ୍ଷ ସବ୍‌ସିଡି ବ୍ୟବସ୍ଥା ନାହିଁ। ତୈଳ ଦର ଏତେ ବି ବଢ଼ି ନାହିଁ ଯେ ଯାହାର ଉତ୍ପାଦ ଶୁଳ୍କ କାଟିବାକୁ  ପଡ଼ିବ। ପେଟ୍ରୋଲ୍‌ ଏବଂ ଡିଜେଲ୍‌କୁ ନେଇ ପ୍ରତି ୧ ଟଙ୍କା ଉପରେ କଟୁଥିବା ଉତ୍ପାଦ ଶୁଳ୍କକୁ ଯଦି କାଟି ଦିଆଯାଏ ତେବେ କେନ୍ଦ୍ରକୁ ୧୩,୦୦୦ କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବାକୁ ପଡ଼ିବ।’

ଉଲ୍ଳେଖଯୋଗ୍ୟ, ପେଟ୍ରୋଲ୍‌ ଲିଟର୍‌ ପିଛା କେନ୍ଦ୍ର ସରକାର ୧୯.୪୮ ଟଙ୍କା ଏବଂ ଡିଜେଲ୍‌ ଲିଟର୍‌ ପିଛା ୧୫.୩୩ ଟଙ୍କା ଉତ୍ପାଦ ଶୁଳ୍କ ନେଉଛନ୍ତି। ଏହାଛଡ଼ା ରାଜ୍ୟରୁ ରାଜ୍ୟ ଭିନ୍ନ ଭିନ୍ନ ଶୁଳ୍କ ରହିିଛି। ଦିଲ୍ଳୀରେ ପେଟ୍ରୋଲ୍‌ ଉପରେ ୧୫.୮୪ ଟଙ୍କା ଭ୍ୟାଟ୍‌ ଲାଗିଥିବା ବେଳେ ଡିଜେଲ୍‌ ପିଛା ୯.୬୮ ଟଙ୍କା ରହିଛି।

ସମ୍ବନ୍ଧିତ ଖବର