ଅନ୍ୟାୟ ଅଭିଯୋଗ

0 129

ଭାରତରେ କୃଷକମାନେ ସେମାନଙ୍କର ଉତ୍ପନ୍ନ ଫସଲର ‘ସର୍ବନିମ୍ନ ସହାୟକ ମୂଲ୍ୟ’ (‘ଏମ୍‌ଏସ୍‌ପି’)ରେ ବୃଦ୍ଧି ପାଇଁ ଦେଶବ୍ୟାପୀ ଦାବି କରିଚାଲିଥିବା ବେଳେ ଗତ ସପ୍ତାହରେ ଆମେରିକା ସରକାର ‘ବିଶ୍ୱ ବାଣିଜ୍ୟ ସଂଗଠନ’ (‘ଡବ୍ଲ୍ୟୁଟିଓ’) ନିକଟରେ ଭାରତରେ ପ୍ରଚଳିତ ଏମ୍‌ଏସ୍‌ପି ବିରୁଦ୍ଧରେ ଯେଉଁଭଳି ଅଭିଯୋଗ ପେସ୍‌ କରିଛି ତାହା ଭାରତ ସରକାରଙ୍କ ପାଇଁ ଆହୁରି ଅଧିକ ମୁଣ୍ଡବ୍ୟଥା ସୃଷ୍ଟି କରିବ। ଭାରତ ହେଉଛି ‘ବିଶ୍ୱ ବାଣିଜ୍ୟ ସଂଗଠନ’ର ଜଣେ ପ୍ରତିଷ୍ଠାତା ସଦସ୍ୟ। ଏହି ସଂଗଠନ ଦ୍ୱାରା ସମ୍ପନ୍ନ ହୋଇଥିବା ବିଭିନ୍ନ ବହୁ-ପାକ୍ଷିକ ବାଣିଜ୍ୟ ଚୁକ୍ତିମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କୃଷି ସମ୍ବନ୍ଧୀୟ ‘ଆଗ୍ରିମେଣ୍ଟ୍‌ ଅନ୍‌ ଏଗ୍ରିକଲ୍‌ଚର୍‌’ (‘ଏଓଏ’)। ଆମେରିକାର ଅଭିଯୋଗ ହେଲା ଯେ ଭାରତରେ ଧାନ ଓ ଗହମ ପାଇଁ ସରକାର ଯେଉଁ ‘ଏମ୍‌ଏସ୍‌ପି’ ପ୍ରଦାନ କରୁଛନ୍ତି ତାହା ‘ଏଓଏ’ରେ ଏହି ଦୁଇ ଶସ୍ୟ ପାଇଁ ଧାର୍ଯ୍ୟ କରାଯାଇଥିବା ‘ଏମ୍‌ଏସ୍‌ପି’ ସୀମାଠାରୁ ବହୁ ଉପରକୁ ଚାଲି ଗଲାଣି।

ଆମେରିକାର ଯୁକ୍ତି ଅନୁସାରେ ‘ଏଓଏ’ ‘ଏମ୍‌ଏସ୍‌ପି’କୁ ଶସ୍ୟ ଉତ୍ପାଦନ ମୂଲ୍ୟର ମାତ୍ର ୧୦%ରେ ସୀମିତ କରିଥିବା ବେଳେ, ଭାରତ ୨୦୧୦-୧୧ଠାରୁ ୬୦-୭୦% ହାରରେ ଏମ୍‌ଏସ୍‌ପି ଦେବାରେ ଲାଗିଛି। ଏହା ଦ୍ୱାରା ଭାରତୀୟ କୃଷି ଉତ୍ପାଦନକାରୀମାନେ ବିଦେଶ ବଜାରକୁ ଅପେକ୍ଷାକୃତ ଶସ୍ତାରେ ସେମାନଙ୍କର ଉତ୍ପନ୍ନ ଶସ୍ୟକୁ ରପ୍ତାନି କରିପାରୁଛନ୍ତି। ଏଥିଯୋଗୁଁ ଆନ୍ତର୍ଜାତିକ ବଜାରରେ ପ୍ରତିଯୋଗିତା ନ୍ୟାୟୋଚିତ ନହୋଇ ବିକୃତ ହେଉଛି। ସରକାରୀ ଅନୁକମ୍ପା ଯୋଗୁଁ ଭାରତୀୟ ରପ୍ତାନିକାରୀମାନେ ସେମାନଙ୍କ ପ୍ରତିଦ୍ୱନ୍ଦ୍ୱୀମାନଙ୍କୁ ସହଜରେ ବଜାରରୁ ହଟାଇ ଦେଇ ପାରୁଛନ୍ତି। ଏହା ଏକ ଗୁରୁତର ଅଭିଯୋଗ। କିନ୍ତୁ ଏହା ମଧ୍ୟ କିଭଳି ଅନ୍ୟାୟ ଅଭିଯୋଗ, ତାହା ଏହି ‘ଏଓଏ’ ବ୍ୟବସ୍ଥା ଉପରେ ଟିକେ ଅଧିକ ଗଭୀର ଦୃଷ୍ଟିନିକ୍ଷେପ କଲେ ସ୍ପଷ୍ଟ ହୋଇଥାଏ।

ଏହା ଜଣାଶୁଣା ଯେ ଉଭୟ ଆମେରିକା ଓ ଇଉରୋପରେ କୃଷକମାନେ ସରକାରଙ୍କଠାରୁ ବିପୁଳ ସହାୟତା ଲାଭ କରିଥାନ୍ତି। କିନ୍ତୁ ସେମାନଙ୍କର ନେତୃତ୍ୱରେ ପ୍ରସ୍ତୁତ ହୋଇଥିବା ‘ଏଓଏ’ରେ ଏପରି ବ୍ୟବସ୍ଥା ରହିଛି, ଯାହା ସେ ସବୁ ଦେଶର ସରକାରମାନେ ସେମାନଙ୍କର କୃଷକମାନଙ୍କୁ ସୀମାହୀନ ସହାୟତା ପ୍ରଦାନ କରିବା ସମ୍ଭବ କରାଇଥାଏ। ଏଥିପାଇଁ ସବ୍‌ସିଡି ସବୁକୁ ତିନି ରଙ୍ଗର ବାକ୍‌ସରେ ରଖାଯାଇଛି: ସବୁଜ, ନୀଳ ଏବଂ ନାରଙ୍ଗୀ (ଗ୍ରିନ୍‌, ବ୍ଲୁ, ଆମ୍ବର୍‌)। ବଜାରକୁ ଆଦୌ ବିକୃତ ନକରୁଥିବା ସବ୍‌ସିଡି ପାଇଁ ଗ୍ରିନ୍‌, ସାମାନ୍ୟ ବିକୃତି ସୃଷ୍ଟିକାରୀ ସବ୍‌ସିଡି ପାଇଁ ବ୍ଲୁ ଏବଂ ଗୁରୁତର ବିକୃତି ସୃଷ୍ଟିକାରୀ ସବ୍‌ସିଡି ପାଇଁ ଆମ୍ବର ବାକ୍‌ସ ଚିହ୍ନଟ କରାଯାଇଛି। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ପ୍ରଥମ କିସମର ସବ୍‌ସିଡି ବା ‘ଏମ୍‌ଏସ୍‌ପି’ ପାଇଁ କୌଣସି ସୀମା ନଥିବା ବେଳେ ଶେଷ କିସମ ବା ଆମ୍ବର ବାକ୍‌ସ ଶ୍ରେଣୀର ସବ୍‌ସିଡି ପାଇଁ ସୀମା ଧାର୍ଯ୍ୟ କରାଯାଇଛି। ଉନ୍ନତ ଦେଶମାନଙ୍କ ପାଇଁ ଏହି ସୀମା ୫% ହୋଇଥିବା ବେଳେ ବିକାଶଶୀଳ ଦେଶମାନଙ୍କ ପାଇଁ ଦୟା ପ୍ରଦର୍ଶନ ସ୍ୱରୂପ ଏହାକୁ ୧୦% ରଖାଯାଇଛି। କହିବା ବାହୁଲ୍ୟ, ଆମେରିକା ଓ ଇଉରୋପୀୟ ଦେଶମାନେ ବଜାରକୁ ବିକୃତ କରୁନଥିବା ଭଳି ସବ୍‌ସିଡି ବ୍ୟବହାର କରୁଛନ୍ତି ବୋଲି ଦାବି କରି ସେମାନଙ୍କ କୃଷକମାନଙ୍କୁ ମୁକ୍ତ ହସ୍ତରେ ଆର୍ଥିକ ସହାୟତା ଯୋଗାଇ ଚାଲିଛନ୍ତି। ଅପରପକ୍ଷେ ଭାରତ ଭଳି ବିକାଶଶୀଳ ଦେଶ ସବୁର ସରକାରମାନେ ସେମାନଙ୍କର କୃଷକମାନଙ୍କୁ ପ୍ରଦାନ କରୁଥିବା ସହାୟତା ବଜାରକୁ ବିକୃତ କରୁଥିବା କିସମର ବୋଲି ଦାଗ ଦେଇ ଏହାକୁ ୧୦% ସୀମା ମଧ୍ୟରେ ରଖିବାକୁ ସେମାନେ ଦାବି କରି ଆସୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ବଜାର ଉପରେ ସବ୍‌ସିଡିର ବିକୃତକାରୀ ପ୍ରଭାବର ପରିମାପ କିଭଳି କରାଯିବ, ସେ ନେଇ ‘ଏଓଏ’ରେ କୌଣସି ସୂତ୍ର ନାହିଁ।

ପୁଣି ସବ୍‌ସିଡିର ପରିମାଣ ଧାର୍ଯ୍ୟ ସୀମା ଉଲ୍ଲଂଘନ କରୁଛି କି ନାହିଁ ତାହା ସ୍ଥିର କରିବା ପାଇଁ ଯେଉଁ ମୂଳ ମୂଲ୍ୟ ସବୁକୁ ତୁଳନା ପାଇଁ ବ୍ୟବହାର କରାଯାଉଛି, ତାହା ହେଉଛି ୧୯୮୬-୮୮ ସମୟର। ‘ଏଓଏ’ ସୃଷ୍ଟି ପାଇଁ ପ୍ରତ୍ୟେକ କୃଷିଜାତ ପଦାର୍ଥର ଯେଉଁ ଆନ୍ତର୍ଜାତିକ ମୂଲ୍ୟକୁ ସ୍ଥିରୀକୃତ ମୂଲ୍ୟ ବା ‘ଫିକ୍‌ସଡ୍‌ ଏକ୍ସଟର୍ନାଲ୍‌ ରେଫରେନ୍‌ସ ପ୍ରାଇସ୍‌’ (‘ଇଆର୍‌ପି’) ରୂପେ ଗ୍ରହଣ କରାଗଲା ତାହା ହେଉଛି ଏହି ୧୯୮୬-୮୮ର ମୂଲ୍ୟ। ଭାରତ ପାଇଁ ଏହାର ତାତ୍ପର୍ଯ୍ୟ ଦେଖାଯାଉ। ସାଧାରଣ କିସମ ଧାନ ପାଇଁ ଭାରତ ଦେଉଥିବା ‘ଏମ୍‌ଏସ୍‌ପି’ ଟନ୍‌ ପିଛା ୧୧୨ ଡଲାର୍‌ରୁ ବୃଦ୍ଧି ପାଇ ୨୦୧୪-୧୫ ବେଳକୁ ହୋଇଥିଲା ଟନ୍‌ ପିଛା ୩୩୪ ଡଲାର୍‌। କିନ୍ତୁ ଏହି ସମୟ ମଧ୍ୟରେ ‘ଇଆର୍‌ପି’ ଟନ୍‌ ପିଛା ୨୬୩ ଡଲାର୍‌ରେ ସ୍ଥିର ରହିଥିଲା। ତେଣୁ ଭାରତ ବର୍ତ୍ତମାନ ପ୍ରଦାନ କରୁଥିବା ‘ଏମ୍‌ଏସ୍‌ପି’କୁ ଏକ ତିନିଦଶନ୍ଧି ପୁରୁଣା ‘ଇଆରପି’ ସହିତ ତୁଳନା କରି ଭାରତ ସୀମା ଅତିକ୍ରମ କରୁଛି ବୋଲି ଅଭିଯୋଗ କରିବା କିଭଳି ଅନ୍ୟାୟ ତଥା ଉଦ୍ଦେଶ୍ୟ ପ୍ରଣୋଦିତ, ଏଥିରୁ ସ୍ପଷ୍ଟ ହୋଇଥାଏ।

ଭାରତ ଓ ଅନ୍ୟାନ୍ୟ ବିକାଶଶୀଳ ଦେଶମାନେ ସେଥିଯୋଗୁଁ ଦାବି କରି ଚାଲିଛନ୍ତି ଯେ ହୁଏତ ‘ଇଆର୍‌ପି’କୁ ବର୍ତ୍ତମାନ ସମୟର ମୂଲ୍ୟ ସବୁ ଉପରେ ଆଧାରିତ କରାଯାଉ କିମ୍ବା ମୁଦ୍ରାସ୍ଫୀତି ହାରକୁ ହିସାବକୁ ନେଇ ଏଥିରେ ନିୟମିତ ପରିବର୍ତ୍ତନ କରାଯାଉ। ଏ ପ୍ରସ୍ତାବ କିନ୍ତୁ ଆମେରିକା ଆଦି ଦେଶମାନଙ୍କ ପାଇଁ ଆକର୍ଷଣୀୟ ନୁହେଁ, କାରଣ ସେମାନେ ସେମାନଙ୍କର ସବ୍‌ସିଡିକୁ ମୁଖ୍ୟତଃ ‘ଗ୍ରିନ୍‌ ବକ୍‌ସ’ ଭିତରେ ସୁରକ୍ଷିତ ରଖିଛନ୍ତି। ଆମେରିକା ବର୍ତ୍ତମାନ ଭାରତ ବିରୁଦ୍ଧରେ ଉଚ୍ଚା ‘ଏମ୍‌ଏସ୍‌ପି’ ପ୍ରଦାନ କରୁଛି ବୋଲି ଆଣିଥିବା ଅଭିଯୋଗ ଯେଉଁ ହିସାବ ଉପରେ ପର୍ଯ୍ୟବସିତ, ସେଥିରେ ମଧ୍ୟ ବିଭିନ୍ନ ଦୁର୍ବଳତା ରହିଛି। ଆମେରିକା ତାର ହିସାବରେ ଭାରତୀୟ ଟଙ୍କାକୁ ହିସାବର ଏକକ ରୂପେ ବ୍ୟବହାର କରିଛି; କିନ୍ତୁ ଭାରତ ଏହାକୁ ଆମେରିକୀୟ ଡଲାର୍‌ ଆକାରରେ ପ୍ରକାଶ କରିଥାଏ। ଉଲ୍ଲେଖ ନିଷ୍ପ୍ରୟୋଜନ, ସମୟକ୍ରମେ ଭାରତୀୟ ଟଙ୍କାର ବିନିମୟ ମୂଲ୍ୟରେ ସ୍ଖଳନ ଘଟିଚାଲିଥିବାରୁ ଟଙ୍କା ହିସାବରେ ‘ଏମ୍‌ଏସ୍‌ପି’ର ଆକାରରେ ଦ୍ରୁତ ବୃଦ୍ଧି ଘଟୁଥିବା ବେଳେ ଡଲାର୍‌ ଆକାରରେ ତାହା ମନ୍ଥର ରହିଥାଏ। ଯେହେତୁ ଡଲାର୍‌ ହେଉଛି ଆନ୍ତର୍ଜାତିକ ବାଣିଜ୍ୟରେ ବ୍ୟବହୃତ ପ୍ରମୁଖ ମୁଦ୍ରା, ଭାରତ ଡଲାର ଆକାରରେ ‘ଏମ୍‌ଏସ୍‌ପି’ ପ୍ରଦର୍ଶନ କରିବା ସମ୍ପୂର୍ଣ୍ଣ ଯଥାର୍ଥ। ଆମେରିକା କିନ୍ତୁ ଏହା ମାନିବାକୁ ପ୍ରସ୍ତୁତ ନୁହେଁ। ଭାରତ ଦେଉଥିବା ‘ଏମ୍‌ଏସ୍‌ପି’ର ବିଶେଷତ୍ୱ ହେଲା ଏହା ମୁଖ୍ୟତଃ କ୍ଷୁଦ୍ର ଓ ନାମମାତ୍ର କୃଷକମାନଙ୍କ ଜୀବନଧାରଣରେ ସହାୟକ ହେବା ନିମିତ୍ତ ଦିଆଯାଇଥାଏ, ରପ୍ତାନି ମାଧ୍ୟମରେ ବିଦେଶୀ ବଜାର ଦଖଲ ଉଦ୍ଦେଶ୍ୟରେ ନୁହେଁ। ଆମେରିକା ଏଭଳି ‘ଏମ୍‌ଏସ୍‌ପି’ର ବିରୋଧ କରିବାକୁ ଏକପ୍ରକାର ମାନବାଧିକାର ଉଲ୍ଲଂଘନ ବୋଲି କୁହାଯାଇପାରେ। ଆମେରିକାର ଏପରି ଅପରିଣାମଦର୍ଶୀ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଦୁର୍ବଳ ହୋଇ ସାରିଥିବା ବିଶ୍ୱ ବାଣିଜ୍ୟ ସଂଗଠନ ଦିନେ ପୂରା ଭୁଶୁଡ଼ି ଯାଇ ପାରେ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.