କାର୍ଯ୍ୟକ୍ରମ ବିଷୟରେ ନ ଜାଣି ପହଞ୍ଚି ଥିଲେ ଅକ୍ଷୟ, ଏଡ୍‌ସ ବିଷୟରେ ଦେଲେ ଏଭଳି ଭାଷଣ, ଶୁଣି ହସି ହସି ଗଡ଼ିଗଲେ ସୈଫ୍‌

ମୁମ୍ବାଇ : ସମାଜକୁ ସଚେତନ କରିବା ପାଇଁ ବଲିଉଡ୍‌ ଅଭିନେତା ଏମିତି ଅନେକ ବଲିଉଡ୍‌ ଫିଲ୍ମରେ କାମ କରିଛନ୍ତି । ‘ଟଏଲେଟ୍‌ : ଏକ ପ୍ରେମ୍‌ କଥା’ ହେଉ ବା ‘ପ୍ୟାଡ୍‌ମ୍ୟାନ୍‌’ ହେଉ ଦୁଇଟି ଫିଲ୍ମରେ ସେ ଲୋକମାନଙ୍କୁ ବାହାରେ ଶୌଚ ହେବା ଏବଂ ମାସିକ ଧର୍ମ ସମୟରେ କିପରି ନିଜକୁ ସଂକ୍ରମଣରୁ ସୁରକ୍ଷିତ ରଖିବାକୁ ହେବ, ସେ ବିଷୟରେ ସଚେତନ କରାଇଥିଲେ । ଏବେ ଏଭଳି ଫିଲ୍ମ କରି ଲୋକମାନଙ୍କୁ ସଚେତନ କରାଉଥିବା ଅଭିନେତା ଅକ୍ଷୟ କୁମାର ଦିନେ ଏଡ୍‌ସକୁ ନେଇ ଆୟୋଜିତ ହୋଇଥିବା ଏକ କାର୍ଯ୍ୟକ୍ରମରେ କିଛି କହି ପାରି ନଥିବା ଜଣା ପଡ଼ିଛି । କିଛି ଦିନ ତଳେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଅକ୍ଷୟ କୁମାର ଏହି ଘଟଣା ବିଷୟରେ ଖୁଲାସା କରିଥିଲେ ।

Free Press Journal

ତାଙ୍କ କହିବା ଅନୁଯାୟୀ, ୧୯୯୪ରେ ‘ମେଁ ଖିଲାଡି ତୁ ଅନାଡି’ ଫିଲ୍ମର ପ୍ରମୋସନ ପାଇଁ ଆମେ ଦିଲ୍ଲୀ ଯାଇଥିଲୁ । କିନ୍ତୁ ଯିବା ପୂର୍ବରୁ ସେଠାରେ କେଉଁ ବିଷୟକୁ ନେଇ କାର୍ଯ୍ୟକ୍ରମ ରଖା ଯାଇଛି, ତାହା ଆମକୁ ଫିଲ୍ମର ପ୍ରଯୋଜକ ଜଣାଇ ନଥିଲେ । ମୋ ସହ ସୈଫ୍‌ ଅଲ୍ଲୀ ଖାନ୍‌ ମଧ୍ୟ ଥିଲେ । ସେଠାରେ ପହଞ୍ଚିବା ପରେ ଜଣେ ଯୁବକ ଷ୍ଟେଜ୍‌ ଉପରକୁ ଆସି, ଏବେ ଅକ୍ଷୟ କୁମାର ଏଡ୍‌ସକୁ ନେଇ କିଛି କହିବେ ବୋଲି କହିଥିଲେ । ଯାହାକୁ ଶୁଣି ମୁଁ ଚମକି ପଡ଼ିଥିଲି । କ’ଣ କହିବି କ’ଣ ନ କହିିବି ବୋଲି ଭାବୁଥିବା ବେଳେ ସୈଫ୍‌ ମୋତେ ଦେଖି ମୁରୁକି ମୁରୁକି ହସିବାକୁ ଲାଗିଥିଲେ । ଏହା ପରେ ମୁଁ ମୋ ଫିଲ୍ମର ଟାଇଟଲ୍‌କୁ ନେଇ ଉତ୍ତର ରଖିଥିଲି । “ଦୋସ୍ତୋଁ, ଅନାଡି ମତ୍‌ ବନୋ । କଣ୍ଡୋମ ଇସ୍ତମାଲ କରୋ ଅର୍‌ ଖିଲାଡି ବନୋ” ବୋଲି କହିଥିଲି । ଯାହା ଶୁଣିବା ପରେ ସୈଫ୍‌ ଜୋର୍‌ରେ ହସି ତଳେ ଗଡ଼ି ଯାଇଥିଲେ ବୋଲି କହିଛନ୍ତି ଅକ୍ଷୟ କୁମାର ।

ସମ୍ବନ୍ଧିତ ଖବର