୩ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନଗୃହ ଉଦ୍‌ଘାଟିତ

ମିଳିବ ବିଶେଷଜ୍ଞ ଡାକ୍ତରଙ୍କ ସେବା

ଭୁବନେଶ୍ୱର: ରାଜଧାନୀରେ ଆଜି ୩ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ନୂତନଗୃହ ଉଦ୍‌ଘାଟିତ ହୋଇଛି। ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର ଓ ମେୟର ଅନନ୍ତ ନାରାୟଣ ଜେନାଙ୍କ ଉପସ୍ଥିତିରେ ଏହି ଗୃହ ଉଦ୍‌ଘାଟିତ ହୋଇଛି। ଓ୍ଵାର୍ଡ ନଂ ୬୨ରେ ପୋଖରୀପୁଟ, ଓ୍ଵାର୍ଡ ନଂ ୫୦ର ବରମୁଣ୍ଡା ଓ ଓ୍ଵାର୍ଡ ନଂ ୮ର ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନିରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ରହିଛି। ଏସବୁ ଗୃହରେ ବହିର୍ବିଭାଗ ବା ଓପିଡି, ଅବଜରଭେସନ୍‌ ରୁମ୍‌, ବିଶେଷଜ୍ଞ ଡାକ୍ତର, ଏଏନ୍‌ଏମ୍‌, ପାଥୋଲୋଜି ପରୀକ୍ଷା, ଔଷଧ ବିତରଣ କେନ୍ଦ୍ର, ସମ୍ମିଳନୀ କକ୍ଷ, ଗୋଦାମ ଓ ପ୍ରତୀକ୍ଷା ଗୃହ ଆଦିର ବ୍ୟବସ୍ଥା ରହିଛି। ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକ ସକାଳ ୮ଟାରୁ ଦିନ ୧୧ଟା ଓ ଅପରାହ୍‌ଣ ୫ଟାରୁ ରାତି ୮ଟା ପର୍ଯ୍ୟନ୍ତ ସେବା ପ୍ରଦାନ କରିବ। ଏହାସହ ଏଠାରେ ପ୍ରତିଦିନ ବିଶେଷଜ୍ଞ ସେବା ଉପଲବ୍ଧ ହେବା ସହିତ ପ୍ରତ୍ୟେକ ବୁଧବାର ଟିକାକରଣ ମଧ୍ୟ କରାଯିବ। ଏସବୁ ସ୍ୱାସ୍ଥ୍ୟକେନ୍ଦ୍ରଗୁଡ଼ିକରେ ମଧ୍ୟ ପରିମଳ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି। ୨୦୧୭/୧୮ ବର୍ଷ ପାଇଁ ୟୁନିଟ୍‌-୩ ଓ ୟୁନିଟ୍‌-୯ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିମଳ ପାଇଁ ‘କାୟାକଳ୍ପ’ ପୁରସ୍କାର ପାଇଛନ୍ତି।

ଏହି ଅବସରରେ ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି, ସହରାଞ୍ଚଳରେ ରହୁଥିବା ବସ୍ତିବାସିନ୍ଦାଙ୍କୁ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିସନ ୨୦୧୪ ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶୁଭାରମ୍ଭ ହେବା ପରେ ଏବେସୁଦ୍ଧା ରାଜ୍ୟର ୨୭ଟି ସହରରେ ୮୫ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୬ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି। ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ୧୧ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ୨ଟି ସହରାଞ୍ଚଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନୂତନ ଗୃହ ନିର୍ମାଣ ପାଇଁ ଯୋଜନା କରାଯାଇଛି। ପୂର୍ବରୁ ନୀଳାଦ୍ରିବିହାରଠାରେ ନୂତନ ଗୃହ ଉଦ୍‌ଘାଟନ ହୋଇଥିବା ଶ୍ରୀ ଜେନା କହିଛନ୍ତି। ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ଜାତୀୟ ସ୍ୱାସ୍ଥ୍ୟ ମିସନର ଅତିିରିକ୍ତ ନିର୍ଦେଶକ ମୃଣାଳକାନ୍ତି ଦାସ, ରାଜ୍ୟ ସହରାଞ୍ଚଳ କାର୍ଯ୍ୟକ୍ରମ ପରିଚାଳକ ସୁକାନ୍ତ ମିଶ୍ର, ସିଡିଏମ୍‌ଓ ଡା.ଭାରତୀ ଭୂଷଣ ବରାଳ, ଡିଏସ୍‌ଏମ୍‌ଓ ଡା.ସନ୍ଦୀପନା ପତିଙ୍କ ସମେତ କର୍ପୋରେଟର ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର