ଯୁକ୍ତ୨ କଳା ଓ ବାଣିଜ୍ୟ ପରୀକ୍ଷା ଫଳ: ଟପର୍‌ ସଂଖ୍ୟା ବଢ଼ୁନି

ଭୁବନେଶ୍ୱର: ଯୁକ୍ତ୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ବିଭାଗ ରେଜଲ୍ଟକୁ ନେଇ ରାଜଧାନୀରେ ଖେଳିଯାଇଛି ନୈରାଶ୍ୟ। ବିଜ୍ଞାନ ପରି ଏହି ତିନି ବିଭାଗରେ ବି ସହରର କଲେଜଗୁଡ଼ିକ ଆଖିଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ବିଜେବି ସମେତ ରମାଦେବୀ ମହିଳା କଲେଜ, ରାଜଧାନୀ କଲେଜ, କମଳା ନେହେରୁ କଲେଜ, ମହର୍ଷି କଲେଜ, ଏକାମ୍ର କଲେଜ ବହୁ ପଛରେ ପଡ଼ିଯାଇଛନ୍ତି। ନାମଲେଖା ସମୟରେ କଟ୍‌ ଅଫ୍‌ ମାର୍କରେ ସବୁବେଳେ ଆଗରେ ରହି ମେଧାବୀ ଛାତ୍ରଛାତ୍ରୀଙ୍କୁ ନେଉଥିବା ଏହି କଲେଜଗୁଡ଼ିକର ପ୍ରଦର୍ଶନକୁ ନେଇ ଶିକ୍ଷାବିତ୍‌ମାନେ ମଧ୍ୟ ଚିନ୍ତା ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା କେଉଁ କାରଣ ପାଇଁ ଏଭଳି ହେଉଛି ସେଥିପ୍ରତି ଦୃଷ୍ଟି ଦେବାର ସମୟ ଆସିଛି। ଗ୍ରାମାଞ୍ଚଳ, ଆଦିବାସୀ ଅଞ୍ଚଳରେ ଥିବା କଲେଜର ଛାତ୍ରଛାତ୍ରୀ ଭଲ ପ୍ରଦର୍ଶନ କରୁଥିବା ବେଳେ କେଉଁ କାରଣ ପାଇଁ ରାଜଧାନୀରେ ଏଭଳି ରେଜଲ୍ଟ ହେଉଛି ତାହା ଉପରେ ସମୀକ୍ଷା ହେବାର ଆବଶ୍ୟକତା ରହିଛି। ସବୁଠାରୁ ବଡ଼ କଥା ହେଉଛି କଳା ଓ ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୨୦ ତାଲିକାରେ ସହରର ମାତ୍ର ୫ ଜଣ ଛାତ୍ରଛାତ୍ରୀ ଅଛନ୍ତି। ଏଥିରେ ବିଜେବି କଲେଜର ୩ ଜଣ ଓ ରମାଦେବୀ କଲେଜର ୨ ଜଣ ଛାତ୍ରୀ ରହିଥିବା ଜଣାପଡ଼ିଛି। ଏମାନଙ୍କ ବ୍ୟତୀତ ଟପର୍‌ ତାଲିକାରେ ଭୁବନେଶ୍ୱରର ଆଉ କୌଣସି କଲେଜର ଛାତ୍ରଛାତ୍ରୀ ନାହାନ୍ତି। ଗତବର୍ଷ ରମାଦେବୀ କଲେଜର ଜଣେ ଛାତ୍ରୀ କଳା ବିଭାଗରେ ଟପର୍‌ ହୋଇଥିବା ବେଳେ ଏଥର ଏହି କଲେଜର ଛାତ୍ରୀ ସ୍ୱାତିସ୍ମିତା ବେହେରା ୫୩୪ ନମ୍ବର ରଖି ରାଜ୍ୟରେ ଟପର୍‌ ହୋଇଛନ୍ତି। ନବମ ସ୍ଥାନରେ ବିଜେବି କଲେଜର ସୁନନ୍ଦା ରାଉତ ଓ ୧୬ତମ ସ୍ଥାନରେ ରମାଦେବୀ କଲେଜ ଛାତ୍ରୀ ସୋନାଲି ନାୟକ ରହିଛନ୍ତି। ଏମାନଙ୍କ ବ୍ୟତିତ ଆଉ କୌଣସି ବି ଛାତ୍ରଛାତ୍ରୀ ଶ୍ରେଷ୍ଠ ୨୦ ଭିତରକୁ ଆସିପାରି ନାହାନ୍ତି। ବାଣିଜ୍ୟ ବିଭାଗର ଶ୍ରେଷ୍ଠ ୨୦ ଜଣଙ୍କ ମଧ୍ୟରେ ବିଜେବି କଲେଜର ମାତ୍ର ୨ ଜଣ ରହିଛନ୍ତି। ଟପର୍‌ ତାଲିକାର ୩ ନମ୍ବର ସ୍ଥାନରେ ଏହି କଲେଜର ଛାତ୍ର ଶୁଭମ୍‌ ଚୌଧୁରୀ ଥିବା ବେଳେ ଅଷ୍ଟମ ସ୍ଥାନରେ ପାୟଲ୍‌ ଅଗ୍ର୍ରଓ୍ଵାଲ ରହିଛନ୍ତି। ରମାଦେବୀ କଲେଜର ଛାତ୍ରୀମାନେ ଏହି ବିଭାଗରେ ପଛରେ ପଡ଼ିଯାଇଛନ୍ତି। ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବିଜେବି ଓ ରମାଦେବୀ କଲେଜରେ ଅଧିକ ରହିଥିବା ସୂଚନା ମିଳିଛି।

ବିଜେବି କଲେଜ
ଯୁକ୍ତ୨ କଳା ବିଭାଗରେ ୪୮୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୩୮, ଦ୍ୱିତୀୟ ଶ୍ରେଣୀରେ ୮୭ ଏବଂ ତୃତୀୟ ଶ୍ରେଣୀରେ ୧୦୪ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୮୮.୮୧% ହୋଇଛି। ଏହି ବିଭାଗରେ ଛାତ୍ରୀ ସୁନନ୍ଦା ରାଉତ ୫୨୪ ନମ୍ବର ରଖି ରାଜ୍ୟରେ ସପ୍ତମ ହେବା ସହ କଲେଜ ଟପର୍‌ ହୋଇଛନ୍ତି। ସେହିପରି ବାଣିଜ୍ୟରେ ୧୭୭ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୧୧୨, ଦ୍ୱିତୀୟ ଶ୍ରେଣୀରେ ୩୦ ଏବଂ ତୃତୀୟ ଶ୍ରେଣୀରେ ୩୨ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ପାସ୍‌ହାର ୯୮.୩% ପାସ୍‌ହାର ରହିଛି। ବାଣିଜ୍ୟ ବିଭାଗରେ ଶୁଭମ୍‌ ଚୌଧୁରୀ ୫୩୮ ନମ୍ବର ରଖି ରାଜ୍ୟର ୪ର୍ଥ ସ୍ଥାନରେ ରହିବା ସହ କଲେଜରେ ଟପର୍‌ ହୋଇଥିବା କଲେଜ ଅଧ୍ୟକ୍ଷ ବିଷ୍ଣୁ ଚରଣ ଦାଶ ସୂଚନା ଦେଇଛନ୍ତି।

ରମାଦେବୀ ମହିଳା ଜୁନିଅର୍‌ କଲେଜ
କଳାରେ ପରୀକ୍ଷା ଦେଇଥିବା ୫୨୭ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୪୯, ଦ୍ୱିତୀୟ ଶ୍ରେଣୀରେ ୧୧୮ ଓ ତୃତୀୟ ଶ୍ରେଣୀରେ ୨୦୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ପରୀକ୍ଷା ଦେଇଥିବା ୨୭୯ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨୦, ଦ୍ୱିତୀୟ ଶ୍ରେଣୀରେ ୬୪ ଏବଂ ତୃତୀୟ ଶ୍ରେଣୀରେ ୫୨ ଜଣ ପାସ୍‌ କରିଛନ୍ତି। ଅନିମାବାଳା ଦାସ ୫୦୮ ମାର୍କ ରଖି ଟପର୍‌ ହୋଇଛନ୍ତି।

ଏକାମ୍ର କଲେଜ
ଏକାମ୍ର କଲେଜର କଳା ବିଭାଗରେ ୨୨୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ଶ୍ରେଣୀରେ ୧୨, ଦ୍ୱିତୀୟ ଶ୍ରେଣୀରେ ୩୦ ଏବଂ ତୃତୀୟ ଶ୍ରେଣୀରେ ୧୨୫ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ର ଆଶିଷ ନାୟକ ୪୦୪ ନମ୍ବର ରଖି ଟପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ୧୧୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲା ବେଳେ ୬ ଜଣ ପ୍ରଥମ ଶ୍ରେଣୀ, ଦ୍ୱିତୀୟ ଶ୍ରେଣୀରେ ୧୭ ଏବଂ ତୃତୀୟ ଶ୍ରେଣୀରେ ୭୨ ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ଛାତ୍ର ସୁନିଲ୍‌ ପରିଡ଼ା ୪୨୦ ନମ୍ବର ରଖି କଲେଜ ଟପର୍‌ ହୋଇଛନ୍ତି।

ବିଜୁପଟ୍ଟନାୟକ କଲେଜ୍‌ ଅଫ୍‌ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି
କଳା ବିଭାଗରେ ପରୀକ୍ଷା ଦେଇଥିବା ୨୩୧ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୯୫ ଜଣ ସଫଳତା ହାସଲ କରିଛନ୍ତି। ପାସ୍‌ହାର ୮୪.୪୧% ରହିଛି। ପ୍ରଥମ ଶ୍ରେଣୀରେ ୨୫ଜଣ, ଦ୍ୱିତୀୟ ଶ୍ରେଣୀରେ ୪୭ ଜଣ, ତୃତୀୟ ଶ୍ରେଣୀରେ ୧୨୩ ଜଣ ପାସ୍‌ କରିଛନ୍ତି। ଚିନ୍ମୟ ରଞ୍ଜନ ସାହୁ ୪୬୦ ନମ୍ବର ରଖି ଟପର୍‌ ହୋଇଛନ୍ତି। ବାଣିଜ୍ୟ ବିଭାଗରେ ସଫଳତା ହାର ୮୯.୪୭% ରହିଛି। ପରୀକ୍ଷା ଦେଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୦୨ ଜଣ ପାସ୍‌ କରିଛନ୍ତି। ପ୍ରଥମ ଶ୍ରେଣୀରେ ୧୩, ଦ୍ୱିତୀୟ ଶ୍ରେଣୀରେ ୨୩ ଓ ତୃତୀୟ ଶ୍ରେଣୀରେ ୬୬ ଜଣ ପରୀକ୍ଷାର୍ଥୀ ରହିଥିବା କଲେଜ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପ୍ରଧାନ କହିଛନ୍ତି।

ସିଟି ଓମେନ୍‌ସ କଲେଜ
ସିଟି ଓମେନ୍‌ସ କଲେଜର ୨୩୬ ଜଣ ଛାତ୍ରୀ କଳା ବିଭାଗରେ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୩୬, ଦ୍ୱିତୀୟ ଶ୍ରେଣୀରେ ୬୭ ଓ ତୃତୀୟ ଶ୍ରେଣୀରେ ୧୨୮ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଜଣେ ଛାତ୍ରୀଙ୍କର ପରୀକ୍ଷା ଫଳ ସ୍ଥଗିତ ରହିଛି। କଲେଜର ପାସ୍‌ହାର ୯୮% ରହିଛି। ୪୩୩ ନମ୍ବର ରଖି ଛାତ୍ରୀ ସୂଚିସ୍ମିତା ଦାଶ କଲେଜ ଟପର୍‌ ହୋଇଥିବା ଏହାର ଅଧ୍ୟକ୍ଷ ମଧୁସ୍ମିତା ପାତ୍ର କହିଛନ୍ତି।

ଦେବରାୟ ଜୁନିଅର୍‌ କଲେଜ
ପରୀକ୍ଷା ଦେଇଥିବା ୨୭୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୫ ପ୍ରଥମ ଶ୍ରେଣୀ , ଦ୍ୱିତୀୟ ଶ୍ରେଣୀରେ ୨୭, ତୃତୀୟ ଶ୍ରେଣୀରେ ୧୫୯ ଜଣ ପରୀକ୍ଷାର୍ଥୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସ୍ୱୟଂଜିତ୍‌ ସୁବୁଦ୍ଧି ୩୮୯ ନମ୍ବର ରଖି ଟପର୍‌ ହୋଇଛନ୍ତି। ସେହିପରି ବାଣିଜ୍ୟ ବିଭାଗରେ ୧୧୬ ଜଣ ପରୀକ୍ଷା ଦେଇଥିବା ବେଳେ ପ୍ରଥମ ଶ୍ରେଣୀରେ ୨ ଜଣ, ଦ୍ୱିତୀୟ ଶ୍ରେଣୀରେ ୧୪ ଜଣ ଏବଂ ତୃତୀୟ ଶ୍ରେଣୀରେ ୬୯ ଜଣ ପାସ୍‌ କରିଛନ୍ତି। କେ. ହେମଲତା ୩୮୬ ନମ୍ବର ରଖି ବିଭାଗ ଟପର୍‌ ହୋଇଥିବା କଲେଜ ଅଧ୍ୟକ୍ଷ ରଜନୀ ରଞ୍ଜନ ସୂଚନା ଦେଇଛନ୍ତି।

ସତ୍ୟସାଇ ମହିଳା ମହାବିଦ୍ୟାଳୟ
ଏଠାରେ କଳା ବିଭାଗରେ ୧୭୫ଜଣ ଛାତ୍ରୀ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୫ ଜଣ ପ୍ରଥମ, ୨୬ଜଣ ଦ୍ୱିତୀୟ ଏବଂ ୧୦୮ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଛାତ୍ରୀ ଉପାସନା ତ୍ରିପାଠୀ ୪୨୦ ନମ୍ବର ରଖି କଲେଜର ଟପର୍‌ ହୋଇଥିବା କଲେଜ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର