ଜେଲରୁ ବାହାରିଲେ ଆଇଏଏସ୍‌ ବିଜୟ କେତନ ଉପାଧ୍ୟାୟ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜେଲ ଯାଇଥିବା ଆଇଏଏସ୍‌ ବିଜୟ କେତନ ଆଜି ମୁକୁଳିଛନ୍ତି। ଗତକାଲି ତାଙ୍କୁ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଆଜି ସେ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ବାହାରିଛନ୍ତି। ଲକ୍ଷେ ଟଙ୍କା ଲାଞ୍ଚ ନେବା ଘଟଣାରେ ବିଜୟ କେତନଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରିଥିଲେ।

ତେବେ ଜେଲରୁ ବାହାରିବା ପରେ ବିଜୟ କେତନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କହିଛନ୍ତି, ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଅଦାଲତ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଲାଞ୍ଚ ନେଉଥିବା ସମୟରେ ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧରାପଡ଼ିବା ପରେ ବିଜୟ କେତନ ଉପାଧ୍ୟାୟଙ୍କୁ ସରକାର ନିଲମ୍ବିତ କରିଥିଲେ। ବିଲ୍‌ ପାସ୍‌ କରିବା ପାଇଁ ୧ ଲକ୍ଷ ଟଙ୍କାର ଲାଞ୍ଚ ନେଉଥିବା ବେଳେ ସେ ଧରାପଡ଼ିଥିଲେ। ଏହା ପରେ ତାଙ୍କୁ ଓ ଅନ୍ୟ ଦୁଇ ଜଣଙ୍କୁ ଗିରଫ କରାଯାଇଥିଲା। ଗିରଫ ହେବା ପରେ ଭୁବନେଶ୍ୱରସ୍ଥିତ ଭିଜିଲାନ୍ସ କାର୍ଯ୍ୟାଳୟରେ ତାଙ୍କୁ ବରିଷ୍ଠ ଅଧିକାରୀମାନେ ପଚରାଉଚରା କରିଥିଲେ। ଜଣେ ଆଇଏଏସ୍‌ ଅଧିକାରୀ ଏଭଳି ଭାବେ ଧରାପଡ଼ିବା ଘଟଣା ସରକାରୀ ଅଧିକାରୀ ମହଲରେ ଆଲୋଚନାର ବିଷୟବସ୍ତୁ ହୋଇଥିଲା।

ହସ୍ତଗତ ହୋଇଥିବା ସୂଚନା ଅନୁସାରେ, ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଆଧାରରେ ବିଭିନ୍ନ ବ୍ୟକ୍ତିଙ୍କଠାରୁୁ ବିଭାଗର କାର୍ଯ୍ୟକାରୀତା ନେଇ ମତାମତ ସଂଗ୍ରହ ସମୟରେ ଉଦ୍ୟାନ ବିଭାଗରେ ବ୍ୟାପକ ଲାଞ୍ଚ କାରବାର ହେଉଥିବା ସୂଚନା ଆସିଥିଲା। ଏଥିସହ ନିର୍ଦ୍ଦେଶକ ଦୁର୍ନୀତିରେ ଜଡ଼ିତ ବୋଲି ଅଭିଯୋଗ ଆସିଥିଲା। ଏହାପରେ ଉପରୋକ୍ତ ସୂଚନାକୁ ଭିଜିଲାନ୍‌ସ ନିର୍ଦ୍ଦେଶାଳୟକୁ ପ୍ରଦାନ କରାଯାଇ ଉପଯୁକ୍ତ ପଦକ୍ଷେପ ଲାଗି ନିର୍ଦ୍ଦେଶ ଦିଆଯାଇଥିଲା। ଦୀର୍ଘ ୧୦ ଦିନ ହେବ ଭିଜିଲାନ୍‌ସ ପକ୍ଷରୁ କୃଷି ବିଭାଗ ଅଧିନସ୍ଥ ଉଦ୍ୟାନ ନିର୍ଦ୍ଦେଶାଳୟ ଉପରେ ସତର୍କ ଦୃଷ୍ଟି ରଖାଯାଇଥିଲା।

ସମ୍ବନ୍ଧିତ ଖବର