ବଢୁଛି ପାକିସ୍ତାନ,ଚୀନ ପଟୁ ବିପଦ ଆଶଙ୍କା, ସୀମାରେ ଆକାଶ ମିସାଇଲ ସିଷ୍ଟମ ମୁତୟନ କରିବାକୁ ବିଚାର

ନୂଆଦିଲ୍ଲୀ : ପାକିସ୍ତାନ ଓ ଚୀନ ପଟୁ ଭାରତ ପ୍ରତି ବିପଦ ଦିନକୁ ଦିନ ବଢିଚାଲିଛି । ପୁଣି ଏହି ଦୁଇ ଦେଶ ପରସ୍ପର ମଧ୍ୟରେ ହାତମିଳାଇଥିବାରୁ ଭାରତର ଚିନ୍ତା ବଢିଚାଲିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ପକ୍ଷରୁ ସୀମାରେ ନିଜର ଶକ୍ତିକୁ ବୃଦ୍ଧି କରିବାକୁ ଯୋଜନା କରାଯାଉଛି । ଏହି ଯୋଜନା ମୁତାବକ ଚୀନ ଓ ପାକିସ୍ତାନ ସୀମାରେ ଥିବା ହିମାଳୟ ପାର୍ବତ୍ୟ ଅଞ୍ଚଳରେ ଭାରତ ପକ୍ଷରୁ ଆକାଶ ପ୍ରାଇମ ମିସାଇଲ ସିଷ୍ଟମ ମୁତୟନ କରିବାକୁ ଯୋଜନା ଚାଲିଛି । ବିଶେଷକରି ଲଦାଖ କେନ୍ଦ୍ର ଶାସିତ ଅଞ୍ଚଳଟି ଉଭୟ ପାକିସ୍ତାନ ଓ ଚୀନକୁ ଲାଗିଥିବାରୁ ସେଠାରେ ସମୁଦ୍ର ପତ୍ତନରୁ ୧୫ ହଜାର ଫୁଟ ଉଚ୍ଚରେ ଏହା ମୁତୟନ କରାଯିବ ।

ଆକାଶ ପ୍ରାଇମ ହେଉଛି ପୂର୍ବରୁ ଭାରତୀୟ ସେନାର ସାମିଲଥିବା ଆକାଶ ମିସାଇଲ ସିଷ୍ଟମର ଏକ ଉନ୍ନତ ରୂପ । ଏହା ସ୍ୱଦେଶୀ ଜ୍ଞାନ କୌଶଳରେ ନିର୍ମିତ ଏକ ଅତ୍ୟାଧୁନିକ ମିସାଇଲ ଡିଫେନ୍ସ ସିଷ୍ଟମ । ଏହା ପାକିସ୍ତାନ ଓ ଚୀନ ପଟୁ ଆସୁଥିବା ବିମାନ, ଡ୍ରୋନ, ମିସାଇଲ ଆଦିକୁ ଖସାଇବାକୁ ସକ୍ଷମ ହେବ । ପାକିସ୍ତାନ ପଟୁ ଡ୍ରୋନ ଆକ୍ରମଣର ଆଶଙ୍କା ଦିନକୁ ଦିନ ବଢିିଚାଲିଥିବାରୁ ଭାରତ ଏହି ପଦକ୍ଷେପ ନେବାକୁ ବିଚାର କରୁଛି । ଏହି ଯୋଜନା ପାଇଁ ସେନା ଡିଆରଡିଓଠାରୁ ୧୦ ହଜାର କୋଟିର ଆକାଶ ମିସାଇଲ ସିଷ୍ଟମ କିଣିବ । ଖୁବଶୀଘ୍ର ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ଏହି ପ୍ରସ୍ତାବ ଉପରେ ନିଷ୍ପତ୍ତି ନେବାର ସମ୍ଭାବନା ରହିଛି ।

ସମ୍ବନ୍ଧିତ ଖବର