ସାବଧାନ! ରାତି ଅଧିଆ ତତ୍ପରତା ଅଭ୍ୟାସ କରି ଦେଖାଇଲା ସବୁ ପରିସ୍ଥିତିର ଓ ସବୁ ଆହ୍ଵାନର ମୁକାବିଲା ପାଇଁ ସଦା ପ୍ରସ୍ତୁତ ଅଛି ଭାରତୀୟ ବାୟୁସେନା

ନୂଆଦିଲ୍ଲୀ: ଭାରତ-ପାକ୍‌ ସୀମାର ପଞ୍ଜାବ ଓ ଜମ୍ମୁର ସୀମାନ୍ତ ଅଞ୍ଚଳରେ ଗତକାଲି (ଗୁରୁବାର) ବିଳମ୍ବତ ରାତ୍ରରେ ଭାରତୀୟ ବାୟୁସେନା ପକ୍ଷରୁ ବିନା କୌଣସି ପୂର୍ବ ସୂଚନାରେ ଏକ ତତ୍ପରତା (ରେଡିନେସ୍‌) ଅଭ୍ୟାସ କରା ଯାଇଥିଲା। ଏହି ତତ୍ପରତା ଅଭ୍ୟାସରେ ଭାରତୀୟ ବାୟୁସେନାର ଆଗଧାଡ଼ିର ବହୁ ଲଢ଼ୁଆ ବିମାନ ଅଂଶ ଗ୍ରହଣ କରିଥିଲେ।

ରାତି ଅଧିଆ ତତ୍ପରତା ଅଭ୍ୟାସ କାଳରେ ଭାରତୀୟ ବାୟୁସେନାର ଆଗୁଆ ଘାଟୀ ଅଞ୍ଚଳରେ ମୁତୟନ ରହୁଥିବା ବହୁ ଲଢ଼ୁଆ ବିମାନ ଏଥିରେ ଅଂଶଗ୍ରହଣ କରିବା ସହ ‘ସୁପରସୋନିକ୍‌’ ବେଗରେ ପଞ୍ଜାବ ଓ ଜମ୍ମୁର ସମସ୍ତ ସୀମାନ୍ତ ଜିଲ୍ଲାଗୁଡ଼ିକ ଉପରେ ଦୀର୍ଘ ସମୟ ଧରି ଉଡ଼ିଥିଲା। ଲଢ଼ୁଆ ବିମାନଗୁଡ଼ିକର ଘୋରଘର୍ଘର ଶବ୍ଦରେ ସଂପୃକ୍ତ ଅଞ୍ଚଳ ବାସୀ ଅନେକ ସମୟ ଧରି ଆତଙ୍କିତ ହୋଇ ପଡ଼ିଥିଲେ। କାରଣ, ବାଲାକୋଟ୍‌ରେ ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ୍‌ ପରେ ଉଭୟ ଦେଶ ମଧ୍ୟରେ ଉତ୍ତେଜନା ଏବେ ଚରମସୀମାରେ ପହଞ୍ଚିଛି। ସେଥିରେ ପୁଣି ଗତ ଦୁଇଦିନ ତଳେ ବିଳମ୍ବିତ ରାତ୍ରରେ ପାକିସ୍ତାନ ବାୟୁସେନାର ଦୁଇଟି ଲଢ଼ୁଆ ବିମାନ ଭାରତୀୟ ସୀମା ମଧ୍ୟକୁ ପଶି ଆସିଥିଲା।

ତେଣୁ, ଭାରତୀୟ ବାୟୁସେନା ଯେ କୌଣସି ପ୍ରକାର ପ୍ରତିକୁଳ ପରିସ୍ଥିତିର ମୁକାବିଲା କରିବା ସହ ସବୁ ଆହ୍ଵାନର ଜବାବ ଦେବାକୁ ଯେ ଶତତ ପ୍ରସ୍ତୁତ ରହିଛି ତାହାର ପରୀକ୍ଷା ନେବାକୁ ଓ ଶତ୍ରୁ ପକ୍ଷକୁ ନିଜର ଦମ୍‌ ଦେଖାଇଦେବା ଉଦ୍ଦେଶ୍ୟରେ ଏହି ତତ୍ପରତା ଅଭ୍ୟାସ କରା ଯାଇଥିଲା। ଏଥିରେ ଭୟଭୀତ ନହେବାକୁ ସେନା ପକ୍ଷରୁ ସ୍ଥାନୀୟ ଅଞ୍ଚଳ ବାସୀଙ୍କୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର