ଆମେରିକାରେ ପୁଣି ଜଣେ ଭାରତୀୟଙ୍କୁ ହତ୍ୟା

ଓ୍ଵାସିଂଟନ: ଯୁକ୍ତରାଷ୍ଟ୍ର ଆମେରିକାର ଜର୍ଜିଆଠାରେ ଗୁରୁବାର ଦୁଇ ଜଣ ଭାରତୀୟ ବ୍ୟବସାୟୀଙ୍କ ଉପରେ ମରଣାନ୍ତକ ଆକ୍ରମଣ ହୋଇଛି। ଗୁଳିମାଡ଼ରେ ଯୁବ ବ୍ୟବସାୟୀ ପରମଜିତ ସିଂହ(୪୪)ଙ୍କର ମୃତ୍ୟୁ ହୋଇଥିବା ବେଳେ ପାର୍ଥୀ ପଟେଲ(୩୦) ନାମକ ଅନ୍ୟ ଜଣେ ବ୍ୟବସାୟୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଘଟଣା ପଛରେ ବ୍ୟାବସାୟିକ ଶତ୍ରୁତା ଥିବା ପୁଲିସ ସନ୍ଦେହ କରୁଛି। ଖବର ମୁତାବକ, ଏଲନ୍‌ ଷ୍ଟ୍ରିଟ୍‌ରେ ଦୋକାନ କରିଥିବା ପରମଜିତ ନିଜ ଦୋକାନରେ ଥିବା ସମୟରେ ଦୁଇଜଣ ଯୁବକ ସେଠାକୁ ଆସି ଅତର୍କିତ ଗୁଳି ଚଳାଇଥିଲେ। ପରମଜିତଙ୍କ ଶରୀରରେ ପ୍ରାୟ ୬ଟି ଗୁଳି ବାଜିଥିଲା ଏବଂ ସେ ସେଠାରେ ହିଁ ଟଳି ପଡ଼ିଥିଲେ। ପରେ ଦୁବୃର୍ତ୍ତମାନେ ପାର୍ଥୀଙ୍କ ଦୋକାନରେ ପଶି ତାଙ୍କୁ ହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି।

ସମ୍ବନ୍ଧିତ ଖବର