ଜୀବନ ଜୀବିକା ଉପରେ କରୋନା ମାଡ: ଦୁଃଖରେ କାଟୁଛନ୍ତି କନ୍ଧମାଳ, ଗଂଜାମ ଓ ନୟାଗଡ ଜିଲ୍ଲାର ୪୨ହଜାର କେନ୍ଦୁପତ୍ର ତୋଳାଳୀ

ସରକାରୀ ସହାୟତାକୁ ଅପେକ୍ଷା

ଫୁଲବାଣୀ(ବଟକୃଷ୍ଣ ବିହାରୀ): ବିଶ୍ବରେ କରୋନା ସଂକ୍ରମିତ ବଢି ଚାଲିଛି। ଏହାକୁ ନେଇ କାହାର ଜୀବନ ଜୀବିକା ଉଜୁଲାଣି ତ ଆଉ କାହାର ବେଉଷାରେ ଡୋରି ବନ୍ଧା ହେଲାଣି। କରୋନା କଟକଣା ପାଇଁ ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହେଲେଣି କେନ୍ଦୁପତ୍ର ତୋଳାଳୀ। ଫୁଲବାଣୀ କେନ୍ଦୁପତ୍ର ଡିଭିଜିନ ଅଧିନରେ ଥିବା କନ୍ଧମାଳ,ଗଂଜାମ ଓ ନୟାଗଡ ଜିଲ୍ଲାର ସମୁଦାୟ ୪୨ ହଜାର କେନ୍ଦୁପତ୍ର ତୋଳାଳୀ ବଡ ଦୁଃଖରେ ଦିନ କାଟୁଛନ୍ତି। ନିର୍ମାଣ ଶ୍ରମିକଙ୍କଠାରୁ ଆରମ୍ଭ କରି ଉଠା ଦୋକାନୀଙ୍କ ସରକାରୀ ସହାୟତା ମିଳୁଛି। ହେଲେ କେନ୍ଦୁପତ୍ର ତୋଳାଳୀଙ୍କ କଥା ସରକାର ବୁଲି ଯାଇଥିବାରୁ ସେମାନଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ଓ ଅସନ୍ତୋଷ ପ୍ରକାଶ ପାଇଛି।

ଫୁଲବାଣୀ କେନ୍ଦୁପତ୍ର ଡିଭିଜନରେ ୭ଟି ରେଞ୍ଜ ରହିଛି। ସେଗୁଡିକ ହେଲା ଫୁଲବାଣୀ, ବାଲିଗୁଡା, ତୁମୁଡିବନ୍ଧ, ଗୋଛାପଡା(ପୂର୍ବ), ଗୋଛାପଡା(ଦକ୍ଷିଣ), ଗଂଜାମ ଜିଲ୍ଲାର ଭଞ୍ଜନଗର ଓ ନୟାଗଡ ଜିଲ୍ଲାର ଦଶପଲ୍ଲା। ଏସବୁ ରେଞ୍ଜରେ ସମୁଦାୟ ୪୨ ହଜାର କେନ୍ଦୁପତ୍ର ତୋଳାଳୀ ରହିଛନ୍ତି। ଏମାନେ ଜଙ୍ଗଲ ବୁଲି କେନ୍ଦୁପତ୍ର ତୋଳନ୍ତି। ୨୦ଟି ପତରରେ ଗୋଟିଏ କେରା। ଗୋଟିଏ କେରା ପାଇଁ ମିଳେ ୮୦ ପଇସା। ଏମିତି ଜଣେ ତୋଳାଳୀ ଅତି କମରେ ଦିନକୁ ୪୦ରୁ ୫୦ କେରା ପତ୍ର ତୋଳିଥାଏ। ଏଥି ପାଇଁ ଦିନକୁ ୩୦୦ରୁ ୪୦୦ ଟଙ୍କା ପାରିଶ୍ରମିକ ମିଳିଥାଏ। ଖରା ଓ ବର୍ଷାରେ ତୋଳାଳୀମାନେ କେନ୍ଦୁପତ୍ର ତୋଳି ଫଡିରେ ଦେଉଛନ୍ତି। ଏଥିରୁ ରାଜ୍ୟ ସରକାର ବର୍ଷକୁ କୋଟିକୋଟି ଟଙ୍କା ପାଉଛନ୍ତି। ହେଲେ ସେମାନଙ୍କୁ ମାସମାସ ଧରି ପାରିଶ୍ରମିକ ମିଳେ ନାହିଁ। ଏହା ବାଦ ସରକାରଙ୍କ ଘୋଷଣା ମୁତାବକ ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳୁ ନାହିଁ ‌ବୋଲି କହନ୍ତି କେନ୍ଦୁପତ୍ର ତୋଳାଳୀ ମନ କହଁର ଓ ସୁବ୍ରତ ମଲ୍ଲିକ। ଏଥିରେ ପୁଣି କିଛି ମାସ ପୂର୍ବେ ବିଭାଗୀୟ କଟକଣା କେନ୍ଦୁପତ୍ର ତୋଳାଳୀଙ୍କୁ ନିରାଶ କରିଛି।

କେନ୍ଦୁପତ୍ର ତୋଳା ଲକ୍ଷ୍ୟଧାର୍ଯ୍ୟ ପୁରଣ ହେଉ ନଥିବାରୁ ଆଉ କାମ ନ ମିଳିବା ଓ ସିଜିନାଲ କର୍ମଚାରୀଙ୍କୁ ଛଟେଇ ପାଇଁ  ନିଷ୍ପତ୍ତି ହୋଇଛି। ଏହାକୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ ବିରୋଧ କରାଯାଇଛି।  ଏହାକୁ ନେଇ ବହୁବାର ଆନ୍ଦୋଳନ ବି ହୋଇଛି। ପ୍ରତିଶ୍ରୁତି ମିଳି ଥିଲେ ବି ବିଭାଗୀୟ ନିଷ୍ପତ୍ତିର ପୁର୍ନବିଚାର ଝୁଲି ରହିଥିବା ବେଳେ ସଂପ୍ରତି କରୋନା କଟକଣା ଜୀବନ ଜୀବିକାକୁ ଦୋହଲାଇ ଦେଇଛି ବୋଲି କହନ୍ତି କେନ୍ଦୁପତ୍ର ତୋଳାଳୀ ମାନସୀ ବା‌ଘ ଓ ମଂଜୁ ଦିଗାଲ। ପାଖରେ ଯାହା ଟଙ୍କା ଥିଲା ସରିଗଲାଣି।

ଏବେ ଅଭାବ ଓ ବଡ ଦୁଃଖରେ ଦିନ କାଟୁଛୁ। ନିର୍ମାଣ ଶ୍ରମିକଙ୍କୁ ସରକାରୀ ସହାୟତା ମିଳିଲା। ଉଠାଦୋକାନୀଙ୍କୁ ବି ମିଳିଲା। ହେଲେ ଆମ କଥା ସରକାର କିଭଳି ଭୁଲି ଗଲେ ବୋଲି ପ୍ରଶ୍ନ କରିଛନ୍ତି ବୋଲି ଭଞ୍ଜଗରର କେନ୍ଦୁପତ୍ର ତୋଳାଳୀ ବିମ୍ବାଧର ସାହାଣୀ ଓ ଦଶପଲ୍ଲାର ମାୟାଧର କହଁର। ଲଡ ଡାଉନ ଆସନ୍ତା ୧୪ ପର୍ଯ୍ୟନ୍ତ ରହିଛି। ଆହୁରି ବଢିବାର ସମ୍ଭାବନା ରହିଛି। ଯଦି ଅଧିକ ଦିନ ଲକ୍ ଡାଉନ ବଢେ ତାହା ‌ହେଲେ କେନ୍ଦୁପତ୍ର ତୋଳାଳୀଙ୍କ ଜୀବନ ଜୀବିକା ଦୁର୍ବିସହ ହେବା ନିଶ୍ଚିତ। ଏଭଳି ସ୍ଥଳେ ସେମାନଙ୍କୁ ସହାୟତା ଯୋଗାଇ ଦେବାକୁ ଓଡିଶା କେନ୍ଦୁପତ୍ର କର୍ମଚାରୀ ସଂଘ ଫୁଲବାଣୀ ଡିଭିଜନ ସମ୍ପାଦକ ସରୋଜ କୁମାର କର୍ଣ୍ଣ ସରକାରଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର