ଏ ସମୟ ଆଘାତର ନୁହେଁ
ଗୌରହରି ଦାସ
ସେକ୍ସପିୟରଙ୍କ ‘ମରଚାଣ୍ଟ ଅଫ ଭେନିସ’ ନାଟକଟି ଏକ ହାସ୍ୟରସାତ୍ମକ ନା କରୁଣ ନାଟକ; ସେ ନେଇ ରହିଥିବା ବିବାଦର ଉତ୍ତରରେ ସମାଲୋଚକମାନେ ‘ଡାର୍କ-କମେଡି’ ଶବ୍ଦର ବ୍ୟବହାର କରିଥିଲେ। ସେଇ ନାଟକର ଖଳନାୟକ ଭାବେ ଚିତ୍ରିତ ସାଇଲକ ଜଣେ ଇହୁଦୀ କରଜଦାତା। ଖ୍ରୀଷ୍ଟିଆନ ଆଣ୍ଟନିଓ ତାଙ୍କଠାରୁ ନେଇଥିବା ଋଣ ଠିକଣା ସମୟରେ ଶୁଝି ନପାରିଲେ ସେ ତା ବଦଳରେ ଆଣ୍ଟନିଓର ଶରୀରରୁ ଏକ ପାଉଣ୍ତ ମାଉଁସ କାଟିନେବ ବୋଲି ସର୍ତ୍ତ ରଖିଥିଲା। ଏ ସର୍ତ୍ତରେ ଆଣ୍ଟନିଓ ରାଜି ହୋଇ ଦେଣା ନେଇଥିଲା। ନାଟକଟିର କାହାଣୀ ଏଠାରେ ଆଲୋଚନାର ପ୍ରସଙ୍ଗ ନୁହେଁ। ଏଠି ସାଇଲକ୍ର ଗୋଟିଏ ସ˚ଳାପ ଆଲୋଚନାର ପ୍ରସଙ୍ଗ। ଯେଉଁମାନେ ନାଟକଟି ପଢ଼ିଛନ୍ତି ସେମାନେ ଜାଣନ୍ତି କେବଳ ଇହୁଦୀ ହୋଇଥିବା ଯୋଗୁ ସାଇଲକ କିଭଳି ଖ୍ରୀଷ୍ଟିଆନ ସମାଜ ଦ୍ବାରା ଉପହସିତ ହୋଇଛି। ସେଥିପାଇଁ ସେ ପ୍ରଶ୍ନ କରିଛି, ‘‘ମୁ ଜଣେ ଇହୁଦୀ। ମାତ୍ର ଇହୁଦୀକୁ କ’ଣ ଅସ୍ତ୍ରାଘାତ କଲେ ତା ଦେହରୁ ରକ୍ତ ଝରେ ନାହିଁ? ତାକୁ କୁତୁକୁତୁ କଲେ ସିଏ କ’ଣ ହସେ ନାହିଁ? ତାକୁ ବିଷ ଦେଲେ ସିଏ କ’ଣ ମରିବ ନାହିଁ? ଜଣେ ଇହୁଦୀ ଯଦି ଅନ୍ୟ ମାନଙ୍କ ଭଳି ସମାନ ତାହାହେଲେ ତା ପ୍ରତି ଏଭଳି ବ୍ୟବହାର କାହିଁକି? ଖ୍ରୀଷ୍ଟିଆନ ଯେମିତି ଅନ୍ୟାୟର ପ୍ରତିଶୋଧ ଲୋଡ଼େ, ଇହୁଦୀ ଭାବେ ମୁଁ ବି ସେମିତି ପ୍ରତିଶୋଧ ଲୋଡୁଛି।’’ ଏ ସ˚ଳାପଟି ଏଠାରେ ଅବତାରଣା କରିବାର ମୂଳ ଲକ୍ଷ୍ୟ ହେଉଛି ଆମକୁ ଯେଉଁ ପ୍ରକାର ବ୍ୟବହାର ବାଧିଥାଏ, ଆମର ସେଇ ପ୍ରକାର ବ୍ୟବହାର ଅନ୍ୟମାନଙ୍କୁ ମଧୢ ବାଧିବ- ଏଇ କଥାଟା ମନେପକାଇଦେବା ପାଇଁ। ଭାରତରେ କରୋନା ଭାଇରସ୍ ଆତଙ୍କ ଦେଖାଦେବା ଦିନୁ ଓଡ଼ିଶାର କିଛି କବି, ଲେଖକ ଏବଂ ବୁଦ୍ଧିଜୀବୀ ସେମାନଙ୍କର କବିତା ଓ ମତ-ମନ୍ତବ୍ୟ ସାମାଜିକ ଗଣମାଧୢମରେ ପ୍ରସାର କରୁଛନ୍ତି। ସେମାନେ ସମସ୍ତେ ଚିନ୍ତାଶୀଳ ବ୍ୟକ୍ତି, ସମାଜର ବିବେକରକ୍ଷକ। ସେମାନଙ୍କର ଭାବପ୍ରକାଶର ସାମର୍ଥ୍ୟ ଓ ସ୍ବାଧୀନତା ଉଭୟ ରହିଛି। କିନ୍ତୁ ଅଳ୍ପ କେତେଜଣଙ୍କ ଲେଖା ଛାଡ଼ିଦେଲେ ଅଧିକା˚ଶଙ୍କ ଲେଖାର ଆଭିମୁଖ୍ୟ- ‘ନଇଁ ପଡ଼ିଥିବୁ ଯେତିକିବେଳେ, ବିଧାଏ ମାରିବୁ ସେତିକିବେଳେ।’ କେହି ମଣିଷସମାଜକୁ କଠୋର ଭାଷାରେ ଭର୍ତ୍ସନା କରି ଲେଖିଲେଣି ‘ଉତ୍ପାତ ହେଉଥିଲୁ, ଏବେ ମଜା ଚାଖ୍’, ‘ଧରାକୁ ସରା ମଣୁଥିଲୁ, ଏବେ ଶେଷ ବେଳା ଆସିଗଲା’ ଓ ‘ନିଜ କୃତକର୍ମର ପରିଣାମ ନ ଭୋଗି ଯିବୁ କୁଆଡ଼େ’, ‘ପ୍ରକୃତିକୁ ଧ୍ବ˚ସ କରିବାର ପରିଣାମ ଏଇଆ ହେବ ବୋଲି ଜଣାଥିଲା’ ଇତ୍ୟାଦି। ଲକ୍ଷ୍ୟଣୀୟ ବିଶେଷତ୍ବ ହେଲା ସେମାନଙ୍କର ଏହି ସମସ୍ତ ମନ୍ତବ୍ୟ ଠିକ୍, ଯୁକ୍ତିଯୁକ୍ତ। ନିକଟରେ ଏହି ସମ୍ବାଦପତ୍ରରେ ପ୍ରକାଶିତ ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ଲେଖାରେ ସେ ଉଇଲ ଡୁରାଣ୍ଟଙ୍କ ମନ୍ତବ୍ୟ ଉଦ୍ଧାର କରିଥିଲେ। ଡୁରାଣ୍ଟ ତାଙ୍କ ‘ସଭ୍ୟତାର କାହାଣୀ’ ବା ‘ଷ୍ଟୋରି ଅଫ୍ ସିଭିଲାଇଜେସନ’ ପୁସ୍ତକରେ ଲେଖିଥିଲେ ଯେ ‘ମଣିଷ ଯେମିତି ଛୋଟ ବଡ଼ ପ୍ରାଣୀଙ୍କର ବିନାଶ କରି ଚାଲିଛି, କିଏ କହିବ ଭବିଷ୍ୟତରେ ସୂକ୍ଷ୍ମ ଅଣୁଜୀବମାନେ ଏକାଠି ହୋଇ ମଣିଷକୁ ପୃଥିବୀ ବକ୍ଷରୁ ଶେଷ କରି ନଦେବେ?’ ଏହାଠାରୁ ଅଧିକ ପ୍ରଭାବଶାଳୀ ଭବିଷ୍ୟବାଣୀ କ’ଣ ହୋଇପାରେ? ଏହା ସତ୍ତ୍ବେ ମଣିଷ ସମାଜ, ସାମଗ୍ରିକ ଭାବରେ ଧ୍ବ˚ସ ପଥରେ ଧାଉଁଥିବା କଥା ପୃଥିବୀର ବହୁ ମନୀଷୀ କହିସାରିଛନ୍ତି। ତେବେ କରୋନା ଆତଙ୍କରେ ସାଧାରଣ ମଣିଷ ଆତଙ୍କିତ ହେଉଥିବା ବେଳେ, ଆଖି ଆଗରେ ତାର ପିଲା ପରିବାର ଓ କୁନିକୁନି ମଣିଷଙ୍କ ମୃତ୍ୟୁର ଚିତ୍ର ନାଚି ଉଠୁଥିବାବେଳେ, ଗୋଟିଏ ପରେ ଗୋଟିଏ ଦରଜା ବନ୍ଦ ହୋଇଯାଉଥିବା ବେଳେ ଏବ˚ ସ˚ପର୍କର ଦୀପ ଶିଖାମାନ ଗୋଟିଏ ପରେ ଗୋଟିଏ ଲିଭି ଆସୁଥିବା ବେଳେ, କବି-ଲେଖକ-ଚିନ୍ତକମାନଙ୍କ ପାଖରୁ ଏଭଳି ଭୟଙ୍କର ଭର୍ତ୍ସନା କ’ଣ ସାଧାରଣ ମଣିଷ ଆଶା କରେ? ଚିନ୍ତାଶୀଳ ଲୋକଙ୍କର କାର୍ଯ୍ୟ କେବଳ ବଧିରାକୁ ଚିଆଁଇ ଦେବା ନୁହେଁ, ଆହତର କ୍ଷତରେ ମଲମ ଲଗେଇଦେବା। ମଲମ ଲଗେଇ ମଣିଷଟି ସୁସ୍ଥ ହେବା ପରେ ଯାଇ ଚେତାବନୀର ଅର୍ଥ ବୁଝିବ। ମଝି ନଈରେ ଭାସିଯାଉଥିବା ମଣିଷକୁ ଭର୍ତ୍ସନା କଲେ ସେ ସାଇଲକ ପରି ପ୍ରତିକ୍ରିୟାଶୀଳ ହେବ ସିନା ଭର୍ତ୍ସନାକାରୀକୁ ଶ୍ରଦ୍ଧା କରିବ ନାହିଁ। ସେ ମରିଯିବା ଆଗରୁ ସୁଦ୍ଧା ତାର ଆଖିରେ ଝୁଲୁଥିବ ସେଇ କ୍ଷମାହୀନତା।
Sambad is now on WhatsApp
Join and get latest news updates delivered to you via WhatsApp
କରୋନା ଆତଙ୍କକୁ ନେଇ ଆଜି ଭାରତର ସହର ବଜାରଠାରୁ ସାଧାରଣ ଗରିବ ଲୋକ ପର୍ଯ୍ୟନ୍ତ ସମସ୍ତେ ବିବ୍ରତ ଓ ଆତଙ୍କିତ। ପ୍ରାକୃତିକ ବିପର୍ଯ୍ୟୟ ଯଥା ବନ୍ୟା, ବାତ୍ୟା ବେଳେ ବେଶି ସ˚ଖ୍ୟାରେ ଲୋକ କ୍ଷତିଗ୍ରସ୍ତ ହେଉଥିଲେ ବି କିଛି ଲୋକ ସୁରକ୍ଷିତ ରହିଥାଆନ୍ତି। ଝଡ଼ ବୋହିଯିବା ପରେ ଏଇ ସୁରକ୍ଷିତମାନେ ଚୁଡ଼ା ଚାଉଳ କି କମ୍ବଳ, ପଲିଥିନ ନେଇ ଅରକ୍ଷିତଙ୍କ ପାଖକୁ ଯାଇ ସାହାଯ୍ୟ କରନ୍ତି। କରୋନା ଅରକ୍ଷିତ ଓ ସୁରକ୍ଷିତ ଭିତରର ସେ ସୀମାରେଖା ଲିଭେଇଦେଇଛି। ଉଡ଼ାଜାହାଜରେ ଉଡୁଥିବା ଧନୀ ଲୋକ ଯେମିତି ଆଜି ଅରକ୍ଷିତ, ଗାଁଗଣ୍ତାର ସାଧାରଣ ଲୋକ ମଧ୍ୟ ସେମିତି ଅରକ୍ଷିତ। ସାରା ମଣିଷ ସମାଜ ଦୁଇହାତ ଯୋଡ଼ି ବିକଳରେ ପ୍ରାର୍ଥନା କରୁଛି- ଆମକୁ ରକ୍ଷା କର। ଏ ସମୟରେ ଯେଉଁମାନେ ନିଜ ନିଜ ବିବୃତି କିମ୍ବା ରଚନାରେ ଅଧିକ ଆତଙ୍କ ବାଣ୍ଟୁଛନ୍ତି ସେମାନେ ହୁଏତ ଯୁକ୍ତି ଦୃଷ୍ଟିରୁ ଠିକ୍ କରୁଥାଇପାରନ୍ତି ମାତ୍ର ମାନବିକତା ଦୃଷ୍ଟିରୁ ତାହା ଠିକ୍ ନୁହେଁ। ଏ ସମୟ କରୁଣା ବାଣ୍ଟିବାର ସମୟ, ଆସ୍ଥା ଓ ଭରସା ଦେବାର ସମୟ, ମଣିଷକୁ ଅଧିକ ବିପନ୍ନ କରିବାର ସମୟ ନୁହେଁ। ତା ଭିତରୁ ବ˚ଚିବାର ଆସ୍ଥା ଟିକକ ମରିଗଲେ ପୃଥିବୀର କୌଣସି ଦାମୀ ଔଷଧ ଆଉ ତାକୁ ବ˚ଚେଇ ପାରିବ ନାହି।
ଭାରତରେ କରୋନାର ପ୍ରଭାବ ନେଇ ଭିନ୍ନ ଭିନ୍ନ ଯୁକ୍ତି ଉପସ୍ଥାପନ କରାଯାଉଛି। ଆମର ଏ ଦେଶ ଏତେ ବିରାଟ ଯେ ଏଠାରେ କୌଣସି କଥା ନେଇ ଗୋଟିଏ ଉପସ˚ହାରରେ ପହଞ୍ଚିବା ପ୍ରାୟ ଅସମ୍ଭବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଟିଭି ଭାଷଣ ସ˚ଖ୍ୟାଗରିଷ୍ଠ ନାଗରିକଙ୍କୁ ସତର୍କ ଓ ଆଶ୍ବସ୍ତ କଲା ବେଳେ ଆଉ କିଛି ଏ କଥା ମଧୢ ଉଲ୍ଲେଖ କରି ବ୍ୟଙ୍ଗ କରୁଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାତି ଆଠଟାରେ ଟିଭି ପରଦାରେ ବାହାରିବା କ୍ଷଣି ଦେଶବାସୀ ଆତଙ୍କିତ। କାରଣ ବିମୁଦ୍ରୀକରଣରୁ ନେଇ କରୋନା ପର୍ଯ୍ୟନ୍ତ ସବୁ ଭୟଙ୍କର କଥା ସେ ଏହି ସମୟରେ ଟିଭିରେ କହିଥାଆନ୍ତି। ସେହିଭଳି କିଛି ଲୋକ ଯୁକ୍ତି କରୁଛନ୍ତି ଯେ ଭାରତ ଏ ପର୍ଯ୍ୟନ୍ତ କରୋନାର ପ୍ରତିରୋଧ କରିପାରିଛି ସିନା, ଭବିଷ୍ୟତରେ କ’ଣ ହେବ କହିହେବ ନାହିଁ। ଅନ୍ୟ ଗୋଟିଏ ଗୋଷ୍ଠୀର ଯୁକ୍ତି ହେଲା, ଭାରତରେ କରୋନା ପଜିଟିଭ୍ ସ˚ଖ୍ୟା ଏ ପର୍ଯ୍ୟନ୍ତ ୫୦୦ ପାଖାପାଖି ଅଛି; ତାହାର କାରଣ ଏଠି ବେଶି ନମୁନା ପରୀକ୍ଷା ହୋଇପାରୁନାହିଁ। ଭାରତରେ ଗତ ୨ ମାସ ଭିତରେ ମାତ୍ର ୧୬୦୦୦ ନମୁନା ପରୀକ୍ଷା ହୋଇଥିବା ବେଳେ ଆମେରିକାରେ ପ୍ରତି ସପ୍ତାହରେ ୨୫ ହଜାର ନମୁନା ପରୀକ୍ଷା ହେଉଛି। ତେଣୁ ସେଠାର ଫଳାଫଳରୁ ଅଧିକା ପଜିଟିଭ୍ ଥିବା ଜଣାପଡୁଛି। ଏ ଗୋଷ୍ଠୀର ଯୁକ୍ତି ହେଲା, ସବୁ ସନ୍ଦିଗ୍ଧ ନମୁନାର ପରୀକ୍ଷା କରାଗଲେ ହୁଏତ ଭାରତରେ ପଜିଟିଭ ସ˚ଖ୍ୟା ଅଧିକ ହେବ। ଏ ମତବାଦୀଙ୍କ ଭିତରେ ଡାକ୍ତର ଦେବୀ ସେଟ୍ଟୀ ଅନ୍ତର୍ଭୁକ୍ତ। ବିଭିନ୍ନ କାରଣରୁ ଆମ ଦେଶରେ ସ୍ବାସ୍ଥ୍ୟସେବା ଭିତ୍ତିଭୂମି ଦୁର୍ବଳ। ଓଡ଼ିଶା ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍ଚୀ ଦେଇଥିବା ହିସାବ ଅନୁସାରେ, ଭାରତରେ ୧୦ ହଜାର ଲୋକ ପିଛା ମାତ୍ର ୭ଟି ବେଡ୍ ଅଛି। ଇଟାଲିରେ ଏହା ୬୫ ଓ ଫ୍ରାନ୍ସରେ ୧୨। ଭାରତ ପାଇଁ ତେଣୁ ବଡ଼ କଥା, କେମିତି ହସ୍ପିଟାଲ ପର୍ଯ୍ୟନ୍ତ ଯିବା ଅବସ୍ଥା ଆସିବ ନାହିଁ। କାରଣ ସେ ଅବସ୍ଥା ଆସିଗଲେ ଆଉ ତାହାକୁ ସମ୍ଭାଳି ହେବ ନାହିଁ। କରୋନା ପରବର୍ତ୍ତୀ ଭାରତରେ ଯେଉଁ ଭଲ କଥାଟି ଦେଖାଦେବ ତାହା ହେଲା, କେନ୍ଦ୍ର ଓ ରାଜ୍ୟ ସରକାରଗୁଡ଼ିକ ସ୍ବାସ୍ଥ୍ୟ ଚିକିତ୍ସା ଭିତ୍ତିଭୂମିକୁ ଅବଶ୍ୟ ଗୁରୁତ୍ବ ଦେବେ। ଆଗରୁ ଆମ ଦେଶରେ ଆଇସିଏମ୍ଆର୍ର ମାତ୍ର ୫୨ଟି ଲାବରେଟରି ଥିଲା, ଏବେ ତାହା ୧୧୮କୁ ବଢ଼ିଥିଲେ ମଧୢ ଦେଶର ୩୨ଟି ରାଜ୍ୟ (କେନ୍ଦ୍ରଶାସିତ ସମେତ) ଓ ୫୬୦ ଜିଲ୍ଲାର ୧୪୦ କୋଟି ଭାରତୀୟଙ୍କ ପାଇଁ ଏହା କିଛି ନୁହେଁ। ଆମ ଦେଶର ବେଶି ଭାଗ ସମ୍ବଳ ଦାରିଦ୍ର୍ୟ ଦୂରୀକରଣ ଯୋଜନା ଓ ପ୍ରତିରକ୍ଷା କ୍ଷେତ୍ର ପାଇଁ ବ୍ୟୟ କରିବାକୁ ପଡୁଥିବାରୁ ଗବେଷଣା ଓ ଭିତ୍ତିଭୂମି ଲାଗି ଅଧିକ ଅର୍ଥ ଯୋଗାଯାଇ ପାରି ନାହିଁ। ତାହା ଆମର ଏକ ଦୁର୍ବଳତା। ଏହି ମତକୁ ବିରୋଧ କରୁଥିବା ବୁଦ୍ଧିଜୀବୀ ଏ କଥା କହୁଛନ୍ତି ଯେ ଫ୍ରାନ୍ସ, ଇଟାଲି ଓ ଆମେରିକାର ସ୍ବାସ୍ଥ୍ୟଚିକିତ୍ସା ଭିତ୍ତିଭୂମି ଖୁବ୍ ଉତ୍ତମ ହୋଇଥିଲେ ସୁଦ୍ଧା ସେଠାରେ କରୋନା-ପୀଡ଼ିତଙ୍କ ମୃତ୍ୟୁ ସ˚ଖ୍ୟା ଦୁଃଖଦାୟକ ଭାବେ ଅଧିକା ହୋଇଛି। ଅବଶ୍ୟ ସେଥି ନିମନ୍ତେ ଅନେକ କାରଣ ରହିଛି। ଉହାନର ଚୀନାବାସୀଙ୍କ ମଧୢରୁ ଲକ୍ଷାଧିକ ଲୋକ ଉତ୍ତର ଇଟାଲିର ପୋଷାକ ଶିଳ୍ପରେ ଆସି କାମ କରନ୍ତି। ଉହାନରୁ ଇଟାଲିକୁ ସିଧାସଳଖ ବିମାନସେବା ରହିଛି। ନୂଆବର୍ଷ ପାଳନର ଉତ୍ସାହ ଭିତରେ ଇଟାଲିବାସୀ ସ୍ବାସ୍ଥ୍ୟ-ସତର୍କତା ଦିଗ ପ୍ରତି ଆଖିବୁଜି ଦେଇଥିଲେ ବୋଲି ଏବେ କୁହାଯାଉଛି। ଇଉରୋପର ଅଧିକା˚ଶ ଧନୀରାଷ୍ଟ୍ର ଏବେ ଆତଙ୍କିତ। ଆମେରିକା ପରି ବିଭବଶାଳୀ ଦେଶର ଦୁର୍ଦ୍ଦଶା ଯଥେଷ୍ଟ କରୁଣ। ଏହି ରୋଗକୁ ‘ଚାଇନିଜ ଭାଇରସ’ ଜନିତ କହି ସେ ଦେଶର ରାଷ୍ଟ୍ରପତି ଉଦ୍ବେଗ ପ୍ରକାଶ କରିଥିଲେ ମଧୢ ଭାରତ ପରି ‘ଲକ୍ଡାଉନ୍’ ଘୋଷଣା କରିନଥିବାରୁ ଆମେରିକାର ନାଗରିକମାନେ ରାଷ୍ଟ୍ରପତିଙ୍କୁ ସମାଲୋଚନା କରୁଛନ୍ତି। କରୋନା-ସମୟ ମୁକ୍ତ କିମ୍ବା ଅବାଧ ମିଳାମିଶାର ସମୟ ନୁହେଁ- ଏଇ କଥା ବୁଝିବାଲାଗି ବହୁ ରାଷ୍ଟ୍ରର ନାଗରିକଙ୍କୁ କଷ୍ଟ ହେଉଛି। ଆମେରିକା, ଫ୍ରାନ୍ସ, ଜର୍ମାନୀ, ଇଟାଲି ଆଦି ଦେଶର ସ୍ବାସ୍ଥ୍ୟ ଭିତ୍ତିଭୂମି ତୁଳନାରେ ଆମ ଦେଶ ଭାରତ ଢେର୍ ପଛରେ। ତାହା ସାଙ୍ଗକୁ ଆମର ଜନସ˚ଖ୍ୟା ଯଥେଷ୍ଟ ବେଶି। ଭାରତର ବଡ଼ ବଡ଼ ସହରର ଲଗାଲଗି ବସ୍ତିଗୁଡ଼ିକର ଜନସାନ୍ଧ୍ରତା ଏତେ ଅଧିକ ଯେ ସେଠାରେ ସାମାଜିକ-ଦୂରତ୍ବ ପ୍ରସ୍ତାବ ମଧୢ ହାସ୍ୟାସ୍ପଦ ମନେହୁଏ। ଏଭଳି ଗୋଟିଏ ଦେଶର ଜନସାଧାରଣ ପକ୍ଷେ, ମଣିଷର ଇତିହାସ ପ୍ରତ୍ୟକ୍ଷ କରିନଥିବା ଅଦ୍ଭୁତ ବିଭୀଷିକାର ସମ୍ମୁଖୀନ ହେବା ଲାଗି ସାହସ, ସତର୍କତା ସହ ଆସ୍ଥା ଓ ବିଶ୍ବାସର ଜରୁରି ଆବଶ୍ୟକତା ରହିଛି। ସ୍ବାସ୍ଥ୍ୟ ପ୍ରସଙ୍ଗ ଏକ ରାଜ୍ୟ ବିଷୟ ହୋଇଥିଲେ ମଧୢ ଯକ୍ଷ୍ମା, ଏଚଆଇଭି, ପୋଲିଓ ପରି କରୋନା ଏକ ସ˚କ୍ରାମକ ବ୍ୟାଧି ହୋଇଥିବାରୁ ଏହା କେନ୍ଦ୍ର ସରକାରଙ୍କର ଦାୟିତ୍ବ ଭିତରେ ଆସୁଛି। ସେଥିପାଇଁ ଦେଶର ପ୍ରଧାନମନ୍ତ୍ରୀ ଯଥାର୍ଥତଃ ଉଦ୍ବିଗ୍ନ। ଓଡ଼ିଶାର ନବୀନ ପଟ୍ଟନାୟକ ସରକାର ଲୋକଙ୍କୁ ସଚେତନ କରିବା କ୍ଷେତ୍ରରେ ସଫଳତା ଅର୍ଜନ କରିଛନ୍ତି, ମାତ୍ର ପରବର୍ତ୍ତୀ ସପ୍ତାହଗୁଡ଼ିକ ଲାଗି ଆବଶ୍ୟକ ସ୍ବାସ୍ଥ୍ୟ-ସେବା ଭିତ୍ତିଭୂମି ପ୍ରସ୍ତୁତିରେ ସଫଳତା ହାସଲ କରିନାହାନ୍ତି। କଟକ ଶ୍ରୀରାମଚନ୍ଦ୍ରଭଂଜ ମେଡିକାଲ କଲେଜରେ ସୁଦ୍ଧା ଚିକିତ୍ସକ ଓ ସ୍ବାସ୍ଥ୍ୟକର୍ମୀମାନଙ୍କ ଲାଗି ପି.ପି.ଇ. (ପର୍ସନାଲ ପ୍ରୋଟେକ୍ଟିଭ ଇକ୍ୟୁପମେଣ୍ଟ) ଆଦୌ ନଥିବା କଥା ଗଣମାଧ୍ୟମରେ ପ୍ରକାଶ ପାଇଛି। ବହୁ ଆଗରୁ ଏସବୁ ମଗାଯିବା ଜରୁରି ଥିଲା। ସରକାରଙ୍କ ସତର୍କତା ଓ ସଚେତନତା ଏଇ ବିଭୀଷିକାର ଗତିପଥକୁ ଅନେକା˚ଶରେ ରୋକିବ ସତ, ମାତ୍ର ତାହା ସତ୍ତ୍ବେ ଯେଉଁମାନେ ପୀଡ଼ିତ ହେବେ ସେମାନଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବା ଜରୁରି ହେବ।
ପୂର୍ବରୁ କୁହାଯାଇଛି, ଏଭଳି ଏକ ସମୟ ଜୀବଦ୍ଦଶାରେ ଦେଖିବାକୁ ମିଳିବ ଏ କଥା କେହି କଦାପି କଳ୍ପନା କରିନଥିଲେ। ସାରା ବିଶ୍ବ ଏବେ ଆତଙ୍କରେ ଥରହର। ମଣିଷଟେ ଆଉ ଗୋଟେ ମଣିଷକୁ ଭୟ କରୁଛି, ତାକୁ ଛୁଇଁବାକୁ କି ପାଖକୁ ଯିବାଲାଗି ଡରୁଛି କାରଣ ତା ଭିତରେ କରୋନା ଭୂତାଣୁ ପ୍ରବେଶ କରିବାର ଭୟ ରହିଛି। ଏଭଳି ଏକ ସମୟରେ କବି, ଲେଖକ, ଚିନ୍ତକ, ବୁଦ୍ଧିଜୀବୀ ଓ ଜ୍ୟୋତିଷ-ପ୍ରବଚକ ମାନେ ଯଦି ସେମାନଙ୍କ ବାକ୍ୟଗୁଡ଼ିକ ମାଧୢମରେ ମଣିଷ ଭିତରେ ଆସ୍ଥା ଚିଆଁଇ ପାରିବେ ତାହାହେଲେ ସେଥିପ୍ରତି ଧୢାନ ଦିଅନ୍ତୁ। ଯଦି ତାହା ନ କରିପାରିବେ ତାହାହେଲେ ନିରବ ରହିବା ବର୍ତ୍ତମାନ ସମୟର ପ୍ରୟୋଜନ। ଏକଥା ଉଲ୍ଲେଖ କରିବାର ଅର୍ଥ ନୁହେଁ େଯ ସାମାଜିକ ଗଣମାଧୢମରେ କିଛି ଆଶାର କଥା ପ୍ରସାରିତ ହେଉନାହିଁ। ହେଉଛି, ସେସବୁ ସାଧାରଣ ଲୋକଙ୍କ ଦ୍ବାରା, ବିଶିଷ୍ଟ ମାନଙ୍କ ଦ୍ବାରା ନୁହଁ। ମଣିଷ ଜାତି ବହୁ ଦୁର୍ଦ୍ଦିନ, ଦୁଃସମୟ, ବିପର୍ଯ୍ୟୟ ଓ ବିଭୀଷିକାର ସାମ୍ନା କରି ଆସିଛି, ଆଜି ସେସବୁଠାରୁ ଅନେକଗୁଣ ଭୟଙ୍କର ଏକ ବିଚିତ୍ର ପରିସ୍ଥିତିର ସାମ୍ନା କରୁଛି। ଏହା ସତ୍ତ୍ବେ ଭରସା ରଖିବାକୁ ହେବ, ଭଲ ସମୟ ଯଦି ରହିଲା ନାହିଁ, ତାହାହେଲେ ଖରାପ ସମୟ ମଧୢ ରହିବ ନାହିଁ। ସୋସିଆଲ ମିଡିଆରେ ପୋଷ୍ଟ ହୋଇଥିବା ଏକ ଉଦ୍ଧୃତି ସହ ଏଇ ଲେଖାଟି ଶେଷ କରିବା ଉଚିତ ହେବ- ବଡ଼େ ଦୌର୍ ଗୁଜରେ ହୈ ଜିନ୍ଦଗୀକେ, ୟହ ଦୌର ଭି ଗୁଜର ଜାୟେଗା/ଥାମ୍ଲୋ ଅପ୍ନେ ପାଓଁ ଘରୋ ମେଁ, ୟେ ମ˚ଜର ଭି ଥମ୍ ଯାଏଗା।’
ମୋ- ୯୪୩୭୦୭୭୨୮୮
[email protected]