ସ୍ମାରକ ଦୁର୍ନୀତି ମାମଲା: ୭ ସ୍ଥାନରେ ଇଡି ଚଢ଼ଉ, ମାୟାବତୀଙ୍କ ଅଡ଼ୁଆ ବଢ଼ିଲା

ଲକ୍ଷ୍ନୌ: ବାଲି ଦୁର୍ନୀତି ମାମଲାରେ ଉତ୍ତରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ ଯାଦବଙ୍କୁ ସିବିଆଇ ଜେରା କରିବା ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଏବେ ସ୍ମାରକ ଦୁର୍ନୀତି ମାମଲାରେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ବିଏସ୍‌ପି ସରକାର ସମୟରେ ମହାପୁରୁଷଙ୍କ ସ୍ମାରକ ନିର୍ମାଣ କ୍ଷେତ୍ରରେ ବଡ଼ ଧରଣର ଦୁର୍ନୀତି ଅଭିଯୋଗ ହୋଇଥିଲା। ଏ ବାବଦରେ ୧୧୧ କୋଟିରୁ ଊର୍ଦ୍ଧ୍ବ ଟଙ୍କାର ଅନିୟମିତତା ମାମଲାରେ ତଦନ୍ତକାରୀ ସଂସ୍ଥା ଇଡି ଆଜି ୬ଟି ସ୍ଥାନ‌ରେ ଚଢ଼ଉ କରିଛି। ଆଜି ରାଜ୍ୟରେ କେତେକ ଇଞ୍ଜିନିୟର ଏବଂ କଣ୍ଟ୍ରାକ୍ଟରଙ୍କ ବାସଭବନରେ ଏହି ଚଢ଼ଉ ହୋଇଥିବା ବେଳେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ପିଏମଏଲଏ ଆଇନ ଅଧୀନରେ ଅପରାଧିକ ମାମଲା ମଧ୍ୟ ରୁଜୁ ହୋଇଛି। ଦୁର୍ନୀତି ନିବାରଣ ଆଇନ ଏବଂ ଆଇପିସିର ବିଭିନ୍ନ ଧାରା ଅଧୀନରେ ମାମଲା ରୁଜୁ ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀଙ୍କ କାର୍ଯ୍ୟକାଳ ସମୟରେ ରାଜ୍ୟରେ ସ୍ମାରକ ନିର୍ମାଣ ଦୁର୍ନୀତି ଆଲୋଡ଼ନ ସୃଷ୍ଟି କରିଥିଲା। ଲକ୍ଷ୍ନୌ, ନଏଡ଼ା ଏବଂ ଅନ୍ୟ କିଛି ସ୍ଥାନରେ ୨୬୦୦ କୋଟିରୁ ଊର୍ଦ୍ଧ୍ବ ଟଙ୍କା ବିନିମୟରେ ସ୍ମାରକ, ପ୍ରତିମୂର୍ତ୍ତି ଏବଂ ପାର୍କ‌୍ ନିର୍ମାଣ ହୋଇଥିଲା। ଏହାଦ୍ବାରା ରାଜ୍ୟ ରାଜକୋଷକୁ ବିପୁଳ କ୍ଷତି ସହିବାକୁ ପଡ଼ିଥିଲା। ତେବେ ସ୍ମ‌ାରକ ପାଇଁ ମାର୍ବଲ୍‌ କିଣିବାରେ ଅନିୟମିତତା ମାମଲାରେ ୟୁପି ଲୋକାୟୁକ୍ତ ମାୟାବତୀଙ୍କ ୨ ସହକର୍ମୀ, ୧୨ ଜଣ ବିଏସ୍‌ପି ବିଧାୟକଙ୍କୁ ଦୋଷୀ ବୋଲି ଦର୍ଶାଇ ଥିଲେ। ଲୋକାୟୁକ୍ତଙ୍କ ରିପୋର୍ଟ ଆଧାରରେ ଭିଜିଲାନ୍ସ ବିଭାଗ ସେମାନଙ୍କ ବିରୋଧରେ ୨୦୧୪ ମସିହାରେ ଏତଲା ରୁଜୁ କରିଥିଲେ। ପିଡବ୍ଲ୍ୟୁଡି ଅଧିକାରୀମାନଙ୍କ ବିରୋଧରେ ମଧ୍ୟ ଅପରାଧିକ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର