କ’ଣ ଆଉଥରେ ଏକାଠି ହେବେ କି ଗାନ୍ଧୀ ପରିବାରର ଦୁଇ ବୋହୂ ସୋନିଆ ଓ ମାନେକା! 

ନୂଆଦିଲ୍ଲୀ: ଗାନ୍ଧୀ ପରିବାରର ଦୁଇ ବୋହୂ; ମାନେ ସୋନିଆ ଗାନ୍ଧୀ (ରାଜୀବଙ୍କ ପତ୍ନୀ) ଓ ମାନେକା ଗାନ୍ଧୀ (ସଞ୍ଜୟଙ୍କ ପତ୍ନୀ)ଙ୍କ ମଧ୍ୟରେ ରହିଥିବା ତିକ୍ତତା କାହାରିକୁ ଅଛପା ନୁହେଁ। କେହି କାହାରିକି ଆଡ଼ ଆଖିରେ ସୁଦ୍ଧା ଦେଖିପାରନ୍ତି ନାହିଁ। ସେଥିପାଇଁ ମାନେକା ତାଙ୍କ ପୁଅ ବରୁଣକୁ ଧରି କେବଳ ଘର ଓ କଂଗ୍ରେସ ଦଳ ଛାଡ଼ି ନାହାନ୍ତି; ବରଂ ମା’ ପୁଅ ଉଭୟେ କଂଗ୍ରେସ ବିରୋଧୀ ଭାରତୀୟ ଜନତା ପାର୍ଟିି (ବିଜେପି)ରେ ମଧ୍ୟ ସାମିଲ ହୋଇଛନ୍ତି। ମାନେକା ଏବେ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରିମଣ୍ଡଳରେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିବାବେଳେ, ପୁଅ ବରୁଣ ଏବେ ବିଜେପିର ସାଂସଦ।

ତେବେ, ଉଭୟ ବୋହୂଙ୍କ ମଧ୍ୟରେ ବୟସ ବଢ଼ିବା ସହ ସେମାନଙ୍କ ମଧ୍ୟରେ ରହିଥିବା ପୂର୍ବ ତିକ୍ତତା ଏବେ କମୁଛି ଏବଂ ଉଭୟେ ଉଭୟର ନିକଟତର ହେବାକୁ ଚେଷ୍ଟା କରୁଛନ୍ତି ବୋଲି ଦିଲ୍ଲୀର ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏପରି ଚର୍ଚ୍ଚା ପଛରେ ଦୁଇଟି ଠୋସ୍‌ କାରଣ ମଧ୍ୟ ରହିଛି। ପ୍ରଥମଟି ହେଲା:- କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀ ତାଙ୍କ ବଡ଼ ଜା’ମାନେ ସୋନିଆ ଗାନ୍ଧୀଙ୍କ ୧୦ ଜନପଥରେ ଥିବା ସରକାରୀ ବଙ୍ଗଳା ଠାରୁ ଫର୍ଲଙ୍ଗେ ଦୂରରେ ଆୟୋଜନ କରିଥିଲେ ଏକ ପ୍ରଦର୍ଶନୀ। ଯେଉଁଠାରେ ଦେଶର ବିଭିନ୍ନ ସ୍ଥାନରେ ମହିଳାମାନେ ଜୈବକୃଷି ଜରିଆରେ ଉତ୍ପାଦନ କରୁଥିବା କୃଷି ସାମଗ୍ରୀ ସବୁର ପ୍ରଦର୍ଶନ କରାଯିବା ସହ ବିକ୍ରୀ ମଧ୍ୟ କରାଯାଉଥିଲା। ସୋନିଆ ଗାନ୍ଧୀ ପ୍ରତିଦିନ ସନ୍ଧ୍ୟାରେ କେବଳ ସେଠାକୁ ଯାଉ ନଥିଲେ, ସେଠାରେ ଦୀର୍ଘ ସମୟ ଧରି ବୁଲିବା ସହ ସେଠାରୁ ଅନେକ ପ୍ରକାର ଜିନିଷ କିଣି ସାଙ୍ଗରେ ଧରି ଘରକୁ ଫେରୁଥିଲେ।

ସେହିପରି ଦ୍ୱିତୀୟ ଘଟଣାଟି ହେଉଛି, କେନ୍ଦ୍ରମନ୍ତ୍ରୀ ମାନେକା ଗାନ୍ଧୀଙ୍କର ହଠାତ ରାଜନେତାମାନଙ୍କର ଫଟୋଚିତ୍ର ପ୍ରତି ଅହେତୁକ ଆଗ୍ରହ ପ୍ରଦର୍ଶନ। ନିକଟରେ ଫଟୋ ସାମ୍ବାଦିକ ପ୍ରବୀଣ ଜୈନଙ୍କ ଦ୍ୱାରା ଏକ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଥିଲା। ଏହି ଫଟୋଚିତ୍ର ପ୍ରଦର୍ଶନୀରେ ସୋନିଆଙ୍କ ଚାରିଟି ସଦୃଶ୍ୟ ଫଟୋ ସ୍ଥାନ ପାଇଥିଲା। ମାନେକା ଏହି ପ୍ରଦର୍ଶନୀକୁ ଏକାଧିକ ଥର ଯିବା ସହ ସୋନିଆଙ୍କ ଫଟୋକୁ ଦୀର୍ଘ ସମୟ ଧରି ଦେଖିବା ସହ ଏହା ସମ୍ମୁଖରେ ଠିଆ ହୋଇ ଏକାଧିକ ଫଟୋ ଉଠାଇଥିଲେ। ତେଣୁ, ଏସବୁକୁ ନିକଟରୁ ନିରୀକ୍ଷଣ କରୁଥିବା ଏବଂ ଉଭୟଙ୍କୁ ଅତି ନିକଟରୁ ଜାଣିଥିବା ଲୋକେ ଆଲୋଚନା କରୁଛନ୍ତି ଯେ ଉଭୟଙ୍କ ମଧ୍ୟରେ ଜମାଟ ବାନ୍ଧିଥିବା ତିକ୍ତତା ଏବେ ତରଳିବାକୁ ଆରମ୍ଭ କରିଛି ଏବଂ ଉଭୟଙ୍କ ମଧ୍ୟରେ ରହିଥିବା ଦୂରତ୍ୱ ମଧ୍ୟ ଧୀରେଧୀରେ କମୁଛି।

 

ସମ୍ବନ୍ଧିତ ଖବର