ଆଜୀବନ ଜେଲ୍‌ : ୨ ସହଯୋଗୀଙ୍କୁ ୨୦ ବର୍ଷ କାରାଦଣ୍ଡ

ଯୋଧପୁର : ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଆତ୍ମଘୋଷିତ ଧର୍ମଗୁରୁ ଆଶାରାମ ବାପୁ(୭୭)ଙ୍କୁ ସ୍ୱତନ୍ତ୍ର ଅଦାଲତ ଆଜି ଦୋଷୀ ସାବ୍ୟସ୍ତ କରିବା ସହ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଆଶାରାମଙ୍କ ଦୁଇ ସହଯୋଗୀ ଶିଳ୍ପୀ ଏବଂ ଶରତଚନ୍ଦ୍ରଙ୍କୁ ୨୦ ବର୍ଷ ଲେଖାଏଁ ଜେଲ ଦଣ୍ଡାଦେଶ ହୋଇଛି। ତେବେ ଅନ୍ୟ ଦୁଇ ଅଭିଯୁକ୍ତ ପ୍ରକାଶ ଏବଂ ଶିବଙ୍କୁ କୋର୍ଟ ଦୋଷମୁକ୍ତ କରିଛନ୍ତି।

ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆଜି ଯୋଧପୁର ସେଣ୍ଟ୍ରାଲ ଜେଲ ପରିସରରେ ସ୍ୱତନ୍ତ୍ର ଏସ୍‌ସିଏସ୍‌ଟି କୋର୍ଟ ବିଚାରପତି ମଧୁସୂଦନ ଶର୍ମା ଆଶାରାମ ଓ ତାଙ୍କ ସହଯୋଗୀ ସଞ୍ଚିତ ଓରଫ ଶିଳ୍ପୀ ଏବଂ ଶରତ ଚନ୍ଦ୍ରଙ୍କୁ ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ କରିଥିଲେ। କୋର୍ଟଙ୍କ ଏହି ରାୟ ବିରୋଧରେ ଆଶାରାମ ହାଇକୋର୍ଟରେ ଆବେଦନ କରିବେ ବୋଲି ତାଙ୍କ ଓକିଲ କହିଛନ୍ତି। ଦୋଷୀ ସାବ୍ୟସ୍ତ ହେବା ପରେ ଆଶାରାମ କାନ୍ଦି ପକାଇଥିଲେ ଏବଂ ତାଙ୍କ ପଗଡ଼ି ବାହାର କରିଦେଇଥିଲେ। ୧୦ ମିନିଟ୍‌ ଧରି ଚେୟାରରେ ବସି ତାଙ୍କ ପ୍ରତି ଅନ୍ୟାୟ ହୋଇଛି ବୋଲି କହି ହତାଶା ବ୍ୟକ୍ତ କରିଥିଲେ। ଏହାପରେ ସେ ଅଚାନକ ଅସୁସ୍ଥ ହୋଇପଡ଼ିବାରୁ ଜେଲ୍‌ ପରିସରରେ ହିଁ ତାଙ୍କର ଚିକିତ୍ସା କରାଯାଇଥିଲା।

୨୦୧୩ ମସିହାରେ ୟୁପି ଶାହଜାହାନପୁରର ଜଣେ ନାବାଳିକାଙ୍କୁ ଯୋଧପୁର ଆଶ୍ରମ ପରିସରରେ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହେବା ପରେ ଆଶାରାମଙ୍କୁ ଗିରଫ କରାଯାଇଥିଲା ଏବଂ ସେ ପ୍ରାୟ ୫ ବର୍ଷ ହେଲା ଜେଲ୍‌ରେ ଅଛନ୍ତି। ଏହି ମାମଲାର ବିଚାର ଦୀର୍ଘ ସାଢ଼େ ୪ ବର୍ଷ ଧରି ଚାଲିଥିବା ବେଳେ ୯ ଜଣ ପ୍ରମୁଖ ସାକ୍ଷୀଙ୍କ ମଧ୍ୟରୁ ୩ ଜଣଙ୍କୁ ହତ୍ୟା କରାଯାଇଛି। ମାମଲାରେ ଆଶାରାମ ୧୨ ଥର ଜାମିନ ପାଇଁ ଆବେଦନ କରିଥିଲେ। ତେବେ ତାଙ୍କ ଜାମିନ ଆବେଦନକୁ ଟ୍ରାଏଲ୍‌ କୋର୍ଟ ୬ ଥର ଖାରଜ କରିଥିବା ବେଳେ ହାଇକୋର୍ଟ ୩ ଥର ଏବଂ ସୁପ୍ରିମକୋର୍ଟ ମଧ୍ୟ ୩ ଥର ଖାରଜ କରିଛନ୍ତି।

ଆଜି ରାୟ ଘୋଷଣା ବେଳେ ଆଶାରାମଙ୍କ ପ୍ରତି କୌଣସି କୋହଳ ମନୋଭାବ ପୋଷଣ କରାଯାଇପାରିବ ନାହିଁ ବୋଲି ବିଚାରପତି ଶର୍ମା କହିଥିଲେ ଏବଂ ଆଶାରାମଙ୍କ ଅପରାଧକୁ ଅତ୍ୟନ୍ତ ଘୃଣ୍ୟ ବୋଲି ଦର୍ଶାଇଥିଲେ। ପୋକ୍ସୋ ଏବଂ ଏସ୍‌୍‌ଏସ୍‌ଏସ୍‌ଟି ଆଇନ ସମେତ ୧୪ଟି ଧାରାରେ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା। ଏହା ସହିତ ତାଙ୍କର ଦୁଇ ଘନିଷ୍ଠ ସହଯୋଗୀ ଶିଳ୍ପୀ ଏବଂ ଶରତଚନ୍ଦ୍ରଙ୍କୁ ମଧ୍ୟ ଦୋଷୀ ସାବ୍ୟସ୍ତ କରି ୨୦ ବର୍ଷ ଲେଖାଏଁ ଜେଲ୍‌ ଦଣ୍ଡାଦେଶ ଦିଆଯାଇଛି। ଶିଳ୍ପୀ ପୀଡ଼ିତାଙ୍କୁ ଛଳନାପୂର୍ବକ ଆଶାରାମଙ୍କ ପାଖକୁ ପଠାଇଥିଲେ ଏବଂ ଆଶ୍ରମର ସଂଚାଳକ ଶରତଚନ୍ଦ୍ର ମଧ୍ୟ ଏଥିରେ ଭାଗୀଦାର ଥିଲେ।

ଗତବର୍ଷ ଅଗଷ୍ଟରେ ଅନ୍ୟ ଜଣେ ଆତ୍ମଘୋଷିତ ଧର୍ମଗୁରୁ ରାମରହିମଙ୍କୁ ନେଇ ରାୟ ପ୍ରକାଶ ପାଇବା ପରେ ଯେଭଳି ଭୟଙ୍କର ହିଂସା ସୃଷ୍ଟି ହୋଇଥିଲା, ସେଭଳି ଘଟଣା ଏଡ଼ାଇବାକୁ ଆଜି ଯୋଧପୁରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜ୍ୟ ପ୍ରଶାସନ ଏହି ପ୍ରସଙ୍ଗରେ ପୂର୍ବରୁ ସତର୍କ ରହିଥିବାରୁ କୌଣସି ଅପ୍ରୀତିକର ପରସ୍ଥିତି ସୃଷ୍ଟି ହୋଇନାହିଁ। ଯୋଧପୁରରେ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ଧାରା ୧୪୪ ବଳବତ୍ତର ରହିବ ବୋଲି ଘୋଷଣା କରାଯାଇଛି। ଆଜି ରାଜ୍ୟର ପ୍ରମୁଖ ବସ୍‌ଷ୍ଟାଣ୍ଡ, ରେଳ ଷ୍ଟେସନଗୁଡ଼ିକୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରଖା ଯାଇଥିଲା। ଆଶାରାମଙ୍କର ସମସ୍ତ ଆଶ୍ରମଗୁଡ଼ିକୁ ଖାଲି କରାଯାଇଥିବା ବେଳେ ତାଙ୍କର କୌଣସି ସମର୍ଥକଙ୍କୁ ହୋଟେଲରେ ନ ରଖିବା ପାଇଁ ମଧ୍ୟ କଡ଼ା ନିର୍ଦ୍ଦେଶ ଦିଆଯାଇଥିଲା। ସେପଟେ ଜେଲ ମଧ୍ୟକୁ ଗଣମାଧ୍ୟମଙ୍କ ପ୍ରବେଶକୁ ମଧ୍ୟ ମନା କରାଯାଇଥିଲା। ପୀଡ଼ିତାଙ୍କ ପରିବାରର ନିରାପତ୍ତା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଆଜି ରାୟ ପ୍ରକାଶ ପାଇବା ପରେ ପୀଡ଼ିତାଙ୍କ ପରିବାର ଗଣମାଧ୍ୟମରେ ବିବୃତି ଦେଇ ସେମାନେ ନ୍ୟାୟ ପାଇଛନ୍ତି ବୋଲି କହିଛନ୍ତି। ଆଶାରାମ ଓ ତାଙ୍କ ପୁଅ ନାରାୟଣ ସାଇଙ୍କ ବିରୋଧରେ ସୁରଟର ଦୁଇ ନାବାଳିକା ମଧ୍ୟ ଦୁଷ୍କର୍ମ ଅଭିଯୋଗ କରିଥିବାରୁ ମାମଲା ବିଚାରାଧୀନ ରହିଛି ଏବଂ ଏହି ମାମଲାରେ ନାରାୟଣ ସାଇ ଏବେ ଜେଲ୍‌ରେ ଅଛନ୍ତି।

ସମ୍ବନ୍ଧିତ ଖବର