ଆଧାର ଲିଙ୍କ କରାଇବା ପାଇଁ ଆପଣଙ୍କ ଘରକୁ ଭୋଡାଫୋନ ଆସିବ !

ନୂଆଦିଲ୍ଲୀ : ଆପଣଙ୍କୁ ବ୍ୟବହାର କରୁଥିବା ସିମ କାର୍ଡ଼ କମ୍ପାନୀ ପକ୍ଷରୁ ଆଧାର ସଂଯୋଗ କରିବା ପାଇଁ ମେସେଜ ଆସିଥିବ । କାରଣ ଫେବ୍ରୁଆରି ୬, ୨୦୧୮ ପୂର୍ବରୁ ସବୁ ମୋବାଇଲ ନମ୍ବରକୁ ଆଧାର ସହ ସଂଯୋଗ କରିବା ପାଇଁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ପୂର୍ବରୁ ଏହା କରିବା ପାଇଁ ଆପଣଙ୍କୁ ପାଖ ମୋବାଇଲ ଷ୍ଟୋରକୁ ଯିବାକୁ ପଡ଼ୁଥିଲା ଯାହାକି ଆପଣଙ୍କ ପାଇଁ କଷ୍ଟ ଦାୟକ ଥିଲା । କିନ୍ତୁ ଏବେ ଆପଣଙ୍କ ଟେଲିକମ୍‌ ଅପରେଟର ଏବଂ ୟୁଏଡ଼ିଏଆଇ ମିଶି ଏହାକୁ ସହଜ କରିବାକୁ ଚେଷ୍ଟା କରିଛନ୍ତି ।

ଯଦି ଆପଣ ଭୋଡ଼ାଫୋନ ବ୍ୟବହାରକାରୀ ହେବା ସହିତ ଗ୍ରାମାଞ୍ଚଳରେ ରହୁଛନ୍ତି ତେବେ ଆପଣଙ୍କ ପାଇଁ ଆଧାର ସଂଯୋଗ କରିବା ପୂର୍ବ ଅପେକ୍ଷା ସହଜ ହୋଇପାରିବ । ଏବେ ଆପଣ ଘରେ ବସି ଆପଣଙ୍କ ଫୋନ ନମ୍ବରକୁ ଆଧାର ସହ ସଂଯୋଗ କରିପାରିବେ । ଗ୍ରାମାଞ୍ଚଳରେ କିଛି ଲୋକ ଆଧାର ସଂଯୋଗ ବିଷୟରେ ଜାଣିନାହାନ୍ତି । ଘର ଘର ବୁଲି ଏହା ବିଷୟରେ ଲୋକଙ୍କୁ ଜଣାଇବା ସହିତ ଭୋଡାଫୋନ ନମ୍ବରକୁ ଆଧାର ସହ ସଂଯୋଗ କରିବା ପାଇଁ ଭୋଡାଫୋନ ଇଣ୍ଡିଆ ଘୋଷଣା କରିଛି । ଏହା ପ୍ରଥମେ ରାଜସ୍ଥାନରେ ଆରମ୍ଭ କରାଯାଇଥିବା ବେଳେ ଦୁଇଟି ମୋବାଇଲ ଭ୍ୟାନ୍‌ ଏହି କାମରେ ଲଗାଯାଇଛି । ଏହି ଦୁଇଟି ଭ୍ୟାନ୍‌ ରାଜସ୍ଥାନର କୋଣ ଅନୁକୋଣରେ ଥିବା ଗାଁକୁ ଯାଇ ଭୋଡାଫୋନ ସିମ୍‌ ବ୍ୟବହାର କରୁଥିବା ଲୋକମାନଙ୍କୁ ଆଧାର ସଂଯୋଗ କରାଇବାରେ ସାହାଯ୍ୟ କରିବେ ।

ରାଜସ୍ଥାନର ଭୋଡ଼ାଫୋନ ଇଣ୍ଡିଆ ବିଜ୍‌ନେସର ମୁଖ୍ୟ ଅମିତ୍‌ ବେଦୀ କହିଛନ୍ତି କି, “ମୁତୟନ ହୋଇଥିବା ଦୁଇଟି ଭ୍ୟାନ ଆଧାର ସଂଯୋଗ କରାଇବା ସହ ୨ଜି ଏବଂ ୩ଜି ନେଟ୍‌ଓ୍ଵାର୍କ ବ୍ୟବହାର କରୁଥିବା ଲୋକମାନଙ୍କୁ ୪ଜି ନେଟ୍‌ଓ୍ଵାର୍କର ସୁବିଧା ବିଷୟରେ ଜଣାଇବେ । ତା’ ସହ ୨ଜି/୩ଜି ସିମ୍‌ କାର୍ଡ଼କୁ ଅପ୍‌ଗ୍ରେଡ଼୍‍ କରାଇ ୪ଜି କରାଇବେ। ”

ପୂର୍ବରୁ ଆଧାର ସଂଯୋଗ କରିବା ପାଇଁ ଆପଣଙ୍କୁ ଟେଲିକମ୍‌ ଅପରେଟରଙ୍କୁୁ ଆପଣଙ୍କର ବାୟୋମେଟ୍ରିକ୍‌ ଡ଼ିଟେଲ୍‌ସ ଦେବାକୁ ପଡ଼ୁଥିଲା । କିନ୍ତ ଏବେ ୟୁଏଡ଼ିଏଆଇ ଦ୍ୱାରା ଏହାକୁ ଆହୁରି ସହଜ କରାଯାଇଛି । ଏହା ମାଧ୍ୟମରେ ଆପଣଙ୍କୁ ଟେଲିକମ୍‌ ଅପରେଟରକୁ ବାୟୋମେଟ୍ରିକ୍‌ ଡିଟେଲ୍‌ସ ଦେବାକୁ ପଡ଼ିବ ନାହିଁ । ଡ଼ିସେମ୍ବର ୧ ସୁଦ୍ଧା କେବଳ ଓଟିପି ନମ୍ବର ଦ୍ୱାରା ଆପଣ ଫୋନ ନମ୍ବର ସହ ଆଧାର ସଂଯୋଗ କରାଇ ପାରିବେ ।

ସମ୍ବନ୍ଧିତ ଖବର