ରାଜୀବ-ସୋନିଆ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା କାହିଁକି ଆସିଲେ ସକ୍ରିୟ ରାଜନୀତିକୁ? କ’ଣ କହୁଛନ୍ତି ରାଜନୀତି ବିଶାରଦ…

ନୂଅଦିଲ୍ଲୀ: ଶେଷରେ ସମସ୍ତ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ରାଜୀବ- ସୋନିଆ ତନୟା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ସକ୍ରିୟ ରାଜନୀତିରେ ଯୋଗ ଦେଇଛନ୍ତି। ତେବେ, ପ୍ରୟଙ୍କାଙ୍କୁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସାଧାରଣ ସଂପାଦିକା ଭାବେ ନିଯୁକ୍ତି ସହ ତାଙ୍କୁ ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶ (ପୂର୍ବ)ର ଦାୟିତ୍ୱ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଅର୍ପଣ କରିଥିବା ଦଳର ଅନ୍ୟତମ ବରିଷ୍ଠ ସାଧାରଣ ସଂପାଦକ ଅଶୋକ ଗେହଲଟ୍‌ ଏକ ପ୍ରେସ୍‌ ବିବୃତିରେ ଘୋଷଣା କରିବା ପରେ ଦେଶର ରାଜନୀତି ହଠାତ୍‌ ସରଗରମ ହୋଇ ଉଠିଛି।

୨୦୧୯ ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ବିରୋଧୀ ଦଳଗୁଡ଼ିକ କଂଗ୍ରେସ ଅଧ୍ୟକ୍ଷ ରାହୁଲଙ୍କୁ ‘ହାଲୁକା’, ‘ଅପରିପକ୍ୱ’ ଓ ‘ଅସଫଳ’ ରାଜନେତା ଭାବେ ଆକ୍ଷେପ କରି ଯେପରି ଭାବେ ଘେରିବାକୁ ଆରମ୍ଭ କରିଥିଲେ, ତାକୁ ଚେକ୍‌ମେଟ୍‌ ଦେବାକୁ ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଅଣାଯାଇଥିବା ଆଲୋଚନା ହେଉଛି। ସକ୍ରିୟ ରାଜନୀତିକୁ ଆସିବା ପରେ ପ୍ରିୟଙ୍କା ରାଜନୈତିକ ଦୃଷ୍ଟିକୋଣରୁ ଗୁରୁତ୍ୱପୂର୍ଣ୍ଣ ଉତ୍ତରପ୍ରଦେଶରେ ବିଜେପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟକ୍କର ଦେବା ସହ ରାଏବରେଲୀ ଲୋକସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚନ ଲଢ଼ିବେ ବୋଲି ଜାଣିବାକୁ ମିଳିଛି।

ଉଲ୍ଲେଖଯୋଗ୍ୟ, ସଦ୍ୟ ସମାପ୍ତ ୫ଟି ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ୩ଟି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ବିଜୟ ଲାଭ କରିବା ସହ ସରକାର ଗଠନ କରିଛି। ଏହି ଘଟଣାରୁ ସଙ୍କେତ ମିଳୁଛି ଯେ ଦେଶର ଜନସାଧାରଣ ତଥା ଭୋଟର ଏବେ ଶାସକ ବିଜେପି ପ୍ରତି ବୀତସ୍ପୃହ ଏବଂ ସେମାନେ ଏକ ପରିବର୍ତ୍ତନ ଚାହୁଁଛନ୍ତି। ତେବେ, ଅନ୍ୟପକ୍ଷରେ ଦେଶର ଜନସାଧାରଣ ତଥା ଭୋଟରଙ୍କ ଏ ମାନସିକତାକୁ ବୁଝି ଯେପରି ତତ୍ପରତା ପ୍ରକାଶ କରିବା କଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ସେ ପ୍ରକାରର ତତ୍ପରତା ପ୍ରକାଶ କରୁ ନଥିବା ଦେଖିବାକୁ ମିଳୁଛି।

୨୦୧୭ରେ ପରିସ୍ଥିତି ଭିନ୍ନ ଥିବା ବେଳେ ଉତ୍ତରପ୍ରଦେଶରେ ସମାଜବାଦୀ ପାର୍ଟି (ସପା) କଂଗ୍ରେସ ସହ ମେଣ୍ଟ କରି ନିର୍ବାଚନ ଲଢ଼ିଥିଲା। କିନ୍ତୁ, ଏବେ ପରିସ୍ଥିତି ଅନୁକୂଳ ଥିବା ବେଳେ ସମାଜବାଦୀ ପାର୍ଟି ଆଗାମୀ ନିର୍ବାଚନରେ କଂଗ୍ରେସ ସହ ମେଣ୍ଟ ନକରି ବହୁଜନ ସମାଜ ପାର୍ଟି (ବିଏସ୍‌ପି) ସହ ମେଣ୍ଟ କରିଛି। ଏଘଟଣାକୁ କଂଗ୍ରେସ ଦଳ ଅଧ୍ୟକ୍ଷ ରାହୁଲଙ୍କର ଏକ ବିଫଳତା ବୋଲି ବିବେଚନା କରୁଛି। ସେହିପରି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଶମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ମମତା ବାନାର୍ଜୀଙ୍କ ଦ୍ୱାରା ମହାଗଠବନ୍ଧନ ପାଇଁ ଆୟୋଜିତ କରିଥିବା ମହାର‍୍ୟାଲିରୁ ରାହୁଲ ନିଜକୁ ଦୂରେଇ ରଖିବା ଘଟଣାକୁ ମଧ୍ୟ ବରିଷ୍ଠ କଂଗ୍ରେସ ନେତାମାନେ ସମର୍ଥନ କରିପାରୁ ନାହାନ୍ତି।

ଅନ୍ୟପକ୍ଷରେ, ସଂପ୍ରତି ବିଭିନ୍ନ କାରଣ ଓ ଗଟଣାବଳୀକୁ ନେଇ ଦେଶର ରାଜନୀତି ସରଗରମ ଥିବା ବେଳେ ଦେଶ ଛାଡ଼ି ନିଖୋଜ ହୋଇ ଯାଇଛନ୍ତି ରହୁଲ। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଏବେ କେଉଁଠି? ଏପ୍ରଶ୍ନର ଉତ୍ତର କଂଗ୍ରେସର ବରିଷ୍ଠ ନେତାମାନେ ସୁଦ୍ଧା ଦେବାକୁ ଅସମର୍ଥ। ଏସବୁ କାରଣକୁ ନେଇ ଦଳର ବରିଷ୍ଠ ନେତାମାନେ ଭିତରେ ଭିତରେ ଅସନ୍ତଷ୍ଟ ହେଉଥିଲେ ସୁଦ୍ଧା ବାହାରକୁ ପ୍ରକାଶ କରିପାରୁ ନାହାନ୍ତି।


ଏସବୁ ସତ୍ୟକୁ ହୃଦୟଙ୍ଗମ କରିବା ପରେ ଶେଷରେ କଂଗ୍ରେସର ଉପଦେଷ୍ଟା ତଥା ଉପା ଅଧ୍ୟକ୍ଷା ସୋନିଆ ଗାନ୍ଧୀ ତନୟା ପ୍ରିୟଙ୍କାଙ୍କୁ ସକ୍ରିୟ ରାଜନୀତିକୁ ଆଣିଥିବା ଆଲୋଚନା ହେଉଛି। ପ୍ରିୟଙ୍କଙ୍କ ସକ୍ରିୟ ରାଜନୀତିରେ ଯୋଗଦାନ ଘଟଣାକୁ କଟାକ୍ଷ କରି ବିଜେପି ‘ନିର୍ବାଚନ ପୂର୍ବରୁ ରାହୁଲଙ୍କ ପରାଜୟ ସ୍ୱୀକାର’ ବୋଲି କହି କଟାକ୍ଷ କରିଥିବା ବେଳେ ଦେଶର ସାଧାରଣ ଜନତା ଓ ଭୋଟର କିନ୍ତୁ ପ୍ରିୟଙ୍କଙ୍କ ରାଜନୀତିରେ ସକ୍ରିୟ ଅଂଶ ଗ୍ରହଣକୁ ସ୍ୱାଗତ କରିଛନ୍ତି।

ସମ୍ବନ୍ଧିତ ଖବର