ବିଜେପୁର ପାଇଁ ବାଟ ସଫା

କଟକ : ବିଜେପୁର ବିଧାନସଭା ନିର୍ବାଚନୀ ମାମଲାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ୨୦୧୪ ନିର୍ବାଚନରେ ଅନିୟମିତତା ନେଇ ରୁଜୁ ହୋଇଥିବା ଏହି ମାମଲାର ଆଉ ବିଚାର ଆବଶ୍ୟକତା ନାହିଁ ଦର୍ଶାଇ ହାଇକୋର୍ଟ ଆଜି ଏହାର ପରିସମାପ୍ତି ଘଟାଇଛନ୍ତି। ୨୦୧୪ ନିର୍ବାଚନରେ ବିଜେପୁର ବିଧାନସଭା ଆସନରୁ ପରାଜିତ ବିଜେଡି ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ରୁଜୁ ନିର୍ବାଚନୀ ମୋକଦ୍ଦମାରେ ଏକମାତ୍ର ପ୍ରତିପକ୍ଷ ସୁବଳ ସାହୁଙ୍କ ଅକାଳ ମୃତ୍ୟୁ ପରେ ଏହି ମାମଲା ଚାଲିବାରେ ଆଉ କୌଣସି ଆବଶ୍ୟକତା ନାହିଁ ବୋଲି ପ୍ରକାଶିତ ରାୟରେ ସ୍ପଷ୍ଟ କରାଯାଇଛି।

ନିର୍ବାଚନୀ ମୋକଦ୍ଦମାରେ ୨୦୧୪ରେ ବିଜେପୁର ଆସନରୁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ସମସ୍ତ ପ୍ରାର୍ଥୀଙ୍କୁ ପ୍ରତିପକ୍ଷ କରାଯାଇ ନଥିବା ଏବଂ ସୁବଳ ସାହୁଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରି ଆବେଦନକାରୀଙ୍କୁ ବିଜୟୀ ଘୋଷଣା କରିବା ପାଇଁ ପ୍ରାର୍ଥନା କରାଯାଇ ନଥିବା ଦୃଷ୍ଟିରୁ ମାମଲା ଆଉ ଚାଲିବାର ଆବଶ୍ୟକତା ନାହିଁ ବୋଲି ହାଇକୋର୍ଟ ରାୟରେ ଉଲ୍ଲେଖ କରିଛନ୍ତି। ପୂର୍ବରୁ ଜଷ୍ଟିସ ଦେବବ୍ରତ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ। ଆଜି ଏହି ମାମଲାର ରାୟ ପ୍ରକାଶ ପାଇଛି। ପ୍ରସନ୍ନ ଆଚାର୍ଯ୍ୟଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ ଓ ପ୍ରତିପକ୍ଷଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ଆଇନଜୀବୀ ତରଣୀକାନ୍ତ ବିଶ୍ୱାଳ ଓ ପୁଷ୍ପରାଜ ଭରଦ୍ୱାଜ ମାମଲା ପରିଚାଳନା କରୁଥିଲେ। ଆଜିର ଏହି ରାୟ ପରେ ବିଜେପୁର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଉପନିର୍ବାଚନ ପାଇଁ ବାଟ ସଫା ହୋଇଛି। ନିର୍ବାଚନ କମିସନ ଉପନିର୍ବାଚନ ତାରିଖ ଘୋଷଣା କରିବାରେ ଆଉ କୌଣସି ପ୍ରତିବନ୍ଧକ ନାହିଁ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୪ ବିଧାନସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ଜିତିବା ପରେ ପରାଜିତ ପ୍ରାର୍ଥୀ ତଥା ବିଜେଡିର ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଥିଲେ। ମାମଲା ବିଚାରାଧୀନ ଥିବା ବେଳେ ବିଧାୟକଙ୍କ ମୃତ୍ୟୁ ହୋଇଥିଲା। ବିଧାୟକଙ୍କ ମୃତ୍ୟୁ ପରେ ବିଜେପୁର ନିର୍ବାଚନ ସଂପର୍କିତ ମାମଲା ବନ୍ଦ ହେବ ନା ହାଇକୋର୍ଟରେ ଶୁଣାଣି ଚାଲିବ ସେ ନେଇ ଗତ ୧୨ ତାରିଖ ଦିନ ଚୂଡାନ୍ତ ଶୁଣାଣି ହୋଇଥିଲା। ମାମଲାର ଏକ ମାତ୍ର ପ୍ରତିପକ୍ଷ ସୁବଳ ସାହୁଙ୍କ ମୃତ୍ୟୁ ପରେ ନିର୍ବାଚନୀ ମାମଲା ବନ୍ଦ୍‌ ନ କରି ଶୁଣାଣି ଚାଲୁ ରହିବା ସପକ୍ଷରେ ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଯୁକ୍ତି ଦର୍ଶାଯାଇଥିଲା। ବିଜୟୀ ପ୍ରାର୍ଥୀଙ୍କ ମୃତ୍ୟୁ ପରେ ନିର୍ବାଚନୀ ମୋକଦ୍ଦମା ଆପେ ଆପେ ବନ୍ଦ ହୋଇ ଯାଏ ନାହିଁ। ପ୍ରତିପକ୍ଷଙ୍କ ପରଲୋକ ପରେ ଜନ ପ୍ରତିନିଧି ଆଇନ, ୧୯୫୧ର ଧାରା ୧୧୬ ଅନୁସାରେ ପଦକ୍ଷେପ ଗ୍ରହଣ କରାଯାଇ ନିର୍ବାଚନୀ ମୋକଦ୍ଦମାର ଶୁଣାଣି ହୋଇ ପାରିବ। ଧାରା ୧୧୬ ଅନୁସାରେ ପ୍ରତିପକ୍ଷଙ୍କ ମୃତ୍ୟୁ ପରେ ଏ ସଂପର୍କରେ ଗେଜେଟ ନୋଟିଫିକେସନ୍‌ ପ୍ରକାଶ ପାଇବ।

ନୋଟିଫିକେସନ୍‌ ପ୍ରକାଶର ୧୪ ଦନ ଭିତରେ ମୃତ ପ୍ରତିପକ୍ଷଙ୍କ ବଦଳରେ ମାମଲାରେ ପକ୍ଷଭୁକ୍ତ ହୋଇ ନିର୍ବାଚନୀ ମୋକଦ୍ଦମାକୁ ବିରୋଧ କରିବା ପାଇଁ ଜଣେ ବ୍ୟକ୍ତି ଆବେଦନ କରି ପାରିବେ ବୋଲି ଶ୍ରୀ ଆଚାର୍ଯ୍ୟଙ୍କ ପକ୍ଷରୁ ଦର୍ଶାଯାଇଥିଲା। ଅନ୍ୟପକ୍ଷରେ ପ୍ରତିପକ୍ଷଙ୍କ ତରଫରୁ ମୋକଦ୍ଦମା ପରିଚାଳନା କରୁଥିବା ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଦର୍ଶାଇଥିଲେ ଯେ ଏହି ନିର୍ବାଚନୀ ମୋକଦ୍ଦମାରେ କେବଳ ବିଧାୟକ ସୁବଳ ସାହୁ ପ୍ରତିପକ୍ଷ ରହିଥିଲେ। ନିର୍ବାଚନରେ ପ୍ରତିନ୍ଦ୍ୱନ୍ଦ୍ୱିତା କରିଥିବା ଅନ୍ୟ ପ୍ରାର୍ଥୀଙ୍କୁ ମାମଲାରେ ପକ୍ଷଭୁକ୍ତ କରାଯାଇ ନଥିଲା। ଏକମାତ୍ର ପ୍ରତିପକ୍ଷଙ୍କ ମୃତ୍ୟୁ ପରେ ନିର୍ବାଚନୀ ମୋକଦ୍ଦମା ଚାଲିବାର କୌଣସି ପ୍ରାସଂଗିକତା ନାହିଁ। ଜନ ପ୍ରତିନିଧି ଆଇନର ଧାରା ୧୫୦ରେ ବିଧାନସଭା ଆସନରେ କାଜୁଆଲ ଭାକାନ୍ସି ପ୍ରସଂଗରେ ଉଲ୍ଲେଖ ହୋଇଛି। ସେହିଭଳି ଭାବେ ଧାରା ୧୫୧-କରେ ୬ ମାସ ଭିତରେ କାଜୁଆଲ ଭାକାନ୍ସି ପୂରଣ ପାଇଁ ଉପନିର୍ବାଚନ କରାଯିବା କଥା। ବିଧାୟକଙ୍କ ମୃତ୍ୟୁ ପରେ ବିଜେପୁରରେ କାଜୁଆଲ ଭାକାନ୍ସି ସୃଷ୍ଟି ହୋଇଛି ଓ ୬ ମାସ ଭିତରେ ଉପନିର୍ବାଚନ କରାଯିବାରେ ବାଧା ନାହିଁ ବୋଲି ଶ୍ରୀ ମିଶ୍ର ଦର୍ଶାଇଥିଲେ।

ସମ୍ବନ୍ଧିତ ଖବର