ନିର୍ଭୟା ମାମଲା : ଦୋଷୀଙ୍କୁ ଯଥାଶୀଘ୍ର ଫାଶୀ ପାଇଁ କେନ୍ଦ୍ର ସରକାର କରିଥିବା ଆବେଦନର ରାୟ ଆସନ୍ତାକାଲି ଶୁଣାଇବେ ଦିଲ୍ଲୀ ହାଇକୋର୍ଟ
ନୂଆଦିଲ୍ଲୀ : ୨୦୧୨ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାର ୪ ଦୋଷୀଙ୍କୁ ଯଥାଶୀଘ୍ର ଫାଶୀରେ ଝୁଲାଇବା ପାଇଁ କେନ୍ଦ୍ର ସରକାର ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ କରାଯାଇଥିବା ଆବେଦନ ଉପରେ ଆସନ୍ତା କାଲି ରାୟ ଶୁଣାଇବେ ଦିଲ୍ଲୀ ହାଇକୋର୍ଟ । ରାୟ ସଂରକ୍ଷିତ ରଖିଛନ୍ତି। ଗତ ୨ ତାରିଖରେ ଜଷ୍ଟିସ ସୁରେଶ କୁମାର କେଟ ଏହି ମାମଲାର ଶୁଣାଣି ଶେଷ କରି ରାୟ ସଂରକ୍ଷିତ ରଖିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
ପଟିଆଲା ହାଉସ୍ କୋର୍ଟ ଦ୍ବାରା ଡେଥ୍ ୱାରେଣ୍ଟ ଉପରେ ରହିତାଦେଶ ଲଗାଯିବାକୁ ବିରୋଧ କରାଯାଇ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏବଂ ଦିଲ୍ଲୀ ପୁଲିସ ପକ୍ଷରୁ ହାଇକୋର୍ଟରେ ଆବେଦନ ଦାଖଲ ହୋଇଥିଲା। ସଲିସିଟର ଜେନେରାଲ ତୁଷାର ମେହେଟା ଦୋଷୀମାନେ ଆଇନର ଦୁରୁପଯୋଗ କରିଥିବା ଶୁଣାଣି ବେଳେ କହିଥିଲେ। ଦୋଷୀମାନେ ଫାଶୀ ଦଣ୍ଡକୁ ଟାଳିବା ପାଇଁ ଅତ୍ୟନ୍ତ ଯୋଜନାବଦ୍ଧ ଭାବେ ଚାଲ୍ ଚଳାଉଛନ୍ତି ବୋଲି ସେ କହିଥିଲେ। ଦୋଷୀ ପବନ ଗୁପ୍ତା ମାମଲାରେ ସେ କହିଥିଲେ ଯେ ଏ ପର୍ଯ୍ୟନ୍ତ ସେ କ୍ୟୁରେଟିଭ କିମ୍ବା କ୍ଷମା ଆବେଦନ ଦାଖଲ ନକରିବା ଏକ ସୁଚିନ୍ତିତ ଚାଲ୍। ଯେଉଁମାନଙ୍କର କୌଣସି ଆବେଦନ ଅଦାଲତ କିମ୍ବା ରାଷ୍ଟ୍ରପତିଙ୍କ ପାଖରେ ନାହିଁ ସେମାନଙ୍କୁ ତୁରନ୍ତ ଫାଶୀରେ ଝୁଲାଇବାକୁ ସଲିସିଟର ଜେନେରାଲ ଦୃଢ଼ ଯୁକ୍ତି ରଖିଥିଲେ।
ନିର୍ଭୟା ମାମଲାର ଦୋଷୀ ଅକ୍ଷୟ ସିଂହ, ବିନୟ ଶର୍ମା ଏବଂ ପବନର ଓକିଲ ଏପି ସିଂହ ତାଙ୍କ ଦଲିଲରେ କହିଥିଲେ ଯେ ଶେଷ ପର୍ଯ୍ୟନ୍ତ ନ୍ୟାୟିକ ବିକଳ୍ପ ବ୍ୟବହାର କରିବା ଅଧିକାର ଦୋଷୀମାନଙ୍କର ରହିଛି ଏବଂ ଏଥିରୁ ସେମାନଙ୍କୁ ବଞ୍ଚିତ କରାଯାଇ ପାରିବ ନାହିଁ।